କୁନୁର ରୋଷେଇ’


ୟୁଟ୍ୟୁବରୁ ରୋଷେଇ ଭିଡ଼ିଓ ଦେଖିସାରିଲି । ଯୋରରେ ଚିଲେଇକି କହିଲି ମମି ଆଜି ମୁଁ ରୋଷେଇ କରିବି ଆଉ କେହି ହାତ ଲଗେଇବନି । ତୁ କରିବୁ । ତୋ ହାତରେ ତ ଖଡ଼ା ସିଝିବନି । ତୁ କଣ ରୋଷେଇ କରିବୁ ମୁଁ ଜାଣିପାରୁନି । ଆଚ୍ଛା କଣ କରିବୁ ମୁଁ ଟିକେ ଶୁଣେ । ମମି କହିଲା । ହା ... ହା ଜାଣିନୁ ଆଉ । ଭୁବନେଶ୍ୱରରେ ରହୁଛି । ଚିକେନର 10ଟା ଆଇଟମ୍ କରିପାରିବି । କିନ୍ତୁ ଆଜି ମୁଁ ସ୍ପେଶାଲ ଡିସ୍ କରିବି । ବାପାଙ୍କୁ କହିବୁ ଚିକେନ୍ ଆଣିବେ । ଆଜି ମୁଁ କରିବି ଚିକେନ୍ ଫ୍ରାଏଡ୍ ମସଲାକୁ ଲଚ୍ଛା ପରାଟା । ଖାଇଲେ ହାତ କାମୁଡ଼ିଦେବୁ । ମୁଁ ଏସବୁ କହିବା ପରେ ନନା କହିଲା ହଉ ହେଲା ଆଉ କହନି, ଯାହା ଲାଗିଲାଣି ଆଜି ଉପବାସ ରହିବାକୁ ହେବ । ମୁଁ ସ୍ମିତ ହାସ୍ୟ ଦେଇ ବ୍ରସ କରିବାକୁ ଗଲି ।

ଦିନ 10ଟାରେ ମୁଁ ରାନ୍ଧିବା ପାଇଁ ଥିବା ଡିସ୍(ତରକାରି) ପାଇଁ ଆବଶ୍ୟକୀୟ ଜିନିଷ ନେଇ ମମି ରୋଷେଇ ଘରେ ସବୁ ରଖିଦେଲା । କଡେଇ, ଡେକଚି, ଥାଳି ଧୂଆଧୁଇ କରିଦେଲା । ଚିକେନକୁ ମଧ୍ୟ ଧୋଇ ପାଖରେ ରଖି ଦେଇଗଲା । ରୋଷେଇ କାର୍ଯ୍ୟ ଆରମ୍ଭ ହେଲା । ମୁଁ ଗ୍ୟାସ ଲଗେଇଲି। ମମିକୁ କହିବାନୁସାରେ ସେ ପିଆଜ, ଲଙ୍କା କଟାକଟି କରିବା ସହ ରସୁଣ ଓ ଅଦା ସବୁ ଶୀଳରେ ବଟାବଟି କରିଦେଲା । ମୁଁ କଡ଼େଇ ବସେଇ ତେଲ ପକେଇଲି । ପରେ ତେଲ ଛିଟିକିବ ବୋଲି କହି ମମିକୁ କହିଲି ପିଆଜ ପକେଇବା ପାଇଁ । ଭଜାଭଜି କରିବା ପରେ ଲୁଣ ଜାଣି ପାରିବନି କହି ମମିକୁ କହିଲି ଦେଖିକି ପକା । ମଝିରେ ମଝିରେ ୟୁଟ୍ୟୁବରେ ପ୍ଲେ, ପଜ୍ କରି କରି ସେହି ଡିସର ପ୍ରସ୍ତୁତି ପ୍ରଣାଳି ଦେଖି ରାନ୍ଧୁଥାଏ । ଏହାଭିତରେ ଚିକେନ୍ ପକାଇ କସାକସି କରିବା ପରେ ମମିକୁ ଲଚ୍ଛା ପରଟା ପାଇଁ ମଇଦା ଚକଟିବାକୁ କହିଲି । ମମିକୁ କହିବାନୁସାରେ ସେ ମଇଦାକୁ ବେଲି ଲଚ୍ଛା ପରାଠା କରିନେଲା । ପ୍ରାୟ 1.30 ଘଣ୍ଟାର କଠିନ ପରିଶ୍ରମ ପରେ ଚିକେନ୍ ଫ୍ରାଏଡ୍ ମସଲା ଓ ଲଚ୍ଛା ପରଠା ପ୍ରସ୍ତୁତ ହେଲା ।
ସମସ୍ତେ ମଧ୍ୟାହ୍ନ ଭୋଜନ ଖାଇବାକୁ ବସିଲେ । ମମି ଖାଇବାକୁ ବାଢିଲା ଭିତରେ ମୋର 10 ଥର ଚର୍ଚ୍ଚା କରି ସାରିବଣି ଯେ କୁନୁ ଆଜି ରେଷେଇ କରିଛି । ପରିବାରର ସମସ୍ତେ ଖାଇବା ଭଲ ହୋଇଛି କହିଲେ । ଓଃ କି ଆନନ୍ଦ । ରୋଷେଇ କରିବାରେ ଯେତିକି ଆନନ୍ଦ ନଥିଲା, ଏହି କଥା ସବୁ ଶୁଣିବା ମୋତେ ଅଧିକ ଆନନ୍ଦ ଦେଇଥିଲା । ସାହୀ ପଡ଼ିଶାରୁ ଗାଁ ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚା ଯେ କୁନୁ ଆଜି ଘରେ ରୋଷେଇ କରିଛି । ଏସବୁ ଶୁଣି ମୋତେ ଯେମିତି ଲାଗୁଥିଲା ମୁଁ ବିଶ୍ୱ କପ୍ ଜିତିକି ଆସିଛି । ହା ହା.. ଯାହା ହଉ ସବୁ ମୋ ରେଷେଇକୁ ପସନ୍ଦ କଲେ ତା ହେଲେ । ସେହି କଥା ଭାବି ଭାବି ଦିନ କଟିଗଲା ।

