‘ହାତୀ ବଞ୍ଚିଲେ ଲକ୍ଷେ, ମଲେ ଲକ୍ଷେ’: ହତା କ୍ଷୟ ନା ହାତୀ ଭୟ ?


ସମଗ୍ର ଭାରତବର୍ଷରେ ଓଡ଼ିଶା ଏକ ହାତୀ ବହୁଳ ରାଜ୍ୟ । ଭୋଗୋଳିକ ଓ ପର୍ଯ୍ୟାବରଣ ଦୃଷ୍ଟିରୁ ହାତୀଙ୍କ ଉପଯୁକ୍ତ ସ୍ଥାନ ମଧ୍ୟରୁ ଆମ ରାଜ୍ୟ ଅନ୍ୟତମ । ଆମର ପ୍ରାଚୀନ ପରମ୍ପରା ,ସଂସ୍କୃତି ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଐରାବତ ବା ହାତୀର ସ୍ଥାନ ସ୍ୱତନ୍ତ୍ର । ମାତ୍ର ବିଗତ ବର୍ଷ ମାନଙ୍କରେ ରାଜ୍ୟ ସରକାର ଓ ଜଙ୍ଗଲ ବିଭାଗର ଉଦାସୀନତା କାରଣରୁ ଏହି ବିଶାଳକାୟ ସ୍ଥଳଚର ଜୀବ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି ବିଗତ ଛଅ ମାସ ଧରି ଖବରକାଗଜର ପ୍ରଥମ ପୃଷ୍ଠାରେ ମୁଖ୍ୟ ଶୀରୋନାମା ପାଲଟିଛି ଏହି ଖବର ଶିମିଳିପାଳ, ସାତକୋଶିଆ, କେନ୍ଦୁଝର ଠାରୁ ଆରମ୍ଭ କରି ଚନ୍ଦକା, ବାରପାହାଡ଼, ରେଢ଼ାଖୋଲ ଘଞ୍ଚ ଜଙ୍ଗଲରେ ହାତୀଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀ ଅସୁରକ୍ଷିତ ହୋଇଛି । ଜଙ୍ଗଲ କ୍ଷୟ, ଖାଦ୍ୟାଭାବ, ଶୀକାରୀଙ୍କ ପ୍ରାଦୁର୍ଭାବ ବିଶେଷ ଭାବରେ ଅସ୍ୱାଭାବିକ ହାତୀ ମୃତ୍ୟୁ ବେଶ୍ ଚିନ୍ତାଜନକ ହୋଇଛି । ଟ୍ରେନ, ଗାଡ଼ି ଧକ୍କା ଓ ବିଦ୍ୟୁତ ଆଘାତରେ ହାତୀଙ୍କ ପ୍ରାଣହାନୀ ଘଟୁଛି । ଗଜରାଜର ରାଜ୍ୟ ଏବେ ଗଜଶୂନ୍ୟ ହେବାକୁ ବସିଛି । ଲାଗୁଛି, ଯେପରି ରାଜ୍ୟ ସରକାର-ବନ ବିଭାଗ ଓ ବନ ବିଭାଗ-ଶୀକାରୀଙ୍କ ମଧୁଚନ୍ଦ୍ରିକାରୁ ହାତୀ ବଞ୍ଚିଲେ ଲକ୍ଷେ, ମଲେ ଲକ୍ଷେ ଢ଼ଗ ବାସ୍ତବର ରୂପ ନେଇଛି । ସେହିଭଳି କୌଣସି ଜିନିଷକୁ ଚାରିଆଡ଼ୁ ଘେରିଥିବା କୌଣସି ରେଖା ବା ଆକାରକୁ ହତା କୁହାଯାଏ ଏବଂ ହାତୀବଂଶ ମାନଚିତ୍ରକୁ ସେହି ହତାରେ ରଖି ଦେଖିଲେ ହାତୀବଂଶଙ୍କ ହତା କ୍ଷୟ ହେବାରେ ଲାଗିଛି କହିବା ହିଁ ବାହୁଲ୍ୟ ଓ ହାତୀ ସୁରକ୍ଷାର ଭୟ ସରକାରଙ୍କ ନିଦ ହଜାଇଛି କହିବା ମଧ୍ୟ ଅତ୍ୟୁକ୍ତି ହେବ ନାହିଁ ।

