Blog No - 49 ‘ଦୀର୍ଘ ୧୪ ବର୍ଷ ପରେ ଏକାଠି’

 

ମୁଁ ଚକୁଳେଶ୍ୱର ଯିବି, କିନ୍ତୁ ସେଠି ମୋର ନାମ କଣ କହିବି । କୁନୁ ? ନା କୁନୁ ନୁହେଁ, ସତ୍ୟଜିତ୍ କହିବୁ । ଏତେ ଭଲ ନାଁଟା କୁନୁ କାହିଁକି କହିବୁ । ୨୦୧୦ ମସିହାରେ ଚକୁଳେଶ୍ୱର ମା ସରସ୍ୱତୀ କୋଚିଂ ସେଣ୍ଟର ଯିବା ପୂର୍ବରୁ ବାପାଙ୍କ ସହ ମତ ବିନିମୟ ବେଳେ ଏହି କଥା କହିଥିଲେ ସେ । ସତ କଥା । ଯଦି ଆଜି ସେହି ସତ୍ୟଜିତ୍ ଏକ କ୍ଷୁଦ୍ର ପରିଚୟଟିଏ ପାଇଛି ତେବେ ସେହି କୋଚିଂ ସେଣ୍ଟର ପାଇଁ । ଷ୍ଟ୍ରଗଲ୍ ସମୟରେ ଭୁଲି ଯାଇଥିଲି କିନ୍ତୁ ଏବେ ବହୁତ ମନେ ପଡେ । କେତେ ସୁନ୍ଦର ଥିଲା ସେ ଦିନ ।  ସବୁ ବନ୍ଧୁମାନେ ନିଜର ପରି ମନେହୁଅନ୍ତି । ହୁଏତ ନିଜ ସ୍କୁଲରେ ପଢିବା ସମୟରେ ସେହି ଭଲପାଇବା ମିଳିନି । ସେ ସମୟର ଏହି କଥା ସବୁ ଭାବୁ ଭାବୁ ଦୁଇ ମାସ ତଳୁ ଯୋଜନା ହୋଇଥିବା ଦିନଟି ପହଞ୍ଚିଗଲା । ଅର୍ଥାତ୍ ଡିସେମ୍ବର ୧୫ । ଜୀବନରେ ଅଧା ଫର୍ଦ୍ଦ ସରିବା ପରେ ଆଉ ଗୋଟିଏ ଅଧା ଫର୍ଦ୍ଦ ପରି ଦିନଟିଏ । ଏହି ଦିନରେ କ୍ଷଣିକ ମୁହୂର୍ତ୍ତ ବି ମୁଁ ଅପଚୟ କରିବାକୁ ଚାହୁଁନଥିଲି ।

     ପାହାନ୍ତିଆ ସକାଳେ ଶୀତ ବସ୍ତ୍ର ପିନ୍ଧି ବାହାରି ପଡିଲି କୁଶପାଙ୍ଗୀ । ଅନେକ କାମ ଅଛି । ଗ୍ରାମରେ ପ୍ରବେଶ କରୁ କରୁ ଦେଖା ହୁଏ ଦିଲ୍ଲୀପ ଏବଂ କିଛି ସମୟ ପରେ କୁଶପାଙ୍ଗୀ ହାଇସ୍କୁଲରେ ଦେଖା ହୋଇଯାଏ ସିପୁନା । ଚକୁଳେଶ୍ୱରର ନଗେଶ ବାଇକରେ ଆସି ସେଠାରେ ପହଞ୍ଚେ । ଗୁମା ଫୋନ୍ କରି ମୋତେ କୁହେ କି ମୁଁ କୋବି ନେଇ ପହଞ୍ଚୁଛି ଠିକଣା ସ୍ଥାନରେ । 

