Blog No 51 - Happy BirthDay Super Star



ବହୁତ କମ୍ ଲୋକ ଜାଣିଥିବେ । କାରଣ, ତାଙ୍କ ବିଷୟରେ ହୁଏତ କେହି ଲେଖିନାହାନ୍ତି କିମ୍ବା କେହି ଜଣାଇନାହାନ୍ତି । ବାପାଙ୍କ କ୍ୟାରିୟରର ଜୀବନଯାତ୍ରା ଆରମ୍ଭ ହୁଏ ଜଣେ ଗଣିତ ଶିକ୍ଷକରୁ । ତାଙ୍କର ବାପା ଅର୍ଥାତ୍ ମୋର ଜେଜେ ବାପା କଟକରେ ପୋଲିସ ଚାକିରି କରିଥିବାରୁ ସେ ମଧ୍ୟ ଏହି ରୌପ୍ୟ ସହରରେ ଆରମ୍ଭ କରନ୍ତି ଶିକ୍ଷକତା ବୃତ୍ତି । ଏକାଧାରରେ ଜଣେ ଶିକ୍ଷକ, ସମାଜସେବୀ, ବ୍ୟବସାୟୀ ଏବଂ ସବୁଠୁ ବଡ କଥା ଜଣେ କ୍ରିକେଟପ୍ରେମୀ ମଧ୍ୟ । ମୋର ଫେସବୁକର ଫ୍ରେଣ୍ଡ୍ ଲିଷ୍ଟରେ ସବୁ ବନ୍ଧୁମାନଙ୍କୁ ମିଶାଇ ଯଦି କ୍ରିକେଟ୍ ପ୍ରେମର ପରିସଂଖ୍ୟାନ ମିଶାଯାଏ, ତେବେ ତାଙ୍କର କ୍ରିକେଟ୍ ପ୍ରେମ ଆଗରେ ଫିକା ପଡିବ । ହୁଏତ ଏହି ଯୋଶରେ ସେ ଆମ ଗାଁରେ ତାଙ୍କର ସାଙ୍ଗମାନଙ୍କୁ ନେଇ ପଥର କାଟି କ୍ରିକେଟ୍ ଖେଳ ପଡ଼ିଆ ତିଆରି କରିଥିଲେ, ଏ ସମ୍ପର୍କରେ ମୁଁ ଖୁବ ଶୀଘ୍ର ତାଙ୍କ ଜୀବନୀ ବିଷୟରେ ବ୍ଲଗ ଲେଖିଲେ ଆପଣମାନେ ଜାଣିବେ । 

ଚୁମ୍ବକରେ କହି ରଖେ କି 1999 ମହାବାତ୍ୟା ସମୟରେ ସେ ସାଥୀମାନଙ୍କୁ ନେଇ ଗାଁର ଘର ଘର ବୁଲି ସମସ୍ତଙ୍କୁ ସାହାଯ୍ୟ କରୁଥିଲେ । ଆମ ଗାଁ ବଜାରର କେନ୍ଦ୍ରସ୍ଥଳୀରେ ତାଙ୍କ ଦ୍ୱାରା ଆରମ୍ଭ ହୁଏ ଏକ ବସ୍ତ୍ର ଦୋକାନ, ଯାହା ଶ୍ରୀଜଗନ୍ନାଥ ଭେରାଇଟି ଷ୍ଟୋର୍ ଏବଂ ପରେ ମାଆ ତାରିଣୀ ବସ୍ତ୍ର ଭଣ୍ଡାରରେ ନାମିତ ହୁଏ । ଯେତେବେଳେ ଗାଁରେ ଯୋଗାଯୋଗର ବହୁତ ସମସ୍ୟା ଥିଲା, ସେତେବେଳେ ବାଙ୍କୀ ଉପଖଣ୍ଡରେ ପ୍ରଥମ ଥର ପାଇଁ ଦୋକାନରେ STD, ISD, PCOର ବ୍ୟବସ୍ଥା କରିଥିଲେ । ଆଉ ଏକ କଥା ମନେପଡେ, ଗୋଟିଏ ଚୁଡ଼ା ବସ୍ତା ଭର୍ତ୍ତି ଗାଡ଼ିରୁ ଗୋଟିଏ ଚୂଡ଼ା ବସ୍ତା ଆମ ଦୋକାନ ଆଗରେ ପଡେ । ସେହି ଗାଡ଼ି ଚାଳକଙ୍କ ସହ ଯୋଗାଯୋଗ ହୋଇ ନପାରିବାରୁ ବାପା ସେହି ଚୂଡା ବସ୍ତାର ବିକ୍ରୟ ଅର୍ଥରେ ଗାଁର କିଛି ସାଙ୍ଗମାନଙ୍କ ସହ ଭୋଜି କରିଥିଲେ । ଆଚମ୍ବିତ ନିଶ୍ଚୟ, ମାତ୍ର 30 ବର୍ଷ ବୟସରେ ସେ ଏକ ମହିନ୍ଦ୍ରା ଗାଡ଼ି ଆଣି ତାହାକୁ ବ୍ୟବସାୟରେ ଲଗାଇସାରନ୍ତି। 