The New Indian Express 20-11-2022

 ହାତୀ ହେଉଛି ଆମର ଐତିହ୍ୟ ପ୍ରାଣୀ ଏବଂ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁସାରେ ହାତୀଙ୍କୁ ସର୍ବୋଚ୍ଚ ସୁରକ୍ଷା ଦିଆଯାଇଛି । ହାତୀ ଏପରି ଏକ ପ୍ରାଣୀ ତାର ଠାଣି ଓ ଚଳଣୀକୁ ଦେଖି ଲୋକେ ଅନେକ କଥା କହିଥାନ୍ତି । ପିଲାଙ୍କୁ ଶୁଆଇବାକୁ ହେଲେ ଝୁଲରେ ହାତୀ ଝୁଲ, ବାଆ ପାଣି ଖାଇ ଫୁଲ କୁହାଯାଏ  । ମା ଲକ୍ଷ୍ମୀଙ୍କ ଦୁଇ ପାର୍ଶ୍ୱରେ ହାତୀର ମୂର୍ତ୍ତି ଚିତ୍ର ହେଉ କିମ୍ବା କେଣାର୍କର ସୂର୍ଯ୍ୟ ମନ୍ଦିର ସମେତ ବିଭିନ୍ନ ଦେବାଦେବୀ ମନ୍ଦିରରେ ହାତୀ ଚିତ୍ରକଳା ହେଉ ଅବା ଭଗବାନ ଶ୍ରୀଗଣେଶଙ୍କ ଅନ୍ୟନାମ କୁହନ୍ତୁ, ସବୁଠି ହସ୍ତୀ ବିଦିତ । ଓଡ଼ିଶାର ପାରମ୍ପରିକ କଳା, ଭାସ୍କର୍ଯ୍ୟ, ପଟ୍ଟଚିତ୍ର, ଝୋଟି ଓ ଚିତା ଆଦିରେ ହାତୀର ସ୍ଥାନ ଉଣା ନୁହେଁ । ଆହେ ନୀଳ ଶୈଳ ପଦ୍ୟରେ ମଧ୍ୟ ହସ୍ତୀ ସ୍ଥାନିତ । ଚଳଚ୍ଚିତ୍ର ହାତୀ ମେରା ସାଥୀ ମଧ୍ୟ ହାତୀ ଓ ମନୁଷ୍ୟର ସମ୍ପର୍କକୁ ନିବିଡ଼ କରାଇଛି । ଇତିହାସର ପୃଷ୍ଠାର ପ୍ରଥମରୁ ଦେଖିଲେ ମନୁଷ୍ୟ ଓ ହାତୀର ସୁସମ୍ପର୍କ ଅଦ୍ଭୁତ ବୋଲି ମନେହୁଏ । ଏହା ସତ୍ତ୍ୱେ ଏହି ବିରାଟକାୟ ସ୍ଥଳଚର ଜୀବ ଧୀରେ ଧୀରେ ଲୋପ ହେବା ସ୍ଥିତିରେ ଯାଉଛି ବୋଲି ଭାବିଲେ ବିଶ୍ୱାସ ହେଉ ନାହିଁ ।  

Odisha pattachitra elephant, Pinterest 

ତଥ୍ୟ ଦେଖିଲେ ଜଣାପଡ଼ୁଛି ଯେ ୨୦୧୧-୧୨ ଠାରୁ ୨୦୨୧-୨୨ ବାର ବର୍ଷ ମଧ୍ୟରେ ରାଜ୍ୟରେ ୯୩୫ଟି ହାତୀଙ୍କର ମୃତ୍ୟୁ ହୋଇଛି । କେବଳ ବିଗତ ୩ ବର୍ଷରେ ୨୪୫ ହାତୀ ମୃତ୍ୟୁ ଘଟିଲାଣି ବୋଲି ବିଧାନସଭାରେ ଜଙ୍ଗଲ ବିଭାଗ ପକ୍ଷରୁ ଉତ୍ତର ରଖାଯାଇଛି । ତିନି ବର୍ଷର ହିସାବକୁ ଦେଖିଲେ ହାରାହାରି ୮୨ ହାତୀଙ୍କର ମୃତ୍ୟୁ ଘଟୁଛି । ଆଠଗଡ଼, ଢ଼େଙ୍କାନାଳ, ଶିମିଳିପାଳ, କେନ୍ଦୁଝର ଓ ସାତକୋଶିଆ ବନାଞ୍ଚଳରେ ଅଧିକ ସଂଖ୍ୟାରେ ହାତୀ ମରୁଛନ୍ତି । ସେହିପରି ଓଡ଼ିଶାରେ ହାତୀ ମୃତ୍ୟୁହାର ଅନ୍ୟ ରାଜ୍ୟ ତୁଳନାରେ ଢେର ଅଧିକ ବୋଲି ଜଣାପଡ଼ିଛି । ୧୯୯୦ରୁ ୨୦୦୦ ଦଶବର୍ଷ ମଧ୍ୟରେ ବର୍ଷକୁ ରାଜ୍ୟରେ ପ୍ରାୟ ୩୩ଟି ହାତୀ ମୃତ୍ୟୁବରଣ କରୁଥିଲେ । ୨୦୧୦ରୁ ଆଜି ପର୍ଯ୍ୟନ୍ତ ବର୍ଷକୁ ହାରାହାରି ୭୮ଟି ହାତୀ ମରିଛନ୍ତି । ଅନେକ ହାତୀଙ୍କୁ ଶୀକାର କରାଯାଉଛି । 