କିଛି ଦିନ ପରେ ମୋର ମମି ଗୋଟିଏ ଦିନ ପାଇଁ ମାମୁଁ ଘରକୁ ଚାଲିଗଲା ।ସେହି ଦିନ ଘରର ରୋଷେଇ କାମ ସବୁ ମୁଁ କରିଦେବି କହିଲି । ରୋଷେଇ ଘରକୁ ଯାଇ ପାଖରେ ପିଆଜ, ଆଳୁ ଆଣି ଥୋଇଲି । ଏହା ପରେ ପନିକିରେ ପିଆଜ କାଟିବାକୁ ଲାଗିଲି । ପିଆଜ କାଟିବା ବେଳେ ଧୀରେଧୀରେ ଆଖିରୁ ବାହାରୁଥିବା ମୋର ଲୁହ ମୋତେ ସେଦିନର ରୋଷେଇ ପାଖକୁ ନେଇ ଯାଉଥିଲା । ସେ ଦିନ ମୁଁ ରୋଷେଇ କରିଥିଲି – ଏହା ସତ ତ ? ବାରମ୍ବାର ମନକୁ ପଚାରିବାକୁ ବାଧ୍ୟ ହେଉଥିଲି । ବହୁତ ଭାବିଲା ପରେ ବୁଝିଲି ସେଦିନ ତ କଟାକଟି ଠାରୁ ଆରମ୍ଭ କରି ଧୂଆଧୁଇ ପର୍ଯ୍ୟନ୍ତ ସବୁ ତ ମମି କଲା । ତା’ ହେଲେ ମୁଁ କଣ କଲି । କିଛି ଉତ୍ତର ଆସୁନଥାଏ । କିଛି ନକରି ବି ମମି ମୋତେ ସମସ୍ତଙ୍କ ଆଗରେ ଟେକି ଦେଇଥିଲା । ଏହି କଥା ଭାବିବା ବେଳେ ଟିଭିରେ ମହାଭାରତର ବେଲାଳସେନ ଯୁଦ୍ଧ ବିଷୟରେ କିଛି କହୁଥିବାର ଦେଖିଲି । ଏତିକି ବେଳେ ୟୁଟ୍ୟୁବରୁ ନୋଟିଫିକେସନ ଆସିଲା ‘How to Make Butter Chicken at Home’...
ବିଦ୍ର - ଏହି ଗଳ୍ପର ଯଥାର୍ଥ ସବୁଠି ନିଆଯାଇପାରେ । ଉଦାହରଣ ସ୍ୱରୂପ କାର୍ଯ୍ୟକ୍ଷେତ୍ରରେ ଆମେ କିଛି ସଫଳତା ହାସଲ କଲେ ପଛକୁ ଦେଖିବା ଉଚିତ୍ ଯେ ଏହା କେବଳ ଆମ ପାଇଁ ନୁହେଁ ସମସ୍ତଙ୍କ ପ୍ରଚେଷ୍ଟାରେ ସମ୍ଭବ ହୋଇଛି । ନିଜ ପାଇଁ ସବୁକିଛି ହେଲା, ଏହାର ଚିନ୍ତା ନକରି ସମସ୍ତଙ୍କୁ ଶ୍ରେୟ ଦେବାର ଆବଶ୍ୟକତା ହିଁ ଆମର ନୂଆ ପରିଚୟ ହେବା ଉଚିତ୍ ଏବଂ ଲୋକମାନେ ପରଦା ଆଗର ନାୟକ ସମେତ ପରଦା ପଛର ସଫଳତା ପଛରେ ଥିବା ନାୟକଙ୍କୁ ମଧ୍ୟ ଗୁରୁତ୍ୱ ଦିଅନ୍ତୁ । ଆତ୍ମଗର୍ବୀ ନହୋଇ ନିଜ ଲୋକଙ୍କ ପାଇଁ ଗର୍ବ କରନ୍ତୁ । ଧନ୍ୟବାଦ ।

Comments

Popular posts from this blog

Blog No - 49 ‘ଦୀର୍ଘ ୧୪ ବର୍ଷ ପରେ ଏକାଠି’

Blog No 51 - Happy BirthDay Super Star

‘ପଟ୍ଟଚିତ୍ର ଅନୁଭବ, ଶିଳ୍ପୀ ମହାନୁଭବ’

ସ୍ମୃତି ସେ ଦିନର

Blog No - 48 : ସୁଆଣ୍ଡୋରୁ ଜାତିର ଚରିତ୍ର, ସେବାର ମୂର୍ତ୍ତିମନ୍ତ ମହାନାୟକ

ବିଶ୍ୱ ଘରଚଟିଆ ଦିବସ : ମୋ ଟିକି ଚଢେଇ

Story Blog No - 50 ଚିକେନ୍ ପକୋଡା

ଓଡ଼ିଶା ଗଣମାଧ୍ୟମରେ AI

୧୯୮୨ ବନ୍ୟା : ସେହି ଅଗଷ୍ଟ ମାସ ଖୁଦୁରୁକୁଣୀ ଓଷାରେ ବାଙ୍କୀବାସୀଙ୍କ ବିକଟାଳ ଚିତ୍କାର

‘ଅର୍ଗସ’