ଚିକୁ ୬ଟାରେ ଗ୍ରୁପରେ ମେସେଜ କରେ ମୁଁ ମୋର କାର୍ଯ୍ୟକୁ ବାହାରିଲି । ଅର୍ଥାତ୍ ସକାଳେ ୬ରେ ସେ ଯାଇଥିଲା ମଟନ ଆଣିବା ପାଇଁ । ରାଜୁ ଫୋନ କରି କୁହେ ତୁ ଆସି ଆମ ଗାଁରେ... ମୋତେ ଫୋନ କଲୁନି । ଏହି କଥାବାର୍ତ୍ତା ସମୟରେ ବନ୍ଧୁ ବା ଆଟିଷ୍ଟ ଦିଲ୍ଲୀପ ୬.୩୦ରୁ ସମସ୍ତଙ୍କୁ ଫୋନ୍ ଲଗାଇ ଚାଲିଥାଏ ଆଉ କହୁଥାଏ ସବୁ ଆଜି ଆସୁଛ ନା ନାହିଁ । ଉପେନ୍ଦ୍ର, ଅନନ୍ତ, ବିଶ୍ୱଜିତଙ୍କୁ କହୁଥିଲା, ହଇରେ ଚିକେନ୍ ଲାଗି ତ ପ୍ରଥମେ ନିଷ୍ପତି ହୋଇଥିଲା ଆଉ ତୁମେ ମାନେ ସବୁ କହିବା କାରଣରୁ ମଟନ ହେଲା । ତେଣୁ ସବୁ ପଇସା ଦିଅ । ଆସ କି ନ ଆସ ପଇସା ପଠାଅ । ଏହିସବୁ ତତ୍ପର ଓ  ଯୋଜନାବଦ୍ଧ କାର୍ଯ୍ୟଗୁଡ଼ିକରୁ ମନେ ହେଉଥିଲା, ହୁଏତ ଅନେକ ଦିନ ପରେ ଆମେ ଭେଟୁଅଛେ । ଅନେକ ନୁହେଁ ଦୀର୍ଘ ଦିନ ପରେ । ଦୀର୍ଘ ୧୪ ବର୍ଷ ପରେ । ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ପରି ବନବାସ ସାରି ଆମେ ଅଯୋଧ୍ୟାକୁ ଫେରିଥିଲୁ ।


ସମସ୍ତେ ନିଜ ନିଜ କାମରେ ଲାଗିଯାଇଥିଲେ । ଯେଉଁ ସମୟରେ ଜାତମୁଣ୍ଡିଆ ଓ କୁଶପାଙ୍ଗୀ ଛକରେ ଲୋକମାନେ ଜଳଖିଆ ଦୋକାନରୁ ଚା ପିଇବାକୁ ବରାଦ ଦେଉଥିଲେ, ଆମେ ସେତେବେଳେ ଆମ ଘରୁ ସବୁ ଜିନିଷ ବୁହାଇବାରେ ବ୍ୟସ୍ତ ଥିଲୁ । ଏତିକି ବେଳେ ମୋର ନଜର ଗୁମାର ପାଦରେ ପଡିଲା । ଆରେ ତୋ ପାଦ ମାଟି ମାଟି କେମିତି ହେଲା ? ସେ କହିଲା ମୁଁ କୋବି ଆଣିବାକୁ ଯାଇଥିଲି । ମଉସା କହିଲେ ପୁଅ କୋବି ତ ୨୦ ଟଙ୍କା । ତେଣୁ ତୁମକୁ ଯେଉଁଟା ଭଲ ଲାଗୁଛି, ତୁମେ ତୁମ ଇଚ୍ଛା ଅନୁସାରେ ବିଲରୁ କାଟିକି ନିଅ । ତେଣୁ ବିଲରୁ କୋବି କାଟି ଆଣି ସେ ଆମ ଘର ପାଖ ରାସ୍ତାରେ ଥୋଇ ଦେଇଥିଲା । ଏତେ ଫ୍ରେସ ପରିବା । ବାପରେ । ମନରୁ ତାକୁ ଧନ୍ୟବାଦ ଦେବାକୁ ଚାହୁଁଥିଲି, କିନ୍ତୁ ବ୍ୟସ୍ତତାରେ ଆଉ କହିନାହିଁ । କିନ୍ତୁ ଏବେ କହୁଛି ଗୁମା ତୋତେ ବହୁତ ଧନ୍ୟବାଦ । ଶେଷରେ ତାପସ ଗାଡିରେ ନଗେଶ, ଗୁମା ଓ ମୁଁ ସବୁ ଜିନିଷ ଆମ ଘର ପାଖରୁ ଆଣି ଚଣ୍ଡିକରେ ପହଞ୍ଚିଲୁ ।

 