ଶିକାର, ଦୁର୍ଘଟଣା, ବିଦ୍ୟୁତ ଆଘାତ, ମନୁଷ୍ୟକୃତ ବିଷ ପ୍ରୟୋଗ ଓ ବିଶେଷ ଭାବରେ ହାତୀଙ୍କ ମୃତ୍ୟୁ ଅସ୍ୱାଭାବିକ ପ୍ରକ୍ରିୟାରେ ହେଉଛି । ଓଡ଼ିଶାର ଜଙ୍ଗଲ ବିଭାଗର ଦୁର୍ବଳତା କାରଣରୁ ହାତୀଦାନ୍ତ ମାଫିଆମାନେ ଶିକାରୀଙ୍କୁ ଲଗାଇ ଦନ୍ତାହାତୀଙ୍କୁ ମାରି ଦାନ୍ତ କାଟି ନେଉଛନ୍ତି । ୨୦୨୦ ଅଗଷ୍ଟ ୩୧ରେ କେନ୍ଦୁଝର ଓ୍ୱାଇଲ୍ଡ ଲାଇଫ ଡ଼ିଭିଜନ ହରିଚନ୍ଦନପୁର ସେକ୍ସନରୁ ୧୯ କିଲୋ ଓଜନର ୧୪ ହାତୀଦାନ୍ତ ଜବତ ହୋଇଥିଲା । ସେହିପରି ୨୦୨୦ ଅକ୍ଟୋବର ୯ରେ ଦେଓଗଡ଼ ଡିଭିଜନ ପାଲଲହଡା ରେଞ୍ଜରୁ ୧୦ କେଜି ଓଜନର ୨ଟି ଦାନ୍ତ ଓ ୨୦୨୧ ଜାନୁଆରୀ ୧୩ରେ ସମ୍ବଲପୁର ଡ଼ିଭିଜନ ବରୋଇପାଲିରୁ ୨ଟି ଦାନ୍ତ ଏଭଳି ଅନେକ ପ୍ରମାଣରୁ ହାତୀ ଶିକାରୀମାନେ ସକ୍ରିୟ ଥିବା ଜଣାପଡ଼ୁଛି । ଅପରପକ୍ଷରେ ହାତୀ ଦାନ୍ତ ବିଦେଶ ଚାଲାଣ ହେଉଥିବା ଜଣାପଡ଼ିଛି । ହାତୀ ଦାନ୍ତର ବଡ଼ ବଜାର ହେଉଛି ଚୀନ । ଯେଉଁଥିପାଇଁ ଅଧିକ ରୋଜଗାର କରିବା ଆଶାରେ ହାତୀ ଶିକାରମାନେ ହାତୀ ଶିକାର କରିବାକୁ ପଛାଉ ନାହାନ୍ତି ।  ତେବେ ଏହି ହାତୀ ଦାନ୍ତ ରାକେଟରେ ରାଜ୍ୟରେ ଜଙ୍ଗଲ ଦସ୍ୟୁ ବୀରାପାନର ଭୂମିକା ଗ୍ରହଣ କରିଛି କିଏ ?

