‘ହାତୀ ବଞ୍ଚିଲେ ଲକ୍ଷେ, ମଲେ ଲକ୍ଷେ’: ହତା କ୍ଷୟ ନା ହାତୀ ଭୟ ?
![]() |
ସମଗ୍ର ଭାରତବର୍ଷରେ
ଓଡ଼ିଶା ଏକ ହାତୀ ବହୁଳ ରାଜ୍ୟ । ଭୋଗୋଳିକ ଓ ପର୍ଯ୍ୟାବରଣ ଦୃଷ୍ଟିରୁ ହାତୀଙ୍କ ଉପଯୁକ୍ତ ସ୍ଥାନ
ମଧ୍ୟରୁ ଆମ ରାଜ୍ୟ ଅନ୍ୟତମ । ଆମର ପ୍ରାଚୀନ ପରମ୍ପରା ,ସଂସ୍କୃତି ଓ
ଆଧ୍ୟାତ୍ମିକ କ୍ଷେତ୍ରରେ ଐରାବତ ବା ହାତୀର ସ୍ଥାନ ସ୍ୱତନ୍ତ୍ର । ମାତ୍ର ବିଗତ ବର୍ଷ ମାନଙ୍କରେ
ରାଜ୍ୟ ସରକାର ଓ ଜଙ୍ଗଲ ବିଭାଗର ଉଦାସୀନତା କାରଣରୁ ଏହି ବିଶାଳକାୟ ସ୍ଥଳଚର ଜୀବ ଏକ ଘଡ଼ିସନ୍ଧି ମୁହୂର୍ତ୍ତ
ଦେଇ ଗତି କରୁଛି । ବିଗତ ଛଅ ମାସ ଧରି ଖବରକାଗଜର
ପ୍ରଥମ ପୃଷ୍ଠାରେ ମୁଖ୍ୟ ଶୀରୋନାମା ପାଲଟିଛି ଏହି ଖବର । ଶିମିଳିପାଳ, ସାତକୋଶିଆ, କେନ୍ଦୁଝର ଠାରୁ ଆରମ୍ଭ କରି
ଚନ୍ଦକା, ବାରପାହାଡ଼, ରେଢ଼ାଖୋଲ ଘଞ୍ଚ ଜଙ୍ଗଲରେ ହାତୀଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀ ଅସୁରକ୍ଷିତ
ହୋଇଛି । ଜଙ୍ଗଲ କ୍ଷୟ, ଖାଦ୍ୟାଭାବ, ଶୀକାରୀଙ୍କ ପ୍ରାଦୁର୍ଭାବ ବିଶେଷ ଭାବରେ ଅସ୍ୱାଭାବିକ ହାତୀ ମୃତ୍ୟୁ
ବେଶ୍ ଚିନ୍ତାଜନକ ହୋଇଛି । ଟ୍ରେନ, ଗାଡ଼ି ଧକ୍କା ଓ ବିଦ୍ୟୁତ ଆଘାତରେ ହାତୀଙ୍କ
ପ୍ରାଣହାନୀ ଘଟୁଛି । ଗଜରାଜର ରାଜ୍ୟ ଏବେ ଗଜଶୂନ୍ୟ ହେବାକୁ ବସିଛି । ଲାଗୁଛି, ଯେପରି ରାଜ୍ୟ ସରକାର-ବନ ବିଭାଗ
ଓ ବନ ବିଭାଗ-ଶୀକାରୀଙ୍କ ମଧୁଚନ୍ଦ୍ରିକାରୁ ‘ହାତୀ ବଞ୍ଚିଲେ ଲକ୍ଷେ, ମଲେ ଲକ୍ଷେ’ ଢ଼ଗ ବାସ୍ତବର ରୂପ ନେଇଛି । ସେହିଭଳି କୌଣସି
ଜିନିଷକୁ ଚାରିଆଡ଼ୁ ଘେରିଥିବା କୌଣସି ରେଖା ବା ଆକାରକୁ ହତା କୁହାଯାଏ ଏବଂ ହାତୀବଂଶ ମାନଚିତ୍ରକୁ
ସେହି ହତାରେ ରଖି ଦେଖିଲେ ହାତୀବଂଶଙ୍କ ହତା କ୍ଷୟ ହେବାରେ ଲାଗିଛି କହିବା ହିଁ ବାହୁଲ୍ୟ ଓ ହାତୀ
