Blog No -47: ସାଧନା ଓ ସଂଗ୍ରାମରୁ ଦେବୀ, ପର୍ବତ ମଝିରେ ଦୁଇ ଭଉଣୀ

(ନବରାତ୍ରି ଉପଲକ୍ଷେ)

କୁହାଯାଏ ମନୁଷ୍ୟ କର୍ମରୁ ମହାନ ହୁଏ ଏବଂ ସାଧନାରୁ ଇଶ୍ୱର । ଏହିପରି ଭାବରେ ଉଦାହରଣ ହୋଇଛନ୍ତି ଦୁଇ ଭଉଣୀ । ବରୁଣେଇ ଓ କରୁଣେଇ । ଇଂରେଜ ସରକାରଙ୍କ ବିରୁଦ୍ଧରେ ଅସ୍ତ୍ର ଉଠାନ୍ତି ଏବଂ ସେମାନଙ୍କୁ ହତ୍ୟା କରନ୍ତି । ପରବର୍ତ୍ତୀ ସମୟରେ ପୂଜିତ ହୁଅନ୍ତି ଐତିହାସିକ ପାଇକ ମାଟି ଖୋର୍ଦ୍ଧା ଗଡ଼ର ପାଦଦେଶରେ । ନାଁଟି ହେଉଛି ବରୁଣେଇ ପୀଠ । ସବୁଜ ବଳୟ ଏବଂ ପର୍ବତର ମଝି ଭାଗରେ ଅବସ୍ଥାପିତ ହୋଇଛି ମନ୍ଦିରଟି । ଏପରି ଏକ ସ୍ଥାନ, ଯାହାର ପ୍ରମୁଖ ଆକର୍ଷଣ ପ୍ରକୃତି ଓ ସୁନ୍ଦର ଶୀତଳ ପରିବେଶ । 

ଏକ ରବିବାର ଅନିର୍ଦ୍ଧାରିତ ପ୍ରାକ୍ ଯୋଜନାରେ ନବରାତ୍ରିର ପବିତ୍ର ଅବସରରେ ବିନା କୌଣସି ଦ୍ୱିଧାରେ ପହଞ୍ଚିଗଲି ଶକ୍ତିପୀଠ ବରୁଣେଇର ମୁଖ୍ୟ ରାସ୍ତାରେ । ସେଠାରୁ ପ୍ରାୟ ୨ କିମି ସିଧା ରାସ୍ତାରେ ପଡେ ମନ୍ଦିରଟି । ମୁଖ୍ୟ ରାସ୍ତାରେ ଆଗମନ କଲାବେଳେ ପର୍ବତଟି ଗଗନକୁ ସ୍ପର୍ଶ କରୁଥିବା ମନରେ ଅନୁଭବ ହେବ ନିଶ୍ଚୟ । ପୁରାତନ ଏବଂ ପାଇକ ବିଦ୍ରୋହର ଇତିହାସକୁ ବାଖ୍ୟା କରୁଥିବା ମନ୍ଦିରଟି ଫେରି ପାଇଛି ପୁରାତନ ସୌନ୍ଦର୍ଯ୍ୟ । ପରିବେଶଟି ଖୁବ ମନୋରମ । ନିଜକୁ ହଜାଇ ଦେବା ଭଳି ସ୍ଥାନଟିଏ । ପ୍ରାୟ ୨୦୦ଟି ଷ୍ଟେପରେ କଳା ରଙ୍ଗର ମାର୍ବଲ ପାହାଚ ଚଢୁ ଚଢୁ ବାମ ପାର୍ଶ୍ୱରେ ପାଣିର କୂଳ କୂଳ ନାଦ କର୍ଣ୍ଣକୁ ସନ୍ତୋଷ ପ୍ରଦାନ କରିବ ଏବଂ ଆଗକୁ ଯିବା ପାଇଁ ବ୍ୟାକୁଳ କରାଇବ, ଯାହା ସ୍ୱର୍ଗ ଗଙ୍ଗା ନାମରେ ପ୍ରବାହିତ । ଏତିକି ବେଳେ ଆଖିର ନଜର ପଡିବ ବାମ ପାର୍ଶ୍ୱ କୋଣରେ ଥିବା କ୍ଷୁଦ୍ର ପୋଖରୀ ଉପରେ । ଚାରିଆଡେ ଆବାଳବୃଦ୍ଧବନିତାଙ୍କ ଦ୍ୱାରା ଆୟୋଜନ ହୋଇଅଛି ଭୋଜିର ଆସର ।

