Blog No - 48 : ସୁଆଣ୍ଡୋରୁ ଜାତିର ଚରିତ୍ର, ସେବାର ମୂର୍ତ୍ତିମନ୍ତ ମହାନାୟକ

( ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁଣ୍ୟ ଜୟନ୍ତୀ ଅବସରରେ) 

ଶିକ୍ଷା, ସମାଜସେବା, ଓଡ଼ିଆ ଭାଷା, ସାହିତ୍ୟ, ସାମ୍ବାଦିକତା ଓ ରାଜନୀତି । ଜଣେ ଦୂରଦର୍ଶୀ ବ୍ୟକ୍ତି । ଏହି ସବୁ କ୍ଷେତ୍ରରେ ରହିଛି ସର୍ବୋତ୍ତମ ପାରଦର୍ଶିତା । ସ୍ୱାଧୀନତା ପୂର୍ବ ଭାରତର ଅନନ୍ୟ ଚେହେରା । ଓଡ଼ିଶା ଗଠନର ଅନ୍ୟତମ ବିନ୍ଧାଣୀ । ତ୍ୟାଗ ଓ ସେବାର ମୂର୍ତ୍ତିମନ୍ତ ଚେହେରା । ନାମରେ ବି ବନ୍ଧୁ । ପୂରଣ କଲେ ହେଉଛି ଗୋପବନ୍ଧୁ । ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶା ଇତିହାସର ପୃଷ୍ଠାରେ ହୁଅନ୍ତି ମହାନାୟକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ । 


ପୂଣ୍ୟାତ୍ମାଙ୍କ ଜନ୍ମପୀଠ ସତ୍ୟବାଦୀ ସୁଆଣ୍ଡୋ ଗ୍ରାମରେ । ୦୯.୧୦.୧୮୭୭ରେ ଆବିର୍ଭାବ ଏବଂ ୧୭.୦୬.୧୯୨୮ରେ ହୁଏ ତାଙ୍କର ତିରୋଧାନ । କେବଳ ଜଣେ ବ୍ୟକ୍ତି ନୁହେଁ, ଥିଲେ ଜଣେ ଅନୁଷ୍ଠାନ । ଗୋପବନ୍ଧୁଙ୍କ ପରି ଜଣେ ବିରଳ ମହାପୁରୁଷଙ୍କ ଜୀବନକାହାଣୀ ନା କଲମ ମୁନରେ ଲେଖାଯାଇପାରିବ, ନା ବହିର ପୃଷ୍ଠାରେ ବର୍ଣ୍ଣନା କରିହେବ । ତାଙ୍କର ତ୍ୟାଗ, ବିଚାରକୁ ତୁଳନା କରିବା ଅସମ୍ଭବ । ହୁଏତଃ ଏଥିପାଇଁ ତାଙ୍କର ଜନ୍ମସ୍ଥାନ ସୁଆଣ୍ଡୋ ସ୍ଥିତ ଷଠିଘର ଏବଂ ଗୋପବନ୍ଧୁ ସଂଗ୍ରହାଳୟରେ କେବଳ ଛବି, ପ୍ଲାଷ୍ଟିକ୍ ଓ କାଚ ପ୍ଲେଟରେ ସୀମିତ ଶବ୍ଦରେ ଉଲ୍ଲେଖ କରାଯାଇଛି ।

ଷଠିଘର ସାମ୍ନାରେ ଅଛି ଗୋଟିଏ ବରଗଛ ଏବଂ ଦୈନିକ ଖବରକାଗଜ 'ସମାଜ'ରେ ପରିପୂର୍ଣ୍ଣ ଏକ ଷ୍ଟାଣ୍ଡଟିଏ । ଗ୍ରାମ୍ୟ ପରିବେଶରେ ଘରଟିକୁ ବିକଶିତ କରାଯାଇଛି । ଯେଉଁଠାରେ ରହିଛି ଗୋପବନ୍ଧୁଙ୍କ ଶୟନକକ୍ଷ, ରୋଷେଇ ଘର ଓ ଭୋଜନ କକ୍ଷ, ବାରିପଟ, ଟଙ୍ଗା ଯାଇଥିବା ଲଣ୍ଠନ ସହ ଢିଙ୍କିଶାଳ ଇତ୍ୟାଦି । ସେହିଠାରୁ ମାତ୍ର ୨୦ ମିଟର ଦୂରରେ ରହିଛି ସୁନ୍ଦର ପାର୍କ । ସେହି ପରିଧିରେ ରହିଛି ତାଙ୍କର ଭବ୍ୟ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି । 