ସୁରକ୍ଷାର ଭୟ ସରକାରଙ୍କ ନିଦ ହଜାଇଛି କହିବା ମଧ୍ୟ ଅତ୍ୟୁକ୍ତି ହେବ ନାହିଁ ।
![]() |
| The New Indian Express 20-11-2022 |
ହାତୀ ହେଉଛି ଆମର ଐତିହ୍ୟ ପ୍ରାଣୀ ଏବଂ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁସାରେ ହାତୀଙ୍କୁ ସର୍ବୋଚ୍ଚ ସୁରକ୍ଷା ଦିଆଯାଇଛି । ହାତୀ ଏପରି ଏକ ପ୍ରାଣୀ ତା’ର ଠାଣି ଓ ଚଳଣୀକୁ ଦେଖି ଲୋକେ ଅନେକ କଥା କହିଥାନ୍ତି । ପିଲାଙ୍କୁ ଶୁଆଇବାକୁ ହେଲେ ‘ଝୁଲରେ ହାତୀ ଝୁଲ, ବାଆ ପାଣି ଖାଇ ଫୁଲ’ କୁହାଯାଏ । ମା’ ଲକ୍ଷ୍ମୀଙ୍କ ଦୁଇ ପାର୍ଶ୍ୱରେ ହାତୀର ମୂର୍ତ୍ତି ଚିତ୍ର ହେଉ କିମ୍ବା କେଣାର୍କର ସୂର୍ଯ୍ୟ ମନ୍ଦିର ସମେତ ବିଭିନ୍ନ ଦେବାଦେବୀ ମନ୍ଦିରରେ ହାତୀ ଚିତ୍ରକଳା ହେଉ ଅବା ଭଗବାନ ଶ୍ରୀଗଣେଶଙ୍କ ଅନ୍ୟନାମ କୁହନ୍ତୁ, ସବୁଠି ହସ୍ତୀ ବିଦିତ । ଓଡ଼ିଶାର ପାରମ୍ପରିକ କଳା, ଭାସ୍କର୍ଯ୍ୟ, ପଟ୍ଟଚିତ୍ର, ଝୋଟି ଓ ଚିତା ଆଦିରେ ହାତୀର ସ୍ଥାନ ଉଣା ନୁହେଁ । ‘ଆହେ ନୀଳ ଶୈଳ’ ପଦ୍ୟରେ ମଧ୍ୟ ହସ୍ତୀ ସ୍ଥାନିତ । ଚଳଚ୍ଚିତ୍ର ‘ହାତୀ ମେରା ସାଥୀ’ ମଧ୍ୟ ହାତୀ ଓ ମନୁଷ୍ୟର ସମ୍ପର୍କକୁ ନିବିଡ଼ କରାଇଛି । ଇତିହାସର ପୃଷ୍ଠାର ପ୍ରଥମରୁ ଦେଖିଲେ ମନୁଷ୍ୟ ଓ ହାତୀର ସୁସମ୍ପର୍କ ଅଦ୍ଭୁତ ବୋଲି ମନେହୁଏ । ଏହା ସତ୍ତ୍ୱେ ଏହି ବିରାଟକାୟ ସ୍ଥଳଚର ଜୀବ ଧୀରେ ଧୀରେ ଲୋପ ହେବା ସ୍ଥିତିରେ ଯାଉଛି ବୋଲି ଭାବିଲେ ବିଶ୍ୱାସ ହେଉ ନାହିଁ ।
![]() |
|
Odisha pattachitra elephant, Pinterest |
ତଥ୍ୟ ଦେଖିଲେ ଜଣାପଡ଼ୁଛି ଯେ
୨୦୧୧-୧୨ ଠାରୁ ୨୦୨୧-୨୨ ବାର ବର୍ଷ ମଧ୍ୟରେ ରାଜ୍ୟରେ ୯୩୫ଟି ହାତୀଙ୍କର ମୃତ୍ୟୁ ହୋଇଛି । କେବଳ
ବିଗତ ୩ ବର୍ଷରେ ୨୪୫ ହାତୀ ମୃତ୍ୟୁ ଘଟିଲାଣି ବୋଲି ବିଧାନସଭାରେ ଜଙ୍ଗଲ ବିଭାଗ ପକ୍ଷରୁ ଉତ୍ତର