ଦିଲ୍ଲୀରୁ ଆସି ଡିସେମ୍ବର ୧୫ ପ୍ରାତଃ ୩ଟାରେ ଘରେ ପହଞ୍ଚିଥିବା ଅଜିତ୍ ଠିକରେ ନଶୋଇ ସକାଳ ୮ଟାରେ ଠିକଣା ଚଣ୍ଡିକ ମନ୍ଦିରରେ ପହଞ୍ଚି କାମରେ ଲାଗି ଯାଇଥିଲା । ସାଙ୍ଗରେ ନିଜ ପୁତୁରାକୁ ଆଣିଥିଲା । ଯେ ଥିଲା ବହୁତ ଚଞ୍ଚଳ ଓ ଚତୁର । ଆମ କାମରେ ସେ ବହୁତ ସହଯୋଗ କରିଛି ବି । ଇତି ମଧ୍ୟରେ ମୋ ସହ ଘଡେଇ, ଗୁମା, ସିପୁନା, ନଗେଶ, ଦିଲ୍ଲୀପ, ଲାଲୁ, ବ୍ରଜକିଶୋର, କାଳିଆ ଏବଂ ଚିକୁ ସେଠାରେ ପହଞ୍ଚିସାରିଥିଲେ । ଏକ ସେଲଫି ମଧ୍ୟ ନେଲୁ । ବାଙ୍କୀ ଖମାରଙ୍ଗରୁ ଆସିଥିବା ଭାଇନାଙ୍କ ଦ୍ୱାରା ଷ୍ଟାଟରରେ ଚାଓମିନ ବି ହୋଇସାରିଥିଲା ସେତେବେଳକୁ । ସମୟର ଘୂର୍ଣ୍ଣନରେ ସବୁ ବନ୍ଧୁମାନେ ସପରିବାର ଯୋଗଦାନ କରିଥିଲେ । ପାଥପୁରର ପ୍ରଦୀପ ଭାଇ, ସରୋଜ ଓ ଲିଟୁଙ୍କ ମୁଖ ଅନିଲ କାପୁର ପରି ଥିଲା । 


ମାନେ ସେତେବେଳେ ସେମାନେ ଯେମିତି ଥିଲେ ଏବେ ବି ସେମିତି । ପରେ ପରେ କୋରାପୁଟରେ ଚାକିରି କରିଥିବା ଗଙ୍ଗା, ପାଥପୁରରୁ ରୋଜି, ବାଙ୍କୀରୁ ଡଣ୍ଡଲ, କୁଶପାଙ୍ଗୀରୁ ଦୀପକ, ଆମ ଗାଁ ଜାତମୁଣ୍ଡିଆରୁ ବେଣୁଧର, ଶଶୁର ଘର ଶିମିଳିପୁରରୁ ଝରି ମାନେ କ୍ରୀଷ୍ଣାପ୍ରିୟା, ପାଖରୁ କମି ଓ ସେମାନଙ୍କ ପରିବାର ବା ଭାଇ ଓ କୁନି କୁନି ପିଲା ସାମିଲ ହୋଇଥିଲେ । ଇସ୍ପାତ ସହର ରାଉରକେଲାରୁ ବହୁତ ହଇରାଣରେ ଆସି ପହଞ୍ଚିଥିଲା ଆମ ଚକୁଳେଶ୍ୱରର କାବେରି, ଭାଇ ଓ ତାର କୁନି ଝିଅ । କହୁଥିଲା ବହୁ କଷ୍ଟ କରିବାକୁ ପଡିଲା । ରାତାରାତି ଯୋଜନା କରି ସେ ଆସିଲା । ବନ୍ଧୁମିଳନରେ ତାକୁ ଦେଖି ମୁଁ ଚକିତ ହୋଇଯାଇଥିଲି । କାହିଁକି ନା ଦୁଇ ଦିନ ତଳୁ ତା' କଥାବାର୍ତ୍ତାରୁ ଜଣାପଡୁଥିଲା ଯେ ସେ ଆସିବାର ଚାନ୍ସ କମ । ଇତିମଧ୍ୟରେ କରବରରୁ ଆସିଥିବା ଗୁପଚୁପ ଭାଇଙ୍କ ଷ୍ଟଲରେ ବି ସମସ୍ତଙ୍କ ଭିଡ ଜମିସାରିଥିଲା । ଯେଉଁମାନଙ୍କ ହାତ ମୁଁ ୨୦୧୦ ମସିହାରେ ପରୀକ୍ଷା ପରେ ଛାଡିଥିଲି, ଅରାଚଣ୍ଡୀ ମନ୍ଦିର ନିସ୍ତିପୁର ପରିସରରେ ଭେଟିବା ବେଳେ ସମସ୍ତଙ୍କ ଆଚାରଣ ଓ ଉଚ୍ଚାରଣ ସେମିତି ହିଁ ଥିଲା । କୌଣସି ବି ପରିବର୍ତ୍ତନ ନାହିଁ । କାହାର ଶରୀର ପରିବର୍ତ୍ତନ ହୋଇଛି ତ ଏବଂ ଅନେକ Mature ବି ହୋଇଛନ୍ତି । ନ ହେଲେ ବ୍ୟବହାର ପୂର୍ବ ପରି ।

