୧୯୮୨ ବନ୍ୟା : ସେହି ଅଗଷ୍ଟ ମାସ ଖୁଦୁରୁକୁଣୀ ଓଷାରେ ବାଙ୍କୀବାସୀଙ୍କ ବିକଟାଳ ଚିତ୍କାର
![]() |
| Photo Credit - India Today |
ପ୍ରାକୃତିକ ଦୁର୍ବିପାକର ଚିର ସହଚର ଓଡ଼ିଶା । ୧୯୩୬ ଏପ୍ରିଲ ୦୧, ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବା ପର ଠାରୁ ସାମୁଦ୍ରିକ ବାତ୍ୟା, ମହାବାତ୍ୟା, ବନ୍ୟା, ଦୁର୍ଭିକ୍ଷ ଏଭଳି ଅନେକ ଉତଥାନ ପତନ ଭିତରେ ଓଡ଼ିଶା ଆଜି ଅଗ୍ରସର । ତନ୍ମଧ୍ୟରୁ ୧୮୮୬ର ନଅଙ୍କ ଦୁର୍ଭିକ୍ଷ, ୧୯୮୨ ବନ୍ୟା, ୧୯୯୯ ମହାବାତ୍ୟା, ୨୦୧୩ ଫାଇଲିନ, ୨୦୧୪ ହୁଡ଼ହୁଡ ଓ ୨୦୧୯ ଫନୀ ଅନ୍ୟତମ । ଏହି ସବୁ ବିଧ୍ୱଂସୀ ବିପର୍ଯ୍ୟୟ ଦ୍ୱାରା ଉତ୍କଳବାସୀ ହୋଇଛନ୍ତି କ୍ଷତାକ୍ତ ଓ ବିକଳାଙ୍ଗ । ମାତ୍ର ସେହି ହୁ ହୁ ଚିତ୍କାରକୁ ପୁଣି ଥରେ ଜୀବିତ କରିଛି ବର୍ତ୍ତମାନର ବନ୍ୟା ସ୍ଥିତି । ସ୍ୱଳ୍ପ କିମ୍ବା ମଧ୍ୟମ ନୁହେଁ ଭୟଙ୍କର ବନ୍ୟାରେ ଟଳମଳ ହେଉଛି ରାଜ୍ୟର ଅନେକ ଜିଲ୍ଲା ଏବଂ ଜଳବନ୍ଦୀରେ ଅନେକ ଗ୍ରାମ । ଏବେ ବନ୍ୟା ଅଞ୍ଚଳରେ ପ୍ରପୀଡ଼ିତଙ୍କ ସ୍ୱରକୁ ଆଧୁନିକ ଗଣମାଧ୍ୟମ ଶାଣିତ ସ୍ୱରରେ ଉଠାଉଛି ସତ କିନ୍ତୁ ଏହି ସମୟରେ ଅତୀତର ଭୟଙ୍କର ବନ୍ୟାକୁ ସ୍ମୃତିଚାରଣ କରାଇବା ମଧ୍ୟ ନିତ୍ୟାନ୍ତ ପରିହାର୍ଯ୍ୟ । ଏହି ପୃଷ୍ଠଭୂମିରେ ୧୯୮୨ ନଦୀବଢ଼ିରେ ବାଙ୍କୀବାସୀ ସହିଥିବା ଯନ୍ତ୍ରଣା ତଥା କ୍ଷୁଧା ଓ ବଞ୍ଚିବା ମଧ୍ୟରେ କରିଥିବା ସଂଘର୍ଷକୁ ବର୍ଣ୍ଣନା କରିବା ମୋ ପାଇଁ ଆଲୋଚନାର ଏକ ପ୍ରେରକ ସାବ୍ୟସ୍ତ ହେବ ବୋଲି ମୁଁ ଭାବୁଛି ।
୧୯୮୨ ମସିହା । ରବିବାର
ଖୁଦୁରୁକୁଣୀ ଶେଷପାଳି ଓଷା । ବିଗତ କିଛି ଦିନର ଲଗାଣ ବର୍ଷା କାରଣରୁ ମହାନଦୀ, କାଠଯୋଡ଼ି, ସିଡୁଆ, ବିରୂପା, ସୁକ ପାଇକା, ଚିତ୍ରୋତ୍ପଳା, ଲୁଣା, ଗେଙ୍ଗୁଟି, ଦେବୀ, କନ୍ଦଳ, କଣ୍ଟିଶାଳ ଭଳି ନଈର
ପାଣି ଯୋରରେ ପ୍ରବାହିତ ହେଉଥିଲା । କାଁ ଭାଁ ରେଡ଼ିଓର ଚଳପ୍ରଚଳ ଓ ଅନ୍ୟ କୌଣସି ଖବର ପାଇବା