ଆଉ ଗୋଟିଏ କଥା । ସେତେବେଳେ ଦଶମ ରେଜଲ୍ଟ ଏବେ ପରି ତତକ୍ଷଣାତ୍ ଇଣ୍ଟରନେଟରେ ନୁହେଁ ବରଂ ଆଗରୁ ଏକ ପୁସ୍ତକ ଆସେ, ଯେଉଁ ପୁସ୍ତକକୁ ସେ ତାଙ୍କ ଭାଇ ବା କଟକରେ ରହୁଥିବା ମୋର ଦାଦାଙ୍କୁ ପଠାଇ ବୋର୍ଡ କାର୍ଯ୍ୟାଳୟରୁ କିଣିଆଣନ୍ତି । ଗାଁରେ ଦଶମ ଶ୍ରେଣୀ ଦେଇଥିବା ପିଲାମାନେ ଆମ ଦୋକାନକୁ ଆସନ୍ତି ରେଜଲ୍ଟ ଜାଣିବା ପାଇଁ । ବାପା ଫୋନରେ ଦାଦାଙ୍କୁ ସେହି ପିଲାର ରୋଲ୍ ନମ୍ବର ପଚାରି ସେହି ପିଲାଙ୍କ ରେଜଲ୍ଟ କୁହନ୍ତି । ଏହାକୁ ଆରମ୍ଭ କରିବାରେ ବାପା ହେଉଛନ୍ତି ଆମ ଗାଁରେ ପ୍ରଥମ ।

କହିବାକୁ ଭୁଲି ଯାଇଛି, ସେ ବହୁତ କମ ବୟସରେ ଶିକ୍ଷକ ବୃତ୍ତି ପରେ ଏଲଆଇସି ଏଜେଣ୍ଟ୍ ଭାବରେ ପ୍ରବେଶ କରନ୍ତି ମାତ୍ର ସଫଳ ନହେବାରୁ ବ୍ୟବସାୟ ଉପରେ ଧ୍ୟାନ ଦିଅନ୍ତି । ମାତ୍ର ବିଧିର ବିଧାନ କିଏ ବା ଜାଣିଛି, ସେହି ଏଲଆଇସି ବୃତ୍ତିକୁ ପୁଣି ଥରେ ଆପଣାନ୍ତି ଏବଂ ଅଦ୍ୟାବଧି ସେ ଜଣେ ଇନସ୍ୟୁରାନ୍ସ ଆଡଭାଇଜର ଭାବେ କାର୍ଯ୍ୟରତ, ଯାହାଙ୍କ ଅଧୀନରେ ଅନେକ କର୍ମଚାରୀ କାମ କରୁଛନ୍ତି ।  


ମୋର କଥା କଣ କହିବି, ଥରେ ପ୍ରଥମ ଶ୍ରେଣୀର ପରୀକ୍ଷା ଦେଉଥିବା ବେଳେ ମୋତେ କହିଲେ ତୁ ଭଲ ପାଠ ପଢେ, ଯାହା ମାଗିବୁ ସବୁ ଦିଆଯିବ ଏବଂ ପରେ ମୁଁ ଦ୍ୱିତୀୟ ଶ୍ରେଣୀରେ ସ୍କୁଲରେ ପ୍ରଥମ ସ୍ଥାନ ଅଧିକାର କରିଥିଲି । ସେହି ଖୁସିରେ ବାପା ସ୍କୁଲକୁ ଆସି ମୋତେ କହିଲେ ତୋ ପାଇଁ ହରଲିକ୍ସ ଆଣିଛି । ହରଲିକ୍ସ କହିଲେ, ମୋ ପାଇଁ ସେତେବେଳର ଗୋଟିଏ ହୀରା । ସେହି ଖୁସିର ଭାବକୁ ବର୍ଣ୍ଣନା କରି ହେବନାହିଁ ।