 

ଇତିମଧ୍ୟରେ ରାଜୁର ବରାଦ କ୍ରମେ ରୋଷେଇ ଭାଇନାଙ୍କ ଦ୍ୱାରା ଚିକେନ୍ ପକୋଡା ଛଣା ବି ଆରମ୍ଭ ହୋଇଯାଇଥିଲା । ସବୁଠି ମାହୋଲ୍ ଅଧିକ ତିଆରି ହୋଇଥିଲା ଛୋଟ ଛୋଟ ପିଲାମାନଙ୍କ ଗୁଞ୍ଜରଣରେ । ରୋଜି ଓ କାବେରି ଡାକନ୍ତି ମୋତେ ସେଲଫି ପଏଣ୍ଟରେ ଫଟୋ ଉଠାଇବା ପାଇଁ । ସେମାନେ ବାହା ହୋଇଯାଇଛନ୍ତି ସତ କିନ୍ତୁ ସାଙ୍ଗମାନଙ୍କ ପ୍ରତି ଥିବା ଆନ୍ତରିକତା ପୂର୍ବପରି ସତେଜ ଅଛି । କ୍ରମାଗତ ଭାବେ କଟକରୁ ସିଦ୍ଧେଶ୍ୱର, ସ୍ଥାନୀୟ ଅଞ୍ଚଳରୁ ଇପସିତା, ଦିପୁନା, ପାଥପୁରରୁ ବିକେଶ ରାଏ, କରବରରୁ ପୂଜାଞ୍ଜଳି ଓ ସେମାନଙ୍କ ପରିବାର ଲୋକଙ୍କ ଠିକଣା ଜାଗାକୁ ଆସର ଜମିଥିଲା ।

ହମ୍ ସାଥ୍ ସାଥ୍ ହୈ ଚଳଚ୍ଚିତ୍ର ପରି ସବୁ ଆମେ ଏକାଠି ହୋଇସାରିଥାଉ । ସମସ୍ତଙ୍କ ମୁହଁରେ ହସ ଏବଂ ଦୀର୍ଘ ୧୪ ବର୍ଷ  ପରେ ଭେଟିବାର ଉତ୍ସୁକତା । ଅପରାହ୍ଣ ସମୟରେ କଳାପଥରୁ ବାଙ୍କୀ ଆସି ଦୁଇ ଦୁଇ ଥର ଜିନିଷ ଭୁଲି ବନ୍ଧୁମିଳନ ସମାରୋହକୁ ଫେରିଥିଲା ଅର୍ଚ୍ଚନା ବା ରିଙ୍କି । ଆମ ସହ ମାତ୍ର ସେ ତିନି ମାସ ପାଠ ପଢିଛି କୋଚିଂରେ । ମାତ୍ର ତାର ଯେତେ ଉତ୍ସାହ ଥିଲା ସତେ ପିଲାବେଳରୁ ଆମ ସହ ପାଠ ପଢିଛି । ଦୁଇ ମାସରୁ ସେ କହି କହି ଆସୁଥିଲା ବନ୍ଧୁମିଳନ ଦିନ କିଏ ଆସୁ ନ ଆସୁ, ସେ ସବୁଠୁ ଆଗରେ ପହଞ୍ଚିବ । କିନ୍ତୁ ସମୟର ବଡମ୍ବନା ବା ନିଜ ଝିଅର କାର୍ଯ୍ୟ ବ୍ୟସ୍ତତା ପାଇଁ ସେ ପହଞ୍ଚିଥିଲା ପ୍ରାୟ ଅପରାହ୍ଣ ୧.୩୦ରେ । ସାଙ୍ଗରେ ଭାଇ ବି ଥିଲେ । ମୋତେ ଦେଖି କୁଣ୍ଢାଇ ପକାଇଲେ ।