ଯନ୍ତ୍ର ନଥିବାରୁ କାହା ପାଖରେ କିଛି ଠୋସ୍ ସୂଚନା ନ ଥିଲା । ସେହି ଦିନ ଥିଲା ଅଗଷ୍ଟ ମାସର ଶେଷ
ତାରିଖ । ଇତିମଧ୍ୟରେ ଚାହୁଁ ଚାହୁଁ ମହାନଦୀର ବନ୍ୟା ଜଳ ବାଙ୍କୀ ବଜାର ମଧ୍ୟସ୍ଥ ରେଣୁକା
ନଦୀବନ୍ଧରେ ପ୍ରାୟ ଦୁଇଶହ ମିଟର ଘାଇ କରି ଅଞ୍ଚଳକୁ ଦୁଇ ଭାଗ କରି ଦେଇଥିଲା । ଆଖି ପିଛୁଳାକେ
ବାଙ୍କୀ ବଜାର ଆଡ଼କୁ ମାଡ଼ି ଆସିଥିଲା ହୀରାକୁଦର ଅକାତ ଜଳରାଶି । ଭୋ ଭୋ ଚିତ୍କାର, କ୍ରନ୍ଦନର ଧ୍ୱନି
ବାଙ୍କି ମାଟିକୁ ବ୍ୟସ୍ତବିବ୍ରତ କରିଦେଲା । ମୁଣ୍ଡକୁ ବୁଦ୍ଧି ଦିଶୁ ନ ଥାଏ । ବାଙ୍କୀରୁ
ନରସିଂହପୁର ଯାଏ ଅଞ୍ଚଳ ପାଣିରେ ଉବୁଟୁବୁ । ସବୁ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ । କଇମୁଣ୍ଡି, ଆଠଗଡ଼, ଜାତମୁଣ୍ଡିଆ, ନିସ୍ତିପୁର, ଇନ୍ଦୁମତିପାଟଣା, ଡମପଡ଼ା, ପାଥପୁର, କୁଶପାଙ୍ଗୀ, ହଇରାଜପୁର, ଶିମିଳିପୁର, ତିଗିରିଆ ସବୁ ଜଳମଗ୍ନ
। ନଦୀତୁଠକୁ ଗାଧେଇ ଯାଇଥିବା ଲୋକମାନେ ହୁଅନ୍ତୁ କିମ୍ବା ବଜାର ଯାଇଥିବା ଲୋକମାନଙ୍କ ଉପରେ
ବଜ୍ର ସଦୃଶ ଥିଲା ଏହି ବନ୍ୟା । ବନ୍ୟା ଠାରୁ ଭୟଙ୍କର ଥିଲା ଅଧିକାଂଶ ଘର ଭାଙ୍ଗିବା ଏବଂ ଖାଇବା
ସହ ଘରେ ଥିବା ସବୁ ଖାଦ୍ୟ ସାମଗ୍ରୀ ଭାସିଯିବା । ଲୋକଙ୍କ ଦୁର୍ଦ୍ଦଶା ଠାରୁ ବଡ଼ କାମ ଥିଲା
ନିଜର ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା । ହୁଏତ ଅଗଷ୍ଟ ୩୦ ଓ ୩୧ ତାରିଖ ବାଙ୍କୀ
ଅଞ୍ଚଳକୁ କଳା ବାଦଳର କଳା ଛାୟା ପଡ଼ିସାରିଥିଲା । ଆଉ ସବୁଠୁ ବଡ଼ କଥା ହେଉଛି, ବନ୍ୟା ପରର ଦୃଶ୍ୟ
ଆଶ୍ଚର୍ଯ୍ୟ ଚକିତ କଲା ଭଳି ଥିଲା ।
![]() |
| Credit - India Today (ରେଣୁକା ଘାଇ ସୃଷ୍ଟି ପରି ପ୍ରତୀକାତ୍ମକ ଚିତ୍ର, ଚିତ୍ରଟି କଟକ ମହୁଖଣ୍ଡ ଅଞ୍ଚଳର) |
ସେ ସମୟରେ ରାଜ୍ୟରେ
ଜେଭି ସରକାର ଅର୍ଥାତ୍ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶାସନ ଚାଲୁଥାଏ । ଅର୍ଥମନ୍ତ୍ରୀ ଥିଲେ