ପାର୍କର ସମ୍ମୁଖରେ ଅଛି ଗୋପବନ୍ଧୁ ସଂଗ୍ରହାଳୟ । ମ୍ୟୁଜିୟମରେ କକ୍ଷ -୧, କକ୍ଷ -୨, କକ୍ଷ-୩ ଓ କକ୍ଷ ୪ ସାରଣୀରେ ଗୋପବନ୍ଧୁଙ୍କ କୃତିକୁ ଚିତ୍ରକୃତିରେ ଜୀବନ୍ତ ଭାବେ ଦର୍ଶାଯାଇଛି । ପ୍ରତିଟି ଚିତ୍ର ଓ କଳାକୃତି ପାଖରେ ଏକ କାଚ ପ୍ଲେଟରେ ସ୍ୱଳ୍ପ ଲେଖା ଗୁଡିକ ଲେଖାଯାଇଅଛି । ତାଙ୍କର ବୃତ୍ତି, ସମାଜସେବା, ଓଡ଼ିଆଙ୍କ ପାଇଁ ଥିବା ମହାନତା, ଆଶା ପ୍ରେସ କାର୍ଯ୍ୟାଳୟ କଳାକୃତିରେ ସ୍ଥାନ ପାଇଛି । କେମିତି ସେ ଜନଶୁଣାଣି କରିବା ସହ ଲୋକଙ୍କ କଥା ବୁଝୁଥିଲେ ଓ ସହାୟତା କରୁଥିଲେ, ତାହା ମଧ୍ୟ । ତାଙ୍କର ବନ୍ଦୀବସ୍ଥାର ଆକୃତିକୁ ବି ନିଖୁଣ ରୂପ ଦିଆଯାଇଛି । ବିପନ୍ନଙ୍କୁ ଡଙ୍ଗାରେ ରିଲିଫ୍ ପଠା ଯାଉଥିବାର ଛବି ଓ ଅସହାୟଙ୍କୁ ଖାଦ୍ୟ ଆହାର ଦେଉଥିବାର ନିଚ୍ଛକ ଦୃଶ୍ୟ ବି ସଂଗ୍ରହାଳୟରେ ସ୍ଥାନ ପାଇଛି ।   


ଏହି ଖାଦ୍ୟ ଆହାରରୁ ମୋର ଏକ କଥା ମନେ ପଡେ, ୧୯୧୯-୨୦ ମସିହାରେ ପୁରୀ ଜିଲ୍ଲାର ଏକ ଅଞ୍ଚଳରେ ଦୁର୍ଭିକ୍ଷ ଦେଖାଗଲା । ହା ଅନ୍ନ, ହା ଅନ୍ନ ସ୍ୱରରେ ଗ୍ରାମରେ ଗୁଞ୍ଜରଣ ସୃଷ୍ଟି ହେଲା । ପୁରୀ ସଦର, ଗୋପ, ବାଲିଅନ୍ତା, ବାଣିପୁର ଥାନା ଲୋକଙ୍କର ଦୁର୍ଦ୍ଦଶାର ପ୍ରତିକାର ପାଇଁ ଗୋପବନ୍ଧୁ ଆପ୍ରାଣ ଉଦ୍ୟମ କଲେ । ସବୁ ଅଞ୍ଚଳ ବୁଲି ସରକାରଙ୍କୁ ଜଣାଇଲେ । ବିହାର ଓଡ଼ିଶା କାଉନସିଲର ସଭ୍ୟ ଭାବରେ ଗୋପବନ୍ଧୁ ଦୁର୍ଭିକ୍ଷ ଅଞ୍ଚଳ ପାଇଁ ଯଥେଷ୍ଟ ସାହାଯ୍ୟର ଦାବି କଲେ । ଓଡ଼ିଶା ଡିଭିଜନର କମିଶନର ଗ୍ରୁନିଂ ସାହେବ ତାହା ସତ୍ୟ ନୁହେଁ ବୋଲି ପ୍ରତିବାଦ କଲେ । ସେତିକି ବେଳେ ଗୋପବନ୍ଧୁ ତାଙ୍କ ପାଖରେ ଥିବା ରୁମାଲରୁ କୋରାଏ ମୁଠି ଶାଗ ଓ ମୁଠାଏ ଖୁଦକୁଣ୍ଡା କାଢି ସଭ୍ୟମାନଙ୍କୁ ଦେଖାଇ ନିଜେ କାନ୍ଦି ପକାଇଲେ ଏବଂ ବଳିଷ୍ଠ ଭାବରେ ଉପସ୍ଥାପିତ କଲେ –