 ଆଉ ଏକ ଦୁଃଖ ସମୟ । କୋଭିଡ୍ ସମୟରେ ବାପାଙ୍କୁ କୋଭିଡ୍ ହେଲା । ଦୀର୍ଘ 10ରୁ 15 ଦିନ ହେବ କଥାକହିନାହାନ୍ତି, ମୁଁ ବ୍ୟସ୍ତ ହେବି ବୋଲି ମୋତେ ଏ ବିଷୟରେ କେହି ଜଣାଇନଥିଲେ । ଯେତେବେଳେ ତାଙ୍କୁ ସମ୍ ହସ୍ପିଟାଲରେ ଭର୍ତ୍ତି କରାଗଲା, ସେ ସମୟରେ ମୁଁ ମୋର ଜୀବନରେ ପ୍ରଥମ ଥର ପାଇଁ ନ୍ୟୁଜ୍ ଟାଇପିଂ କରିବା ପାଇଁ ଅକ୍ଷମ ଥିଲି । ବାପରେ । ତେବେ ଯେତେବେଳେ ଧିରେ ଧିରେ ବାପା ସୁସ୍ଥ ହୋଇଆସିଲେ, ତାଙ୍କର ପ୍ରଥମ ହ୍ୱାଟ୍ସଆପ୍ ମେସେଜ୍ ମୋତେ ଥିଲା ଭଲ ଅଛୁ, ଜିନୁ(ଭାଇ) କେମିତି ଅଛି ?


ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ 45ରୁ ଅଧିକ ଲୋକଙ୍କୁ ପ୍ରତ୍ୟକ୍ଷ ଭାବେ ରକ୍ତଦାନ ଦେଇଛନ୍ତି, ଏଥିପାଇଁ ନା ସେ କହିବୁଲନ୍ତି ନା କେହି ଜାଣନ୍ତି । ସେ ହେଉଛନ୍ତି ଜଣେ ଅଜଣା ନିଃସ୍ୱାର୍ଥପର ସେବକ । ମୋର ବାପା ଜିତେନ୍ କୁମାର ସାମଲ । ଏପରି ସ୍ୱଭାବ ରଖୁଥିବା ସେହି ମହାନ ମଣିଷଙ୍କୁ ଜନ୍ମଦିନ(29 ମଇ 2025) ର ଅନେକ ଶୁଭେଚ୍ଛା । ତାଙ୍କର ଜୀବନୀ ଉପରେ ଖୁବ ଶୀଘ୍ର ଏକ ବ୍ଲଗ ଆଣୁଛି ।

- ସତ୍ୟଜିତ୍ ସାମଲ 


Comments

Popular posts from this blog

Blog No - 49 ‘ଦୀର୍ଘ ୧୪ ବର୍ଷ ପରେ ଏକାଠି’

‘ପଟ୍ଟଚିତ୍ର ଅନୁଭବ, ଶିଳ୍ପୀ ମହାନୁଭବ’

ସ୍ମୃତି ସେ ଦିନର

Blog No - 48 : ସୁଆଣ୍ଡୋରୁ ଜାତିର ଚରିତ୍ର, ସେବାର ମୂର୍ତ୍ତିମନ୍ତ ମହାନାୟକ

ବିଶ୍ୱ ଘରଚଟିଆ ଦିବସ : ମୋ ଟିକି ଚଢେଇ

Story Blog No - 50 ଚିକେନ୍ ପକୋଡା

ଓଡ଼ିଶା ଗଣମାଧ୍ୟମରେ AI

୧୯୮୨ ବନ୍ୟା : ସେହି ଅଗଷ୍ଟ ମାସ ଖୁଦୁରୁକୁଣୀ ଓଷାରେ ବାଙ୍କୀବାସୀଙ୍କ ବିକଟାଳ ଚିତ୍କାର

‘ଅର୍ଗସ’