ରଘୁନାଥ ପଟ୍ଟନାୟକ । ଯେତେବେଳେ ସେ ଏପ୍ରକାର ସ୍ଥିତି ଦେଖିଲେ ସ୍ୱର୍ଗତ ଜେଭି ପଟ୍ଟନାୟକ
ଲୋକଙ୍କୁ ସତର୍କ କରାଇବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇଥିଲେ । ମାତ୍ର ତାଙ୍କ ସୂଚନା
ଗୁଡ଼ିକ ଜନସାଧାରଣଙ୍କ ପାଖରେ ପହଞ୍ଚିବା ପୂର୍ବରୁ ଅଧିକାଂଶ ଗ୍ରାମ ଜଳମଗ୍ନ ହୋଇସାରିଥିଲା ।
ସେ ସମୟରେ ଅର୍ଥମନ୍ତ୍ରୀ କହିଥିଲେ ଓଡ଼ିଶା ଉଭାନ ହୋଇଗଲା । ପରିସ୍ଥିତି ବହୁତ ଜଟିଳ ଅଛି ଏବଂ
ବନ୍ୟା ଛାଡ଼ିବା ପରେ ସ୍ଥିତି ଆହୁରି ସଙ୍ଗୀନ ହେବ । ଆଉ ତାହା ହିଁ ଘଟିଲା । ସାପ, ବେଙ୍ଗ ଅନ୍ୟାନ୍ୟ
ସରୀଶୃପଙ୍କ ଠାରୁ ଅଧିକ ଭୟଙ୍କର ଥିଲା ଭୋକରେ ଜୀବନଯାପନ । ଖାଦ୍ୟ ପାଇଁ ଜୀବନ ମରଣ ସଂଘର୍ଷର
କରୁଣ ଦୃଶ୍ୟ ଥିଲା ଛାତି ଥରାଇଦେବା ଭଳି ।
ସେତେବେଳେ ଶୁଖା ଖାଦ୍ୟ କହିଲେ ଚୂଡ଼ା ଓ ଗୁଡ଼କୁ ବୁଝାଉଥିଲା ଏବଂ ଲୋକମାନେ ଏହା ଉପରେ ଅତ୍ୟଧିକ ନିର୍ଭରଶୀଳ ଥିଲେ । କିନ୍ତୁ ସେ ସମୟରେ ବନ୍ୟା ପାଣି ହଠାତ୍ ମାଡ଼ି ଆସିବାରୁ କ୍ଷଣିକେ ଫସଲ ସବୁ ନଷ୍ଟ ହୋଇଯାଇଥିଲା । ସ୍ୱଳ୍ପ କିଛି ଥିବା ଦୋକାନ ସାମଗ୍ରୀ ଶୂନ୍ୟ ଏବଂ ଯାହା ପାଖରେ କିଛି ଥିଲା ସେ ସବୁ ସମୁଦ୍ରକୁ ଶଙ୍ଖେ । ଏପରି ବିପଦ ଘଡ଼ିରେ ବାଙ୍କୀ ଓ ଆଖପାଖ ଅଞ୍ଚଳର ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଥିଲା । ଲୋକମାନେ ଖାଇବା ପାଇଁ ବହୁତ କାକୁତିମୀନତି ଛଟପଟ ହେବାକୁ ପଡ଼ିଥିଲା । କାହା ପାଖରେ ସେତେ କିଛିଟା ନଥିଲା । ବନ୍ୟା ଛାଡ଼ିବା ପରେ ଯଦି ବି କେହି ଥିବା ଲୋକ କୁଣିଆ ଘରକୁ ଗାମୁଛାରେ ଚୂଡା, ଲିଆ ଓ ଗୁଡ଼ ନେଇକି ଯାଉଥିଲେ ବାଟରେ ତାକୁ କ୍ଷୁଧାର୍ତ୍ତମାନେ ଛଡ଼ାଇ ଖାଇବା ସହ ଲୁଟ୍ କରି ନେଉଥିଲେ । ବିଭୀଷିକାର ପାଞ୍ଚଦିନ ପରେ ଯବାନମାନେ କଟକର ବନ୍ୟା ପ୍ରଭାବିତ ଅଞ୍ଚଳରେ ବୋଟ୍ ସାହାଯ୍ୟରେ ୧୦୦ କେଜି ଚୁଡା ଏବଂ ଗୁଡ଼ ବାଣ୍ଟିବା ପାଇଁ ନଦୀକୂଳ ଲୋକଙ୍କ ପାଖରେ ପହଞ୍ଚିଥିଲେ । ମାତ୍ର ସମୁଦ୍ରକୁ ଶଙ୍ଖେ ପରି