ରଖାଯାଇଛି । ତିନି ବର୍ଷର ହିସାବକୁ ଦେଖିଲେ ହାରାହାରି ୮୨ ହାତୀଙ୍କର ମୃତ୍ୟୁ ଘଟୁଛି । ଆଠଗଡ଼,
ଢ଼େଙ୍କାନାଳ,
ଶିମିଳିପାଳ,
କେନ୍ଦୁଝର ଓ
ସାତକୋଶିଆ ବନାଞ୍ଚଳରେ ଅଧିକ ସଂଖ୍ୟାରେ ହାତୀ ମରୁଛନ୍ତି । ସେହିପରି ଓଡ଼ିଶାରେ ହାତୀ
ମୃତ୍ୟୁହାର ଅନ୍ୟ ରାଜ୍ୟ ତୁଳନାରେ ଢେର ଅଧିକ ବୋଲି ଜଣାପଡ଼ିଛି । ୧୯୯୦ରୁ ୨୦୦୦ ଦଶବର୍ଷ
ମଧ୍ୟରେ ବର୍ଷକୁ ରାଜ୍ୟରେ ପ୍ରାୟ ୩୩ଟି ହାତୀ ମୃତ୍ୟୁବରଣ କରୁଥିଲେ । ୨୦୧୦ରୁ ଆଜି ପର୍ଯ୍ୟନ୍ତ
ବର୍ଷକୁ ହାରାହାରି ୭୮ଟି ହାତୀ ମରିଛନ୍ତି । ଅନେକ ହାତୀଙ୍କୁ ଶୀକାର କରାଯାଉଛି ।
ଶିକାର,
ଦୁର୍ଘଟଣା,
ବିଦ୍ୟୁତ ଆଘାତ,
ମନୁଷ୍ୟକୃତ ବିଷ
ପ୍ରୟୋଗ ଓ ବିଶେଷ ଭାବରେ ହାତୀଙ୍କ ମୃତ୍ୟୁ ଅସ୍ୱାଭାବିକ ପ୍ରକ୍ରିୟାରେ ହେଉଛି । ଓଡ଼ିଶାର
ଜଙ୍ଗଲ ବିଭାଗର ଦୁର୍ବଳତା କାରଣରୁ ହାତୀଦାନ୍ତ ମାଫିଆମାନେ ଶିକାରୀଙ୍କୁ ଲଗାଇ ଦନ୍ତାହାତୀଙ୍କୁ
ମାରି ଦାନ୍ତ କାଟି ନେଉଛନ୍ତି । ୨୦୨୦ ଅଗଷ୍ଟ ୩୧ରେ କେନ୍ଦୁଝର ଓ୍ୱାଇଲ୍ଡ ଲାଇଫ ଡ଼ିଭିଜନ
ହରିଚନ୍ଦନପୁର ସେକ୍ସନରୁ ୧୯ କିଲୋ ଓଜନର ୧୪ ହାତୀଦାନ୍ତ ଜବତ ହୋଇଥିଲା । ସେହିପରି ୨୦୨୦
ଅକ୍ଟୋବର ୯ରେ ଦେଓଗଡ଼ ଡିଭିଜନ ପାଲଲହଡା ରେଞ୍ଜରୁ ୧୦ କେଜି ଓଜନର ୨ଟି ଦାନ୍ତ ଓ ୨୦୨୧ ଜାନୁଆରୀ
୧୩ରେ ସମ୍ବଲପୁର ଡ଼ିଭିଜନ ବରୋଇପାଲିରୁ ୨ଟି ଦାନ୍ତ ଏଭଳି ଅନେକ ପ୍ରମାଣରୁ ହାତୀ ଶିକାରୀମାନେ
ସକ୍ରିୟ ଥିବା ଜଣାପଡ଼ୁଛି । ଅପରପକ୍ଷରେ ହାତୀ ଦାନ୍ତ ବିଦେଶ ଚାଲାଣ ହେଉଥିବା ଜଣାପଡ଼ିଛି ।
ହାତୀ ଦାନ୍ତର ବଡ଼ ବଜାର ହେଉଛି ଚୀନ । ଯେଉଁଥିପାଇଁ ଅଧିକ ରୋଜଗାର କରିବା ଆଶାରେ ହାତୀ
ଶିକାରମାନେ ହାତୀ ଶିକାର କରିବାକୁ ପଛାଉ ନାହାନ୍ତି । ତେବେ ଏହି ହାତୀ ଦାନ୍ତ ରାକେଟରେ ରାଜ୍ୟରେ ଜଙ୍ଗଲ
ଦସ୍ୟୁ ବୀରାପାନର ଭୂମିକା ଗ୍ରହଣ କରିଛି କିଏ ?