 ତା ପରେ କଥା ହେଉ ହେଉ କାରରେ ଆସି ଆମ ପାଖରେ ପହଞ୍ଚିଲେ କ୍ଷୀରୋଦ ସାର, ମ୍ୟାଡାମ, ପ୍ରଦୀପ ସାରଙ୍କ ସପରିବାର । ମୁଁ ଶୀଘ୍ର ଯାଇ ଚେୟାର ସଜାଡୁ ସଜାଡୁ କମି, କ୍ରୀଷ୍ଣାପ୍ରୀୟା ଓ କାବେରୀ ଯାଇ ସାରଙ୍କୁ ବନ୍ଦାପନା କରାଇ ସ୍ୱାଗତ କରୁଛନ୍ତି । ବାଃ... ମୁଁ ତ ଭାବିବି ନଥିଲି । କେତେ ଭଲ ହେଲା । ବନ୍ଦନାରୁ ସାରଙ୍କ ସ୍ୱାଗତ ହେଲା । ତୁମେମାନେ ଯେତେ ବି ଆଗକୁ ବଢିଯାଅ କିନ୍ତୁ ଝିଅମାନଙ୍କ ଉପସ୍ଥିତ ବୁଦ୍ଧି ହିଁ ତୁମ କାର୍ଯ୍ୟକ୍ରମକୁ ଏକ ସ୍ୱତନ୍ତ୍ର ପରିଚୟ ଦେବ, ଏହା ଯେ ସତ, ତାହା ସେମାନଙ୍କ କାର୍ଯ୍ୟରୁ ଅନୁମେୟ । ଏସବୁ ଦେଖି କ୍ଷୀରୋଦ ସାର, ପ୍ରଦୀପ ସାର୍ ଓ ମାଡାମଙ୍କ ଖୁସି ଉଭୟ ଆଖିରୁ ପ୍ରତ୍ୟକ୍ଷ ଭାବେ ଜଣାପଡୁଥିଲା ।


ମୁଁ ଏତିକିବେଳେ ମାଇକରେ ଆନାଉନ୍ସ କରେ ଯେ ସମସ୍ତେ ନିଜ ନିଜର ଆସନ ଗ୍ରହଣ କରିବା ପାଇଁ । କେତେ ସୁନ୍ଦର । ପରିବେଶରେ ପୂରା ଚମକ ଆସି ଯାଇଥିଲା ସମସ୍ତଙ୍କ ଆଗମନ ପରେ । ମୋର ଖୁସି ଦୁଇ ଗୁଣିତ ହୋଇସାରିଥାଏ । ହୋଷ୍ଟ୍ ଭାବେ ମୁଁ ରହି ରହି କହିବା ପାଇଁ ଭାବୁଥିଲେ ହେଁ ମୋର ଖୁସି ମୋର ଶବ୍ଦ ଉଚ୍ଚାରଣକୁ ମଳୟ ପବନ କରିସାରିଥିଲା । ସମସ୍ତେ ବସିବା ପରେ ସମ୍ମାନିତ ଅତିଥି ଭାବରେ ପ୍ରଦୀପ ସାର ତାଙ୍କ ଅଭିଭାଷଣ ରଖନ୍ତି । ଏତିକି ସମୟରେ ଏଣ୍ଟ୍ରି ହୁଏ ବାଙ୍କୀ ଟୋକା ମାନସ ଲେଙ୍କାର । ଶ୍ରଦ୍ଧାରେ ମୁଁ ତାକୁ ବବୁଲୁ ଡାକେ । ସେ କହିଥିଲା ସକାଳ ୯ଟାରୁ ଆସି ଆମ ପାଖରେ ପହଞ୍ଚିବ । କିନ୍ତୁ ପହଞ୍ଚିଲା କଣ୍ଟା ୨ଟାରେ । ସେ ଯାହା ବି ହେଉ ସେ ତାର ପ୍ରକାଶ କରେ ଅନୁଭୂତି । ଶେଷରେ ତାର ଆଖି ଛଳ ଛଳ ହୋଇଯାଇଥିଲା ବୋଲି ମୋତେ ପରେ ରୋଜି ଫୋନରେ ନୁହେ । 


