ସ୍ମୃତି ସେ ଦିନର
ଦଶମ ଶ୍ରେଣୀରେ ପଢୁଥିଲି । ପାଠ ସେତେ ଭଲ ହେଉନଥିବାରୁ ଘରେ ସ୍ଥିର କଲେ ମୋତେ ଚକୁଳେଶ୍ୱର କୋଚିଂ ସେଂଟର ପଠାଇବା ପାଇଁ । କାରଣ ସମସ୍ତଙ୍କ ମନରେ ଏହି ବିଶ୍ୱାସ ଥିଲା ଯେ ମାଡ଼ ହେଲେ ପାଠ ହୁଏ । ଆଉ ଉକ୍ତ କୋଚିଂ ସେଣ୍ଟରଟି ମାଡ ଓ ଦଣ୍ଡ ପାଇଁ ପ୍ରସିଦ୍ଧ ଥିଲା ଆମ ବାଙ୍କୀ ଅଞ୍ଚଳରେ । ପ୍ରଥମେ ମନରେ ବହୁତ ଡର ଥିଲା । କାରଣ ପାଠ ନପଢିଲେ ବେତରେ ମାଡ ତ ମାଡ ଗାଁ ରାସ୍ତାରେ ଡିବି ଧରି ଆଣ୍ଠୁଆ ବସାଉଥିଲେ ଏବଂ ସେ ବାଟ ଦେଇ ଯିଏ ଯାଉଥିଲା ତାକୁ ଡାକି କହିବାକୁ ପଡେ ମୋ ନା ଅମକ, ମୁଁ ପାଠ ପଢି ଆସିନଥିବାରୁ ମୋତେ ସାର୍ ଏଇ ଦଣ୍ଡ ଦେଇଛନ୍ତି। ସେ ଯାହା ବି ହେଉ ମାଁ ସରସ୍ୱତୀଙ୍କ ନାମରେ ନାମିତ କୋଚିଂ ସେଣ୍ଟରଟି ଆମ ଘର ଠାରୁ ପ୍ରାୟ 5 କିଲୋମିଟର ଦୂର । ଯିବା ଆସିବା କରିବା ପାଇଁ ମୋ ଦାଦା ମୋ ପାଇଁ ନୂଆ ‘ଏଭନ୍ କ୍ରସ୍’ ସାଇଲେଲ କିଣିଦେଇଥିଲେ । ବାସ୍ ଦଶମ ହାୱା ବହିବା ସହ ଆରମ୍ଭ ହୋଇଯାଇଥିଲା ମୋ ଜୀବନର ଅନ୍ୟ ଏକ ଯାତ୍ରା । ଆମ ଗାଁରୁ ମୁଁ ଏକମାତ୍ର ହିଁ ସେହି କୋଚିଂକୁ ଟ୍ୟୁସନ୍ ହେବାକୁ ଯାଏ। ସମୟ ସହ ତାଳ ଦେଇ ଆଗୁକୁ ବଢିଚାଲିଲି । ପ୍ରିଟେଷ୍ଟ ପରେ ଟେଷ୍ଟ ପରୀକ୍ଷା ଆରମ୍ଭ ହୋଇଗଲା । ସ୍କୁଲରେ ଦ୍ୱିତୀୟ ଦିନ ଇଂରାଜୀ ପରୀକ୍ଷା ଦେଇ ଘରକୁ ଆସିଲି । ସେଦିନ ଥାଏ ମଙ୍ଗଳବାର । ମମି ମଙ୍ଗଳବାର ଓଷା କରିଥାଏ । ଓଷାର ନୀତି ମୁତାବକ ସେ ନଦୀକୁ ଯାଇଥାଏ ସେଠାରୁ ମାଠିଆରେ ପାଣି ଆଣି ଗାଁର ମଙ୍ଗଳା ମନ୍ଦିରରେ ଢାଳିବାକୁ। ଏପ...