![]() |
| Picture credit - Down to Earth |
ହାତୀ ବଂଶ ଲୋପ କରିବା ପଛରେ ବିଦ୍ୟୁତ୍ ବିଭାଗ ମଧ୍ୟ ଦାୟୀ ରହିଛି । ୨୦୧୮ ଅକ୍ଟୋବର ମାସରେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କମଳାଙ୍ଗ ନିକଟରେ ବିଦ୍ୟୁତ୍ ଆଘାତରେ ୭ ହାତୀ ମୃତ୍ୟୁବରଣ କରିଥିଲେ । ତନ୍ମଧ୍ୟରୁ ଏକ ଗର୍ଭବତୀ ଥିବା ହାତୀର ଶାବକ ନଷ୍ଟ ହୋଇଯାଇଥିଲା । ସେହି ଘଟଣା ପରେ ଅନେକ ବୁଦ୍ଧିଜୀବୀ ମହଲ ପ୍ରତିକ୍ରିୟାଶୀଳ ହୋଇ ଉଠିଥିଲା ଏବଂ ହାତୀଙ୍କ ସୁରକ୍ଷା ଦାବୀରେ ଚର୍ଚ୍ଚା ଆଲୋଚନା ଯୋର୍ ହୋଇଥିଲା ଓ ହାଇକୋର୍ଟରେ ଏ ପ୍ରସଙ୍ଗରେ ବିଦ୍ୟୁତ ବିଭାଗ ସେସୁକୁ ପକ୍ଷଭୁକ୍ତ କରାଯାଇ ଅନେକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା । ନିକଟରେ କେନ୍ଦୁଝର ଜିଲ୍ଲାରେ ବିଜୁଳି ତାର ସଂସ୍ପର୍ଶରେ ୨ ମାଈ ହାତୀଙ୍କ ମୃତ୍ୟୁ ହୋଇଛି । ଉଦବେଗର ବିଷୟ ହେଉଛି ଦୁଇ ମାଈ ହାତୀଙ୍କ ମଧ୍ୟରୁ ଜଣେ ପ୍ରସୂତି ଥିବା ବେଳେ ଆଉ ଜଣେ ଗର୍ଭବତୀ ଥିଲା । ଖାଦ୍ୟ ଅନ୍ୱେଷଣରେ ଆସି ଏହି ଦୁଇ ହାତୀଙ୍କ ପ୍ରାଣହାନୀ ଘଟିଛି ।
ରେଳ ବିଭାଗକୁ ମଧ୍ୟ ଏହି ପ୍ରସଙ୍ଗରୁ ବାଦ୍ ଦିଆନଯାଇପାରେ । ଗତ ଅଢେଇ ବର୍ଷରେ ରାଜ୍ୟରେ ରେଳ ଧକ୍କାରେ ୧୩ ହାତୀଙ୍କ ମୃତ୍ୟୁ ହେଲାଣି । ୨୦୧୮ ଏପ୍ରିଲରେ ଝାରସୁଗୁଡାରେ ୪ଟି ହାତୀଙ୍କ ଉପରେ ଟ୍ରେନ୍ ଚଢି ଯାଇଥିଲା । ୨୦୨୧ ଫେବୃଆରୀରେ ରାଉରକେଲାରେ ମାଲବାହୀ ଟ୍ରେନ୍ ଧକ୍କାରେ ଦୁଇ ହାତୀଙ୍କ ମୃତ୍ୟୁ ହୋଇଥିଲା । ଏହାବ୍ୟତିତ ୨୦୧୨ ଡିସେମ୍ବରରେ ଗଞ୍ଜାମର ସୁବଳୟାରେ କରମଣ୍ଡଳ ଏକ୍ସପ୍ରେସ ଧକ୍କାରେ ୬ ହାତୀଙ୍କ ଜୀବନ ଯାଇଥିଲା। ଅନେକ ସ୍ଥାନରେ ହାତୀକୁ ମାରି ପୋତି ଦିଆଯାଉଛି ଓ ପରେ ଗଳିତ ଶବ ଏବଂ କଙ୍କାଳ ଉଦ୍ଧାର ହେଉଛି । ଗତ ୪ ମାସରେ ଆଠଗଡ଼ରୁ ୪ ହାତୀର ଶବ ପୋତାମାଟିରୁ ଉଦ୍ଧାର କରାଯାଇଛି । ଏହାବ୍ୟତିତ ଅସୁସ୍ଥ ହାତୀଙ୍କୁ ସୁସ୍ଥ କରିବା କିମ୍ବା