ଅନୁରୂପ ଭାବରେ ବନ୍ଧୁ ଅଜିତ୍, ଲାଲୁ, ଝରି, ଅର୍ଚ୍ଚନା ନିଜର ଅନୁଭୂତି ପ୍ରକାଶ କଲେ, ଯାହା ଥିଲା ରୋଚକ । ଗୁମା ଆମର ଫଟୋଗ୍ରାଫି କାମରେ ଲାଗିଥିଲା । ନଗେଶ, ରାଜୁ ଓ ଦିଲ୍ଲୀପଙ୍କ କଥାରେ ମୁଁ ସମସ୍ତଙ୍କୁ ଷ୍ଟେଜ୍ ଉପରେ ଅତୀତର ଅନୁଭୂତି କହିବା ପାଇଁ ଆମନ୍ତ୍ରଣ କରୁଥିଲି । ପରେ କିଛି ମଜା ମସ୍ତି, ଅର୍ଚ୍ଚନାର ଝିଅ ଆକାଂକ୍ଷୀ ସହ ମୋର ବାର୍ତ୍ତାଳାପ ଏବଂ କିଛି କଥା ମାଡାମ କହିଥିଲେ । 


ଶେଷରେ ମୁଖ୍ୟ ଅତିଥି ଭାବେ ଆମର ପୁରାତନ ଶିକ୍ଷକ କ୍ଷୀରୋଦ ସାର ସମବେତ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହ ନିଜର ଅଭିଭାଷଣ ରଖିଥିଲେ । ସେ ୪ଟି ବୈଠକ ବାତିଲ କରି ଆମ ପାଖକୁ ଆସିଥିଲେ । ବାଃ...ଏହାଠୁ ବଳି ବଡ ଉପହାର ଆଉ କଣ ହୋଇପାରେ ? ସାର ତାଙ୍କର ଅତୀତ ଅନୁଭୂତି ଓ ବର୍ତ୍ତମାନର ଅନୁଭୂତି ପ୍ରକାଶ କରିଥିଲେ । କୋଚିଂ ସେଣ୍ଟରର ଶିକ୍ଷୟିତ୍ରୀ ସୁରେଖା ସ୍ୱାଇଁ କୋଚିଂର କାମ ଯୋଗୁଁ ଆମ ଗହଣରେ ଉପସ୍ଥିତ ହୋଇପାରିନଥିଲେ । ତାଙ୍କ ଅନୁପସ୍ଥିତି ଆମକୁ ଦୁଃଖ ଦେଇଥିଲା ନିଶ୍ଚୟ କିନ୍ତୁ ତାଙ୍କର ଆଶୀର୍ବାଦ ଯେ ଆମ ସହ ସର୍ବୋପରି ରହିଥିଲା, ଏହା ଆମେ ସେଠାରେ ଅନୁଭବ କରିଥିଲୁ । ଦୁୁର୍ଭାଗ୍ୟବଶତଃ ପ୍ରାୟ ଦୁଇ ବର୍ଷ ପୂର୍ବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସ୍ୱର୍ଗୀୟ ବନ୍ଧୁ ଲଲୁ ପାଇଁ ଆମେ ଆମେ ସମସ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା ବି କରିଥିଲୁ । ସବୁଠୁ ରୋଚକ କଥା ଥିଲା ଆମେ ଧନ୍ୟବାଦ ପ୍ରସ୍ତାବ ଦେବା ପାଇଁ ଯେତେବେଳେ ରାଜୁକୁ ନିମନ୍ତ୍ରଣ କଲୁ, ସେତେବେଳେ ସେ ଷ୍ଟେଜରେ ଚଢିବା ମାତ୍ରେ ପିଲାମାନେ ସବୁ ଷ୍ଟେଜ୍ ତଳକୁ ଓହ୍ଲାଇ ସାରିଥିଲେ । ଯାହା ସେ ମୋତେ ଅନ୍ତତଃ ଅନେକ ଥର କହିସାରିଲାଣି ।

