ବିଶ୍ୱ ଘରଚଟିଆ ଦିବସ : ମୋ ଟିକି ଚଢେଇ
ଛୋଟ ଥିଲି ଆଉ ଘରେ ଗେହ୍ଲବସର ମଧ୍ୟ । ସବୁ ପିଲାଙ୍କ ପରି ଦୁଷ୍ଟ ନଥିଲେ ମଧ୍ୟ ଖାଇବା ସମୟରେ ବେଳେ ବେଳେ ମୋର ଫରିବି କୁଆଡେ ବାହାରେ ବୋଲି ମମି କୁହେ । ଦିନେ, ମୋର ଦେହ ଖରାପ ଥିବାରୁ ଜିଦ୍ ଧରିଲି ଖାଇବିନି ବୋଲି । ମମିର ଅନେକ ପ୍ରଲୋଭନ ସତ୍ତ୍ୱେ ମୋର ଏକା ଜିଦ୍ ମୁଁ ଖାଇବିନି ମାନେ ଖାଇବିନି । ତା’ ପରେ ବୁଦ୍ଧିମତୀ ମମି ମୋର କଣ କଲା ! ଆମ ଘର ଆଗ ପିଜୁଳି ଗଛରେ ବସିଥିବା ଘରଚଟିଆକୁ ଗୋଟେ ସୂତାରେ ବାନ୍ଧି ମୋ ହାତରେ ଧରେଇ ଦେଲା । ଆ ପରେ ଆଉ କଣ... ମୁଁ ହାଉଁ ହାଉଁ କରିକି ତାଟିଆଏ ଡାଲମା ଗୋଳା ଭାତ ଖାଇଦେଲି । ସେବେଠାରୁ ସେ ମୋ ସାଙ୍ଗ । ସ୍ନେହରେ ତାକୁ ମୁଁ ଟିକି ଚଢେଇ ଡାକେ । ତାର ଚିକିରିମିକିରିକୁ ମୋର କୂଆଁ କୂଆଁ ଶବ୍ଦ । ନଦେଖିଲେ ତାକୁ ମୋର ଖାଇବା ବି ବନ୍ଦ । ମୁଁ ଯାହା ବି ଖାଏ ତାକୁ ବି ଖୁଆଏ । ତେବେ ଦିନେ ମୁଁ ଅଙ୍ଗନବାଡିରୁ ଆସି ଦେଖ ତ ସେ ଘରେ ନାହିଁ । ବାନ୍ଧା ଯାଇଥିବା ସୂତା ଛିଡିଯାଇଛି । ବହୁତ ଖୋଜିଲି କିନ୍ତୁ ମିଳିଲାନି । ପରିଶେଷରେ ଜେଜେ ମାଆ ବୁଝାଇଲା କି ସେ ତା’ ମା ପାଖକୁ ଯାଇଛି, ଆସିଯିବ।
20 ବର୍ଷ ତଳର ଅପେକ୍ଷା ଆଜି ବି ଅଛି କିନ୍ତୁ ଏବେ ଏହି ପ୍ରଜାତିର ପକ୍ଷୀ ବିଲୁପ୍ତ ପ୍ରାୟ । ପ୍ରକୃତିର ସ୍ରୋତରେ କେବଳ ଛାୟା ହୋଇ ରହିଛି ଘରଚଟିଆ। ଏବେ ଅପେକ୍ଷା ସେମାନଙ୍କ ଭଳି ପକ୍ଷୀଙ୍କୁ ସାହାରା ଦେବାକୁ, ଜଙ୍ଗଲରେ ନିରାପଦରେ ଆଶ୍ରୟ ଦେବାକୁ, ପ୍ଲାଷ୍ଟିକ୍ ବଦଳରେ ସେମାନଙ୍କ ମନପସନ୍ଦର ଫଳମୂଳ ଦେବାକୁ...

Comments
Post a Comment