ହାତୀଙ୍କୁ ଧରିବା ପାଇଁ ଉତ୍ପାତିଆ ହାତୀଙ୍କୁ କାବୁ କରିବା ପାଇଁ ବନ ବିଭାଗ ଟ୍ରାଙ୍କୁଲାଇଜ କରୁଛି । ଫଳରେ ମାତ୍ରାଧିକ ଡ଼ୋଜ ଯୋଗୁଁ ଅନେକ ସମୟରେ ହାତୀ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ନିକଟରେ ଚନ୍ଦକା-ଡ଼ମପଡ଼ା ଅଭୟାରଣ୍ୟରେ କୁମକୀ ପ୍ରଶିକ୍ଷଣ ନେଉଥିବା ‘ନନ୍ଦ' ହାତୀକୁ ବାରମ୍ବାର ଟ୍ରାଙ୍କୁଲାଇଜ୍ କରିବା କାରଣରୁ ତା’ର ମୃତ୍ୟୁ ଘଟିଲା ବୋଲି କୁହାଯାଉଛି ।
ଅତୀତରେ ଓଡ଼ିଶାରେ ମାତ୍ର ୧୭ଟି ଜିଲ୍ଲାରେ ହାତୀ ଦେଖିବାକୁ ମିଳୁଥିଲା ମାତ୍ର ଏବେ ୨୬ଟି ଜିଲ୍ଲାରେ ହାତୀ ଦେଖିବାକୁ ମିଳୁଛି । ରାଜ୍ୟରେ ୫୦ଟି ବନ ଓ ବନ୍ୟାପ୍ରାଣୀ ଡ଼ିଭିଜନ ମଧ୍ୟରୁ ପ୍ରାୟ ୪୪ଟିରେ ହାତୀମାନେ ଚଳପ୍ରଚଳ କରୁଛନ୍ତି । ଅପରପକ୍ଷରେ ରାଜ୍ୟରେ ୫ ବର୍ଷ ହେବ ହାତୀ ଗଣନା ହୋଇନାହିଁ । ୨୦୧୭ରେ ଶେଷ ଥର ହାତୀ ଗଣନା କରାଯାଇଥିଲା । ଖାଦ୍ୟ ଅନ୍ୱେଷଣରେ ହାତୀପଲ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ପଶ୍ଚିମବଙ୍ଗ ଜଙ୍ଗଲକୁ ପଳାଉଥିବାରୁ ରାଜ୍ୟରେ ହାତୀ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ୧୯୭୯ ମସିହାରେ ରାଜ୍ୟର ଢ଼େଙ୍କାନାଳ, ଦେବଗଡ଼, ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ଅନୁଗୋଳ, ସୁନ୍ଦରଗଡ଼ ଏବଂ କଟକର ଘଞ୍ଚଜଙ୍ଗଲରେ ୨,୦୪୪ ହାତୀ ଥିଲେ । ଏବେ ୨୦୧୭ ଗଣନା ତୁଳନାରେ ୧,୯୭୬ଟି ହାତୀ ଓଡ଼ିଶାରେ ଅଛନ୍ତି । ବର୍ତ୍ତମାନ ଭାରତବର୍ଷରେ ହାତୀ ବହୁଳ ରାଜ୍ୟ ତାଲିକାର ଶୀର୍ଷ ସ୍ଥାନରେ କର୍ଣ୍ଣାଟକ ରହିଛି । କର୍ଣ୍ଣାଟକରେ ହାତୀ ସଂଖ୍ୟା ୬,୦୪୯ ଥିବା ବେଳେ ଆସାମରେ ୫,୭୧୯, କେରଳରେ ୫,୭୦୬, ତାମିଲନାଡ଼ୁରେ ୨,୭୬୧ ଓ ପରେ ଓଡ଼ିଶା, ଉତ୍ତରାଖଣ୍ଡ, ମେଘାଳୟ, ଅରୁଣାଚଳ ପ୍ରଦେଶ, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ରାଜ୍ୟ ପଛକୁ ପଛ ରହିଛି ।