ବହୁତ ଉତ୍ସାହ ଉଲ୍ଲାସର ସହ ଆମର ବନ୍ଧୁମିଳନ ବୈଠକ ସମ୍ପୂର୍ଣ୍ଣ ହେଲା । ପରେ ସମସ୍ତେ ଖାଇବା ପାଇଁ ଗଲେ । ମେନ୍ କୋର୍ସରେ ହୋଇଥିଲା - ଫ୍ରାଏଡ ରାଇସ, ଡାଲ ଫ୍ରାଏ, ଟମାଟୋ ଫ୍ରୁଟ୍ସ ଖଟା, ମଟନ ରୋଗନ୍ ଜୁସ, ମୁଢିଘାଣ୍ଟ, ଚିଲ୍ଲି କୋବି, ବଟର ପନିର୍ ମସଲା, ପାମ୍ପଡ, ଖିରି, କୋଲଡ୍ରିଙ୍କ୍ସ ଓ ସିଲେଷ୍ଟି ଆଇସକ୍ରିମ୍ । ଆମେ ସମସ୍ତେ ମନଭରି ଉପଭୋଗ କଲୁ । 


ଶେଷରେ ଏକ ଗ୍ରୁପ ଫୋଟ ମଧ୍ୟ ଉଠାଇଲୁ । ଏତିକି ବେଳେ ବନ୍ଧୁମିଳନରେ ସାମିଲ ହୋଇପାରିନଥିବା ଶୁଭ, ତାପସ, ସୁବ୍ରତ, ଉପେନ୍ଦ୍ର, ବିଶ୍ୱଜିତ, ଅନନ୍ତ, ସୋନାଲି,  ଶୁକ, ପ୍ରବାସିନୀ, ରୋନିତା, ଝିଲି ଓ ଅନ୍ୟ ସାଙ୍ଗମାନଙ୍କୁ ବହୁତ ମିସ୍ କଲୁ ଏବଂ କଥା ଦେଲୁ ଆଉ ଥରେ ଏକାଠି ହେବୁ । ସେ ଦିନ ଆମ ପାଇଁ ବହୁତ ଭଲ ଦିନଟିଏ ଥିଲା । କାହିଁକି ନା ଅଂଶୁପାରେ ଆମ ସାଙ୍ଗ ଜଗାର ନିର୍ବନ୍ଧ ଥିଲା । ତାକୁ ଅନେକ ଶୁଭେଚ୍ଛା । ସେ ଯାହା ବି ହେଉ ୮ ଘଣ୍ଟାର ସମୟ କିଭଳି ଯେ ୧ ଘଣ୍ଟାରେ ସରିଗଲା ତାହା ଜଣାପଡିଲା ନାହିଁ । ସୂର୍ଯ୍ୟାସ୍ତ ହେବା ମଧ୍ୟରେ ସମସ୍ତେ ପୁଣି ଘରୁକୁ ବାହାରିବା ଆରମ୍ଭ କଲେ । ଶେଷ ସମୟରେ ଆମେ ସେଠାରେ ଉପସ୍ଥିତ ଥିଲୁ ଗୁମା, ନଗେଶ, ଦିଲ୍ଲୀପ, ମାନସ ଲେଙ୍କା, ଘଡେଇ, ସିପୁନା, ରାଜୁ, ଚିକୁ, କାଳିଆ ଓ ମୁଁ । ପରେ ଏକ ପ୍ରକାର ବରଯାତ୍ରୀ ଡ୍ୟାନ୍ସଟିଏ ହେଲା । ଶେଷରେ ପ୍ରତ୍ୟାବର୍ତ୍ତନର ସମୟ ।


ଆମେ ସମସ୍ତେ ଜିନିଷ ସବୁ ବନ୍ଧା ବନ୍ଧି କରି ଠିକଣା ଜାଗାରେ ଦେଇ ହିସାବ ପତ୍ର କ୍ଲିୟର କଲୁ ଏବଂ ଏହି କଥା ମନରେ ଭାବିଲୁ ସଞ୍ଜ ଅଛି ମାନେ ରାତି ଅଛି ଆଉ ରାତି ଅଛି ମାନେ ପୁଣି ଥରେ ସକାଳ ଅଛି । ଆମେ ପୁଣି ଥରେ ବି ଏକାଠି ହେବା   