ବାଣ୍ଟିବାର କେଇ ମହୂର୍ତ୍ତରେ ସବୁ ଶେଷ ହୋଇଯାଉଥିଲା । ଲୋକମାନଙ୍କ ଯୋଡ଼ହସ୍ତରେ କରୁଣ ଚିତ୍କାର କନ୍ଦେଇ ଦେବା ଭଳି ଥିଲା । ଅନେକ ସ୍ଥାନରେ ଲୋକମାନେ ହିଂସାତ୍ମକ ହୋଇ ରିଲିଫ୍ ଟିମକୁ ଆକ୍ରମଣ କରି ସେମାନଙ୍କ ଠାରୁ ରିଲିଫ ସାମଗ୍ରୀ ଛଡ଼ାଇ ନେଉଥିଲେ । ସ୍ଥାନୀୟ ଜନପ୍ରତିନିଧି ଓ ମନ୍ତ୍ରୀ ମାନଙ୍କୁ ଲୋକମାନେ ଘେରିବା ସହ ଆକ୍ରମଣ କରିବାକୁ ବି ପଛାଇନଥିଲେ । ଅନେକ ସ୍ଥାନରେ ଦଙ୍ଗା ସୃଷ୍ଟି ମଧ୍ୟ ହେବାର ନଜିର ରହିଛି । ଆକାଶମାର୍ଗରୁ ରିଲିଫ ସାମଗ୍ରୀ ଦେବା ବେଳେ ସେ ସବୁ ଉପରେ ପଡ଼ି କିଛି ଲୋକଙ୍କ ଜୀବନ ଚାଲିଯାଇଥିଲା ବୋଲି ବର୍ତ୍ତମାନର ବୟସ୍କ ଲୋକଙ୍କ ଠାରୁ ଶୁଣିବାକୁ ମିଳେ ।
![]() |
| Samaja - Odia Daily dt 19.08.2022 |
କଟକ, ପୁରୀ, ବାଲେଶ୍ୱର, ଢ଼େଙ୍କାନାଳ ଏବଂ
କେନ୍ଦୁଝରର ସେହି ଉତ୍କଟ ଦୃଶ୍ୟ ବ୍ୟଥିତ କଲା ଭଳି ଥିଲା । ସରକାରୀ ତଥ୍ୟନୁସାରେ, ପ୍ରାଥମିକ
ରିପୋର୍ଟନୁଯାୟୀ ଏହି ବଢ଼ି ଦ୍ୱାରା ରାଜ୍ୟର ୮ଟି ଜିଲ୍ଲାର ୧୦୦ଟି ବ୍ଲକର ୧୦ ଲକ୍ଷରୁ ଅଧିକ ଲୋକ ବିଶେଷ ଭାବେ ପ୍ରଭାବିତ
ହୋଇଥିଲେ । ୫୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୨ ଜଣ ନିଖୋଜ ଥିଲେ । କେବଳ ୨୦ ହଜାର ଘର
ଭାଙ୍ଗିଥିଲା । ବଲାଙ୍ଗୀର, ଢ଼େଙ୍କାନାଳ, କଳାହାଣ୍ଡି ଏବଂ ସମ୍ବଲପୁରରେ ପୂର୍ବରୁ ଏଭଳି ବନ୍ୟା କେବେ
ହୋଇନଥିବା କୁହାଯାଏ ।
ଓଡ଼ିଶାରେ ବନ୍ୟା ପ୍ରବାହର
ଇତିହାସ କହୁଛି ହୀରାକୁଦରୁ ସର୍ବାଧିକ ଜଳ ନିଷ୍କାସିତ ହୋଇଥିଲା ୧୯୮୨ ମସିହାରେ । ଗତ ତିନି
ଦଶନ୍ଧିର ଓଡ଼ିଶା ବନ୍ୟା ଇତିହାସକୁ ଦେଖିଲେ ମୁଣ୍ଡଳି ଠାରେ ଏହି ମସିହାରେ ସବୁଠାରୁ ଅଧିକ ଜଳ
ନିଷ୍କାସିତ ହେଉଥିଲା, ଯାହା ଥିଲା ୧୫.୮୪ ଲକ୍ଷ କ୍ୟୁସେକ ଜଳ । ୧୯୮୨ ଅଗଷ୍ଟ ବନ୍ୟା ଏ ପର୍ଯ୍ୟନ୍ତ ସବୁଠୁ
ବଡ଼ ବନ୍ୟା ବିପର୍ଯ୍ୟୟର ବିରଳ ରେକର୍ଡ ରଖିଛି । ୧୯୮୨ରେ ଯେଉଁ ବନ୍ୟା ହୋଇଥିଲା ତାହା ୧୯୨୦