ମସ୍ତିଷ୍କକୁ ଟିକେ ଉପରକୁ ଅନାଇବା ପରେ ଡାହାଣ ପାର୍ଶ୍ୱରେ ଥାଏ ବରୁଣେଇ କରୁଣେଇଙ୍କ ପୀଠ । ଦେଖିଲି ଯୁଦ୍ଧ ବେଶରେ ସୁସଜ୍ଜିତ ହୋଇ ମନ୍ଦିରରେ ପୂଜା ପାଉଛନ୍ତି ଦୁଇ ଭଉଣୀ ବରୁଣେଇ ଓ କରୁଣେଇ । କଳାମୁଗୁନି ପଥର ୧୮ ଇଞ୍ଚର ମୂର୍ତ୍ତି ନିର୍ମିତ ସିଂହାସନରେ ପୂଜା ପାଉଛନ୍ତି ମାବରୁଣେଇ ଏବଂ ସିଂହାସନର ଡାହାଣ ପାର୍ଶ୍ଵରେ ପୂଜା ପାଉଛନ୍ତି କରୁଣେଇ । 

କିମ୍ବଦନ୍ତୀ କହୁଛି ଦୁଇ ଭଉଣୀ ଥିଲେ ସ୍ୱତନ୍ତ୍ରତା ସଂଗ୍ରାମର ନାରୀ ଶକ୍ତି ଓ ମହାନାୟିକା ମଧ୍ୟରୁ ଅନ୍ୟତମ । ଦେବୀ ବରୁଣେଇ କରୁଣେଇ ଇଂରେଜ ସରକାରଙ୍କ ବିରୁଦ୍ଧରେ ଓଡିଶାର ଗଜପତିଙ୍କୁ ସହାୟତା କରିଥିଲେ । ଏହି ଦୁଇ ଭଉଣୀ ଦୁର୍ଗ ମଧ୍ୟରେ ରହି ଅଣ-ଓସାରିଆ ପ୍ରାଚୀର ମଧ୍ୟରେ ପ୍ରବେଶ କରୁଥିବା ଇଂରେଜମାନଙ୍କୁ ହତ୍ୟା କରୁଥିଲେ । ଭୂମି ବା ଜନତାଙ୍କୁ ଯୁଗ ଯୁଗ ଧରି ସୁରକ୍ଷା ଦେଉ ଆସୁଛନ୍ତି ଦୁଇ ଦେବୀ । ଅନ୍ୟଥା ଇତିହାସ ବା ସରକାରଙ୍କ ତଥ୍ୟ କହୁଛି ରାଜା ରାମଚନ୍ଦ୍ର ଦେବଙ୍କ ଦ୍ୱାରା ମନ୍ଦିରଟି ନିର୍ମିତ ହୋଇଛି । ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ କୁହାଯାଉଥିବା ୧୮୧୭ ମସିହାର ସଶସ୍ତ୍ର ସଂଗଠିତ ପାଇକ ବିଦ୍ରୋହ ଲଢିବା ପୂର୍ବରୁ ଜୟୀ ରାଜଗୁରୁ ଓ ବକ୍ସି ଜଗବନ୍ଧୁ ଦୁଇ ଦେବୀଙ୍କ ଆଶୀର୍ବାଦ ନେଇଥିଲେ । 

https://x.com/dpradhanbjp/status/1535590371148713985

ଏଠାରେ ଉଲ୍ଲେଖଯୋଗ୍ୟ, ଏହି ସ୍ଥାନରୁ ଆରମ୍ଭ ହୋଇଥିବା ପାଇକ ବିଦ୍ରୋହର ସ୍ମୃତିକୁ ସ୍ମରଣ ରଖିବା ନିମନ୍ତେ ସମ୍ବଲପୁର ସାଂସଦ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ପାହାଡର ପାଦଦେଶରେ ସ୍ମାରକୀ ପାଇଁ ଡିସେମ୍ବର ୨୦୧୮ରେ ଶିଳାନ୍ୟାସ କରାଯାଇଥିଲା। 