ଶେଷରେ କହିବି ଯେ ମୋ ବାପା ମୋତେ ଏହି କାମରେ ବହୁତ ସହଯୋଗ କରିଥିଲେ । ମୁଁ ଯେମିତି ହଇରାଣ ନହୁଏ ବାଙ୍କୀ ବଜାରରେ ପ୍ରାୟ ନବେ ପ୍ରତିଶତ ଜିନିଷ କିଣାକିଣି କରିଦେଇଥିଲେ । ଆଉ ଏକ କଥା କହୁଛି – କୋଚିଂରେ ପଢିବା ସମୟରେ ମୁଁ ଝୁନା ମାଉସୀଙ୍କ ଘରେ ରହି ପାଠ ପଢୁଥିଲି । ପାଖରେ ଥିଲା କାଳିଆଙ୍କ ଘର । ସେ ଖାଇବା ବେଳେ ମୋତେ ସଦାବେଳେ ସାଙ୍ଗରେ ଖାଇବାକୁ କୁହେ । ମୁଁ ଜାଣିନଥିଲି ଯେ କାହିଁକି ଡାକୁଛି, କିନ୍ତୁ ପରେ ମନେ ଅନୁଭବ ହୋଇଥିଲା ଯେ , ଝୁନା ମାଉସୀଙ୍କ ଘରେ ଭାତକୁ ଦୁଇଟି ତିଅଣ ହୁଏ ଆଉ ତା ସହ ମିଶିଗଲେ ୮ ତିଅଣ ହୋଇଯାଏ । ମାନେ କାଳିଆ ମୋତେ ଆମ ଘରର କଥା ନମନେ ପକାଇବା ପାଇଁ ତା' ସାଙ୍ଗରେ ଖୁଆଏ । ସେହିଦିନ ଭାବୁଥିଲି କାଳିଆକୁ ଡାକି ଏହି କଥା କହିବି, କିନ୍ତୁ ଭୁଲି ଯାଇଛି କାମରେ ।

 ଏହିପରି ଭାବେ ମୋର ଆଉ ଜଣେ ସାଙ୍ଗ ଥିଲା ସୋନାଲି । କାର୍ଯ୍ୟବ୍ୟସ୍ତତା ଯୋଗୁଁ ସେ ସେହିଦିନ ଆସିପାରିନଥିଲା । ମାତ୍ର କୋଚିଂରେ ପଢିବା ବେଳେ ସେ ହିଁ ପ୍ରଥମେ ମୋ ସହ ମିଶିଥିଲା ଆଉ ବହୁତ ଭଲରେ କଥା ହୋଇଥିଲା । ସବୁ ସମୟରେ ମୋ କଥା ପଚାରୁଥିଲା । ମୁଁ ସେତେବଳେ ଝିଅଙ୍କ ସହ ଟିକେ କମ କଥା ହୁଏ, କିନ୍ତୁ ସୋନାଲି ସହ ମିଶିଯାଏ । କାହିଁକି କେଜାଣି କୋଚିଂର ତାପସ, ଶୁକ, ପ୍ରବାସିନୀ, ପ୍ରଦୀପ ଭାଇ, ଅନନ୍ତ ଓ ଅନ୍ୟ ସବୁ ପିଲାମାନେ ନିଜର ପରି ମନେହୁଅନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା ସରସ୍ୱତୀଙ୍କ କୃପାରୁ ମୋର ସମସ୍ତ ବନ୍ଧୁମାନେ ଯେଉଁଠି ବି ଥାନ୍ତୁ, ବହୁତ ଭଲରେ ଥାନ୍ତୁ । ଧନ୍ୟବାଦ ।

-         ସତ୍ୟଜିତ୍ ସାମଲ


Comments

Popular posts from this blog

Blog No 51 - Happy BirthDay Super Star

‘ପଟ୍ଟଚିତ୍ର ଅନୁଭବ, ଶିଳ୍ପୀ ମହାନୁଭବ’

ସ୍ମୃତି ସେ ଦିନର

Blog No - 48 : ସୁଆଣ୍ଡୋରୁ ଜାତିର ଚରିତ୍ର, ସେବାର ମୂର୍ତ୍ତିମନ୍ତ ମହାନାୟକ

ବିଶ୍ୱ ଘରଚଟିଆ ଦିବସ : ମୋ ଟିକି ଚଢେଇ

Story Blog No - 50 ଚିକେନ୍ ପକୋଡା

ଓଡ଼ିଶା ଗଣମାଧ୍ୟମରେ AI

୧୯୮୨ ବନ୍ୟା : ସେହି ଅଗଷ୍ଟ ମାସ ଖୁଦୁରୁକୁଣୀ ଓଷାରେ ବାଙ୍କୀବାସୀଙ୍କ ବିକଟାଳ ଚିତ୍କାର

‘ଅର୍ଗସ’