ହାତୀଙ୍କ ସୁରକ୍ଷାରେ ଓଡ଼ିଶା ସରକାରଙ୍କ ପଦକ୍ଷେପ ଠିକରେ କାର୍ଯ୍ୟକାରୀ ହେଉନାହିଁ । ହାତୀଙ୍କ ଗତିବିଧି ଉପରେ ନଜର ରଖିବାକୁ ହାତୀଙ୍କ ବେକରେ ରେଡ଼ିଓ କଲାର୍ ଲଗାଇବାକୁ ବନ ବିଭାଗର ଉଦ୍ୟମ ଫେଲ୍ ମାରିଛି । ହାତୀଙ୍କ ରେଳ ଧାରଣାରେ ଅଣ୍ଡର ପାସ୍, ହାତୀ ସୁରକ୍ଷା ଓ ସୁପରିଚାଳନା ପାଇଁ ୪ ଥାକିଆ ବ୍ୟବସ୍ଥା ଭେଳିକି । ହାତୀ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ପାଣିରେ ପଡ଼ିଛି । ପାଟ୍ରୋଲିଂ ପାଇଁ ନିୟୋଜିତ ସ୍ୱତନ୍ତ୍ର ବନ କର୍ମଚାରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ଦୋଷୀ ଓ ଶିକାରୀଙ୍କ ବିରୋଧରେ ବନ୍ୟଜନ୍ତୁ ସୁରକ୍ଷା ଆଇନ-୧୯୭୨ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ବନ ବିଭାଗର ତଳତଳିଆ କର୍ମଚାରୀଙ୍କୁ ଫସେଇ ଦେଇ ଆମେ କାର୍ଯ୍ୟାନୁଷ୍ଠାନ ନେଇଛୁ ବୋଲି କୁହାଯାଉଛି ।
ସେହିପରି ହାତୀ କୋରିଡ଼ର କଥା ନ କହିଲେ ଚଳେ । ଭାରତରେ ୮୮ଟି ହାତୀ ଚଲାବୁଲା ପଥ ବା ହାତୀ କୋରିଡ଼ର ରହିଥିବା ବେଳେ ଓଡ଼ିଶାରେ ୯ଟି ହାତୀ ପଥ ଚିହ୍ନଟ, ଟିହ୍ନଟରେ ହିଁ ରହିଯାଇଛି । ମାତ୍ର ଏହି ହାତୀ ଚଲାବୁଲା ପଥ ବର୍ତ୍ତମାନ ଆଉ ନିର୍ଦ୍ଦିଷ୍ଟ ହୋଇ ରହିବାର ଦେଖାଯାଉନାହିଁ । ଗତ ଦୁଇ ଦିନ ତଳେ ରାଜ୍ୟରେ ହାତୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଗଠନ କରିଥିବା ଯୁଗ୍ମ ଟାସ୍କଫୋର୍ସକୁ ହାଇକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି । ସରକାର ଯେଉଁ ଢ଼ାଞ୍ଚାରେ ଟାସ୍କଫୋର୍ସ ଗଠନ କରିଛନ୍ତି ତାହା ତ୍ରୁଟିପୂର୍ଣ୍ଣ ଓ ସବୁ ଦିଗକୁ ଅନୁଧ୍ୟାନ କରାଯାଇନାହିଁ । ସେଥିପାଇଁ ନୂଆ ଟାକ୍ସ ଫୋର୍ସ ଗଠନ କରାଯିବା ନେଇ ନିଷ୍ପତି ହୋଇଛି । ଏହି ସବୁ ବିଷୟକୁ କେନ୍ଦ୍ର ଓ ରାଜ୍ୟ ସରକାର ଅନୁଚିନ୍ତନ କରିବା ସହ ତତ୍ପରତାର ସହ ପଦକ୍ଷେପ ନେବା ଜରୁରୀ ।




Comments
Post a Comment