ମା' ବରୁଣେଇଙ୍କ ପୁଣ୍ୟ ପୀଠ ଓ ପ୍ରାକୃତିକ ସୌନ୍ଦର୍ଯ୍ୟସ୍ଥଳୀ ଭାବେ ଓଡ଼ିଶା ସରକାରଙ୍କ ଠାରୁ ମାନ୍ୟତା ପାଇଥିବା ଏହି ସ୍ଥାନରେ ରଜପର୍ବରେ ବହୁତ ଭିଡ ହୁଏ । ସେହି ତିନି ଦିନରେ ଦୈନିକ ପ୍ରାୟ ୭୦ ହଜାର ଲୋକମାନେ ଏହି ମନ୍ଦିରକୁ ଦେବୀଙ୍କ ଆଶୀର୍ବାଦ ନେବା ପାଇଁ ଆସିଥାନ୍ତି । ଦେବୀଙ୍କ ପାଖରେ ଦୈନିକ ବିଭିନ୍ନ ପ୍ରକାରର ଓଡ଼ିଶାର ପାରମ୍ପରିକ ପିଠା ଓ କ୍ଷୀରି ଭୋଗ କରାଯାଏ । 

ତେବେ ମନ୍ଦିରର ଅଗ୍ରଭାଗରେ ସୀତାକୁଣ୍ଡ ଏବଂ ଏକ ଗୁମ୍ଫା ମଧ୍ୟ ରହିଛି । ଯେଉଁଠି ମାତା ସୀତା, ପ୍ରଭୁ  ଶ୍ରୀରାମ, ଲକ୍ଷ୍ମଣ ଏବଂ ବଜରଙ୍ଗୀ ହନୁମାନ ପୂଜା ପାଉଛନ୍ତି । ପାହାଡିଆ ଜାଗା ଥିବାରୁ ଏହି ସ୍ଥାନଟିକୁ ପ୍ରାୟ ୨ କିମି ଗଡାଣିଆରୁ ଉଚ୍ଚାଣିଆ ରାସ୍ତା ଦେଇ ବହୁ କଷ୍ଟରେ ଯିବାକୁ ପଡେ ଏବଂ ପରେ ଜଙ୍ଗଲ ରାସ୍ତା ଦେଇ ପ୍ରାୟ ଏକ କିମି ଯିବାକୁ ହୁଏ । ମୋ ପକ୍ଷେ ତ ସେଠାକୁ ଯିବା ସମ୍ଭବ ନ ଥିଲା କିନ୍ତୁ ଆପଣମାନେ ଯାଇ ସେହି ସବୁଜ ପରିବେଶ ଏବଂ ଆଜ୍ଞାତ ଇତିହାସକୁ ଅନୁଭବ କରିପାରିବେ ।

ଲେଖକ - ସତ୍ୟଜିତ ସାମଲ

Comments

Popular posts from this blog

Blog No - 49 ‘ଦୀର୍ଘ ୧୪ ବର୍ଷ ପରେ ଏକାଠି’

Blog No 51 - Happy BirthDay Super Star

‘ପଟ୍ଟଚିତ୍ର ଅନୁଭବ, ଶିଳ୍ପୀ ମହାନୁଭବ’

ସ୍ମୃତି ସେ ଦିନର

Blog No - 48 : ସୁଆଣ୍ଡୋରୁ ଜାତିର ଚରିତ୍ର, ସେବାର ମୂର୍ତ୍ତିମନ୍ତ ମହାନାୟକ

ବିଶ୍ୱ ଘରଚଟିଆ ଦିବସ : ମୋ ଟିକି ଚଢେଇ

Story Blog No - 50 ଚିକେନ୍ ପକୋଡା

ଓଡ଼ିଶା ଗଣମାଧ୍ୟମରେ AI

୧୯୮୨ ବନ୍ୟା : ସେହି ଅଗଷ୍ଟ ମାସ ଖୁଦୁରୁକୁଣୀ ଓଷାରେ ବାଙ୍କୀବାସୀଙ୍କ ବିକଟାଳ ଚିତ୍କାର

‘ଅର୍ଗସ’