ଷାଠିଏ ଦଶକର ପୁରୀ !
![]() |
| (ଫଟୋ ସୌଜନ୍ୟ : @JagannathaDham – Twitter) |
କାହିଁ କେଉଁ ଆବାହମାନ କାଳରୁ ପବିତ୍ର ଶ୍ରୀଜଗନ୍ନାଥ
ଧାମ ଭାବେ ପରିଚିତ ପୁରୀ । ଅନେକ ଇତିହାସର ମୁକସାକ୍ଷୀ ଓ ବ୍ରିଟିଶ ଅମଳ ଶାସନକୁ ସ୍ୱଚକ୍ଷୁରେ
ଦେଖିଥିବା ପତିତପାବନଙ୍କ କ୍ଷେତ୍ର । କୁହାଯାଏ ଆମ ଓଡ଼ିଆ ଜାତିର ସଂସ୍କୃତି, ଐତିହ୍ୟ ଓ
ଐଶର୍ଯ୍ୟର ମୂଳ ଉତ୍ତରାଧିକାରୀ ପୁରୀ । କାରଣ, ଏହି ଠାରୁ ହିଁ ଶ୍ରୀଜୀଉଙ୍କ ଆଶୀର୍ବାଦରେ ଜନ୍ମ
ନେଇଥିଲା ବିଶ୍ୱପ୍ରସିଦ୍ଧ ରଘୁରାଜପୁରର ପଟ୍ଟଚ୍ଚିତ୍ର । ଆଧ୍ୟାତ୍ମିକ ସହର ଶ୍ରୀକ୍ଷେତ୍ରର ଅନେକ
କାରୁକାର୍ଯ୍ୟ ମଧ୍ୟ ବିଶ୍ୱବିଦିତ ।
ବର୍ତ୍ତମାନର ଏହି ପ୍ରମୁଖ ପର୍ଯ୍ୟଟନ ସହରକୁ
ବର୍ଣ୍ଣନା କରିବା ହୁଏତ ମୋ ପାଇଁ ଶବ୍ଦ ଓ ଭାବାବେଗର ବହୁତ ଅଭାବ ପଡ଼ିବ । ତଥାପି ମୋର ମନର
କଥାକୁ ବ୍ୟକ୍ତ କରୁଛି ଉପରୋକ୍ତ ଫଟୋ ବିଷୟରେ । କାହିଁକି ନା ଆମ ସାମ୍ବାଦିକ ପାଠ୍ୟକ୍ରମରେ
ପଢ଼ା ଯାଇଥିଲା ଗୋଟିଏ ଫଟୋ ୩୦୦ଟି ଶବ୍ଦ କହିପାରେ । ଦୁଃସାଧ୍ୟ ହେବ, ଫଟୋ ୩୦୦ ଶବ୍ଦ କୁହେ । ଫଟୋର ଚତୁଃକୋଣରୁ ଯେପରି ଭିନ୍ନ
ଦୃଷ୍ଟି ଲାଗେ, ସେହିପରି ଭାବେ ଫଟୋର ଅଭିବ୍ୟକ୍ତିକୁ ଉଲ୍ଲେଖ କରିବା ପାଇଁ ଶବ୍ଦର ବ୍ୟବହାର
ଅସୀମ । ଯେପରି ସମୁଦ୍ରକୁ ତୁଳନା କରିବାକୁ ଯାଇ ବାଲିର ଉଦାହରଣ । ତେଣୁ ଉକ୍ତ ଫଟୋରେ ମନରେ
ଆସିଥିବା ଭାବନାକୁ ନେଇ ଅତି ଚୁମ୍ବକରେ ବର୍ଣ୍ଣନା କରୁଛି।
ଉକ୍ତ ଫଟୋଟି ୧୯୬୭ ମସିହା ପୁରୀ ଜିଲ୍ଲା ସ୍ଥିତ ଅର୍ଦ୍ଧସିନୀ
ବା ମାଉସୀ ମା’ ମନ୍ଦିର ଅଟେ ବୋଲି କୁହାଯାଉଛି । ଦ୍ୱନ୍ଦରେ ଅଛି, ଉତ୍ତୋଳନ ଫଟୋଟି ୧୯୬୭ ର ନା
ନୁହେଁ । କିନ୍ତୁ ଫଟୋରୁ ସେହି ସତୁରୀ କିମ୍ବା ଅଶୀ ଦଶକର ବୋଲି ମନେ ହୁଏ । ଦେଖିଲେ କହିହେବ ଯେ
ସେ ସମୟରେ ପୁରୀର ରାସ୍ତାଘାଟ ପରିଷ୍କାର ଓ ପରିଚ୍ଛନ୍ନ ଥିଲା । ହୁଏତ ପ୍ଲାଷ୍ଟିକ୍ ବ୍ୟବହାର
ନ ଥିବା ପାଇଁ । ସେ ଯାହା ବି ହେଉ ଫଟୋରେ ଅଧିକାଂଶ ପୁରୁଷଙ୍କ ବେଶ ପୋଷାକ ରହିଛି ଧୋତି ଏବଂ କୁରତା ଓ ମହିଳାମାନେ ଏକ ସାଧାରଣ ଧଳା ଶାଢ଼ୀରେ ଆଭୂଷିତ । ଭିନ୍ନେ ଭିନ୍ନେ ପୁରୁଷଙ୍କ ଫୁଲ୍ ପ୍ୟାଣ୍ଟ ଓ ମହିଳାମାନେ ରଙ୍ଗବେରଙ୍ଗର ଶାଢୀ ପିନ୍ଧିଥିବା ଦେଖାଯାଉଛି ।