ପରଠୁ ହୋଇଥିବା ୯ଟି ବଡ଼ ବନ୍ୟା ମଧ୍ୟରୁ ଥିଲା ସବୁଠୁ ଭୟଙ୍କର । ବନ୍ୟାଞ୍ଚଳରେ ପାଣି
ସମ୍ପୂର୍ଣ୍ଣ ଛାଡ଼ିବାକୁ ମାସାଧିକ ସମୟ ଲାଗିଥିଲା । ଦଳେଇ ଘାଇ ଥିଲା ସବୁଠାରୁ ବଡ଼ ଘାଇ । ସେ
ସମୟରେ କଟକ ଓ ପୁରୀରେ ୫୧୦ଟି ଘାଇ ମଧ୍ୟରୁ କେବଳ ୪୨୦ଟି ଘାଇ ସୃଷ୍ଟି ହୋଇଥିଲା । କଟକର ୪ ହଜାର
୪୭୮ ଗ୍ରାମ କେବଳ ପ୍ରଭାବିତ ହୋଇଥିଲା ।
ସେହି ବାଙ୍କୀର ରେଣୁକା
ଘାଇ କେତେକଙ୍କୁ ବାସହୀନ କରିଥିଲା ତ ଅନେକଙ୍କୁ ଜୀବନ ସହ ସଂଘର୍ଷ କରିବା
ପାଇଁ ଏକ ଶିକ୍ଷା ଦେଇଯାଇଥିଲା ଏବଂ ଏକ ଅମୂଲ୍ୟ କଥା କହିଦେଇ ଯାଇଥିଲା ସବୁବେଳେ ସତର୍କ ରୁହ ।
ବିପତ୍ତି କେବେ ବି ଆସିପାରେ । ଅପରପକ୍ଷରେ ଲୋକକଥା ଶୁଣିବାକୁ ମିଳେ, ୧୯୮୨ ମସିହା ବନ୍ୟା
ଦ୍ଵାରା ରେଣୁକା ନଦୀର ଉତ୍ପତ୍ତି ହୋଇଥଲା ।
ବିଶ୍ୱାସ କରାଯାଉଛି ଯେ, ମା’ ଚର୍ଚ୍ଚିକାଙ୍କୁ
ପୂଜାପାଠ କରି ପ୍ରସନ୍ନ କରିବା ପରେ ଜଣେ ଭକ୍ତ ମା’ଙ୍କର ସମସ୍ତ ଅଳଙ୍କାର ନେଇ ଯାଇଥିଲେ ଏବଂ ସେ ଏକ ଘର ନିର୍ମାଣ
କଲେ, ଯେଉଁଠାରେ ବର୍ତ୍ତମାନ
ରେଣୁକା ନଦୀ ପ୍ରବାହିତ ହେଉଛି । ଅଳଙ୍କାର ନେବା କାରଣରୁ ସମ୍ଭବତଃ ମା’ ଚର୍ଚ୍ଚିକା ସେହି ଭକ୍ତଙ୍କୁ ଦଣ୍ଡ ଦେବା ପାଇଁ ଏବଂ ତାଙ୍କ
ଘରକୁ ଲୀନ କରିବା ପାଇଁ ଏହି ରେଣୁକା ନଦୀ ସୃଷ୍ଟି କରିଥିଲେ ବୋଲି କୁହାଯାଏ ।
ସେ ଯାହା ବି ହେଉ ଆଜି ବି ରାଜ୍ୟରେ ବନ୍ୟା ଆସିଲେ ପ୍ରଥମେ ବାଙ୍କୀ କଥା ପଡ଼େ ଆଉ ବନ୍ୟା ଆସିଲେ ବାଙ୍କୀବାସୀଙ୍କ ମନ ଓ ମଥା ଉଭୟ ଶିହିରୀ ଉଠେ ଏବଂ ବିପଦରୁ ରକ୍ଷା କରିବା ପାଇଁ ମା’ଙ୍କ ନିକଟରେ ଶରଣ ପଶେ ।
ଲେଖକ : ସତ୍ୟଜିତ ସାମଲ
ସୌଜନ୍ୟ :
https://www.indiatoday.in/magazine/living/story/19820930-orissa-turns-into-a-land-of-sorrow-as-flood-engulfs-10-million-people-772212-2013-09-26 . ଏହାସହ କିଛି ପୁସ୍ତକ, ଓ୍ୱେବସାଇଟ, ମାଗାଜିନ, ଲୋକକଥା



Comments
Post a Comment