“If any human being in an unknown corner on this province within the Grat Empire of this majesty dies for want of food, I think that his blood will upon me and upon all those who are directly or indirectly responsible for conducting the administration. ତାଙ୍କର ଏହା ଶକ୍ତିଶାଳୀ ମନ୍ତବ୍ୟ ପରେ ପ୍ରପୀଡିତଙ୍କୁ ସାମାନ୍ୟ ମୁଠି ଚାଉଳ ଦେବାର ବ୍ୟବସ୍ଥା ହୋଇଥିଲା ।


କେବଳ ଏତିକି ନୁହେଁ,  ଶିକ୍ଷାର ନୂତନ ଆଭିମୁଖ୍ୟ ନେଇ ଗୋପବନ୍ଧୁ ସତ୍ୟବାଦୀରେ ଯେଉଁ ବନ ବିଦ୍ୟାଳୟ ସୃଷ୍ଟି କରିଥିଲେ,ତାହାକୁ ଜାତିର ଜନକ ମହାତ୍ମା ଗାନ୍ଧୀ ପ୍ରଶଂସା କରି ମଧ୍ୟ ରହିପାରିନଥିଲେ । ମଣିଷ ତିଆରି କାରଖାନା ନାମରେ ପରିଚିତ ଏହି ବିଦ୍ୟାଳୟଟି ଗୁଣାତ୍ମକ ଶିକ୍ଷା ସହ ଧନ୍ଦାମୂଳକ ଶିକ୍ଷା ଦେଉଥିଲା । ଏଥିରୁ ଅନୁମେୟ ଗୋପବନ୍ଧୁ ଭବିଷ୍ୟତର ଦକ୍ଷତା ଭିତ୍ତିକ ଶିକ୍ଷାର ପରିକଳ୍ପନା କରିପାରିଥିଲେ । 

ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଦୈନିକ 'ସମାଜ' ଅତୀତରେ ନେଇଥିବା ଭୂମିକା ଉତ୍କଳର ମୁଖକୁ ଉଜ୍ଜ୍ଜଳ କରିଥିଲା । ଏଥିପାଇଁ ତାଙ୍କୁ ଅନେକ ଥର ଅସହ୍ୟ ଯନ୍ତ୍ରଣା ଏବଂ ବନ୍ଦୀବସ୍ଥାରେ ରହିବାକୁ ପଡ଼ିଥିଲା ।  ତେବେ ଆଜି ତାଙ୍କ ପୁଣ୍ୟ ଜୟନ୍ତୀ ତଥା ସେବା ଦିବସରେ ତାଙ୍କର ଲିଖିତ ପଙକ୍ତି କହିବା ବହୁଲ୍ୟ ହେବ । ସେ ଲେଖିଥିଲେ –

ମାନବ ଜୀବନ ନୁହଁଇ କେବଳ

ବର୍ଷ, ମାସ, ଦିନ, ଦଣ୍ଡ ।

କର୍ମେ ଯିଏ ନର କର୍ମ ଏକା ତାର ଜୀବନର ମାନଦଣ୍ଡ

ଆଜି ଦେଶରୁ ଶାସନ ଅପସରି ଯାଇଛି । ମାତ୍ର ସେହି ଶାସନରେ ଅତ୍ୟାଚାରିତ ଗୋପବନ୍ଧୁ ଆଜି ବି ଅମର ଓ ଚିର ନମସ୍ୟ । 

-ସତ୍ୟଜିତ୍ ସାମଲ


Comments

Popular posts from this blog

Blog No - 49 ‘ଦୀର୍ଘ ୧୪ ବର୍ଷ ପରେ ଏକାଠି’

Blog No 51 - Happy BirthDay Super Star

‘ପଟ୍ଟଚିତ୍ର ଅନୁଭବ, ଶିଳ୍ପୀ ମହାନୁଭବ’

ସ୍ମୃତି ସେ ଦିନର

ବିଶ୍ୱ ଘରଚଟିଆ ଦିବସ : ମୋ ଟିକି ଚଢେଇ

Story Blog No - 50 ଚିକେନ୍ ପକୋଡା

ଓଡ଼ିଶା ଗଣମାଧ୍ୟମରେ AI

୧୯୮୨ ବନ୍ୟା : ସେହି ଅଗଷ୍ଟ ମାସ ଖୁଦୁରୁକୁଣୀ ଓଷାରେ ବାଙ୍କୀବାସୀଙ୍କ ବିକଟାଳ ଚିତ୍କାର

‘ଅର୍ଗସ’