ଅପରପକ୍ଷରେ ରାସ୍ତାରେ ଆଲୋକୀକରଣକୁ ବାଖ୍ୟା କରୁଛି ବାମ ପାର୍ଶ୍ୱରେ ଥିବା ଟ୍ୟୁବ୍ ଲାଇଟ ସଂଯୋଜିତ ବିଦ୍ୟୁତ୍ ଖୁଣ୍ଟି । ଛବିକୁ ରୋଚକ କରୁଛି ଶୃଙ୍ଖଳିତ ଭାବେ ଧାଡ଼ି ଧାଡ଼ି ଲାଇନରେ ଥିବା ସୁସଜ୍ଜିତ ବଳଦ ଶଗଡ଼ ଗାଡ଼ି । ତୀର୍ଥଯାତ୍ରୀଙ୍କୁ ନେବା ଆଣିବା ପାଇଁ ବ୍ୟବହାର ହେଉଥିବ । ଏହିପରି ପାଖରେ ଠିଆ ହୋଇଛି ଯାତାୟତର ଆଧୁନିକ ବାହାନ ‘ଚୌଧୁରୀ ସର୍ଭିସ’ ନାମକ ବସ୍ । କହି ହେବ ନାହିଁ ବସଟି ସେ ସମୟର ଜଣେ ଉଚ୍ଚକୋଟି ଶିଳ୍ପପତିଙ୍କର । ଚୌଧୁରୀ ସାଙ୍ଗିଆରୁ ହିଁ ଯଥାର୍ଥତା ଆସୁଛି । ବସ ସମ୍ମୁଖ ତିନି ପାହୁଣ୍ଡେ କୋଣରେ ଥିବା ଏକ କଳା ରଙ୍ଗର କାର ଏବଂ ଫଟୋର ପୂର୍ବ ଓ ଉତ୍ତର ଦିଗରେ ଥିବା ଭ୍ୟାନ ଓ ଜିପଟି ବି କେଉଁ ଚୌଧୁରୀଙ୍କର ହୋଇଥିବ । ରାସ୍ତା ପାଶ୍ୱରେ ଚାଳ ଛପର ଦୋକାନ, ଦୋକାନରେ ଥିବା ଗ୍ରାହକ, ଗୋଟିଏ କୋଠା ଘର, ଘର ଆଗରେ ପିଣ୍ଡା ସେ ସମୟର ସାମାଜିକ ଚଳଣୀର ଦୃଢ଼ୀଭୂତ ପ୍ରମାଣ । ବସରେ ବସିଥିବା ଯାତ୍ରୀ ଓ ଉପରେ ଥିବା ଟାୟାର, ରାସ୍ତାରେ କ୍ଷୀର ନେଇ ଯାଉଥିବା ଗଉଡ଼, ମୁଣ୍ଡରେ ପଗଡ଼ି ଗୁଡ଼େଇ ହୋଇ ଯାଉଥିବା ରିକ୍ସା ଚାଳକ ; ଫଟୋର ସୌନ୍ଦର୍ଯ୍ୟକୁ ଦୁଇ ଗୁଣିତ କରୁଛି । ଚୁନ ଲିପା ବହିଃପାର୍ଶ୍ୱ ମନ୍ଦିର ଏବଂ ସମ୍ମୁଖରେ କୁନି କୁନି ପିଲାଙ୍କ ମେଳନର ଦୃଶ୍ୟ ବି ବେଶ୍ ମନୋହର ।
ଫଟୋଛବିକୁ ବାଖ୍ୟା କରିବା ଅସମ୍ଭବ ସତ କିନ୍ତୁ ବର୍ତ୍ତମାନ ସମୟରେ ଏହା ଅଧିକ ପ୍ରାସଙ୍ଗିକ । କାରଣ ଅଶୀ ଦଶକର କିଞ୍ଚିତ ଗହଳି ଏବେ ଜନଗହଳିରେ ଅଧିକ ପରିବର୍ତ୍ତନ । ସବୁଜ ପୁରୀ ସାମ୍ପ୍ରତିକ ରଙ୍ଗୀନ କ୍ଷେତ୍ର । ଆଧୁନିକ ଯାନବାହାନ, ଷ୍ଟିଟ୍ ଲାଇଟ୍, ମାଟି ରାସ୍ତାରୁ ପିଚୁ ରାସ୍ତାର ସମତଳ, ପ୍ଲାଷ୍ଟିକ ଛତା ଆବୃତ୍ତ ଦୋକାନ ଏବଂ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକର ବ୍ୟବସ୍ଥା ଆଜି ଅନିୟନ୍ତ୍ରିତ । ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ, କୋଣାର୍କର ସୂର୍ଯ୍ୟ ମନ୍ଦିରର ଭଗ୍ନାବଶେଷ, ଚନ୍ଦ୍ରଭାଗାରେ ବ୍ୟାପକ ପର୍ଯ୍ୟଟନ ଏବଂ ମାଳମାଳ ହୋଟେଲରେ ଭର୍ତ୍ତି ପୁରୀ ଏବେ ସଙ୍କୋଚିତ । ମାତ୍ର ଖୁସିର ବିଷୟ, ଶ୍ରୀଜଗନ୍ନାଥର ପଦଧ୍ୱନୀ ଓ ମହାପ୍ରଭୁଙ୍କ ମହାପ୍ରସାଦରେ ଆମେ ସମସ୍ତେ ସେବେ ବି ଆଉ ଏବେ ବି ବିମୋହିତ ।
ସତ୍ୟଜିତ ସାମଲ
ଫଟୋ ସୌଜନ୍ୟ : @JagannathaDham
– Twitter


Comments
Post a Comment