Picture credit - Down to Earth

ହାତୀ ବଂଶ ଲୋପ କରିବା ପଛରେ ବିଦ୍ୟୁତ୍ ବିଭାଗ ମଧ୍ୟ ଦାୟୀ ରହିଛି । ୨୦୧୮ ଅକ୍ଟୋବର ମାସରେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କମଳାଙ୍ଗ ନିକଟରେ ବିଦ୍ୟୁତ୍ ଆଘାତରେ ୭ ହାତୀ ମୃତ୍ୟୁବରଣ କରିଥିଲେ । ତନ୍ମଧ୍ୟରୁ ଏକ ଗର୍ଭବତୀ ଥିବା ହାତୀର ଶାବକ ନଷ୍ଟ ହୋଇଯାଇଥିଲା । ସେହି ଘଟଣା ପରେ ଅନେକ ବୁଦ୍ଧିଜୀବୀ ମହଲ ପ୍ରତିକ୍ରିୟାଶୀଳ ହୋଇ ଉଠିଥିଲା ଏବଂ ହାତୀଙ୍କ ସୁରକ୍ଷା ଦାବୀରେ ଚର୍ଚ୍ଚା ଆଲୋଚନା ଯୋର୍ ହୋଇଥିଲା ଓ ହାଇକୋର୍ଟରେ ଏ ପ୍ରସଙ୍ଗରେ ବିଦ୍ୟୁତ ବିଭାଗ ସେସୁକୁ ପକ୍ଷଭୁକ୍ତ କରାଯାଇ ଅନେକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା । ନିକଟରେ କେନ୍ଦୁଝର ଜିଲ୍ଲାରେ ବିଜୁଳି ତାର ସଂସ୍ପର୍ଶରେ ୨ ମାଈ ହାତୀଙ୍କ ମୃତ୍ୟୁ ହୋଇଛି । ଉଦବେଗର ବିଷୟ ହେଉଛି ଦୁଇ ମାଈ ହାତୀଙ୍କ ମଧ୍ୟରୁ ଜଣେ ପ୍ରସୂତି ଥିବା ବେଳେ ଆଉ ଜଣେ ଗର୍ଭବତୀ ଥିଲା । ଖାଦ୍ୟ ଅନ୍ୱେଷଣରେ ଆସି ଏହି ଦୁଇ ହାତୀଙ୍କ ପ୍ରାଣହାନୀ ଘଟିଛି ।  

ରେଳ ବିଭାଗକୁ ମଧ୍ୟ ଏହି ପ୍ରସଙ୍ଗରୁ ବାଦ୍ ଦିଆନଯାଇପାରେ । ଗତ ଅଢେଇ ବର୍ଷରେ ରାଜ୍ୟରେ ରେଳ ଧକ୍କାରେ ୧୩ ହାତୀଙ୍କ ମୃତ୍ୟୁ ହେଲାଣି । ୨୦୧୮ ଏପ୍ରିଲରେ ଝାରସୁଗୁଡାରେ ୪ଟି ହାତୀଙ୍କ ଉପରେ ଟ୍ରେନ୍ ଚଢି ଯାଇଥିଲା । ୨୦୨୧ ଫେବୃଆରୀରେ ରାଉରକେଲାରେ ମାଲବାହୀ ଟ୍ରେନ୍ ଧକ୍କାରେ ଦୁଇ ହାତୀଙ୍କ ମୃତ୍ୟୁ ହୋଇଥିଲା । ଏହାବ୍ୟତିତ ୨୦୧୨ ଡିସେମ୍ବରରେ ଗଞ୍ଜାମର ସୁବଳୟାରେ କରମଣ୍ଡଳ ଏକ୍ସପ୍ରେସ ଧକ୍କାରେ ୬ ହାତୀଙ୍କ ଜୀବନ ଯାଇଥିଲା। ଅନେକ ସ୍ଥାନରେ ହାତୀକୁ ମାରି ପୋତି ଦିଆଯାଉଛି ଓ ପରେ ଗଳିତ ଶବ ଏବଂ କଙ୍କାଳ ଉଦ୍ଧାର ହେଉଛି । ଗତ ୪ ମାସରେ ଆଠଗଡ଼ରୁ ୪ ହାତୀର ଶବ ପୋତାମାଟିରୁ ଉଦ୍ଧାର କରାଯାଇଛି । ଏହାବ୍ୟତିତ ଅସୁସ୍ଥ ହାତୀଙ୍କୁ ସୁସ୍ଥ କରିବା କିମ୍ବା ହାତୀଙ୍କୁ ଧରିବା ପାଇଁ ଉତ୍ପାତିଆ ହାତୀଙ୍କୁ କାବୁ କରିବା ପାଇଁ ବନ ବିଭାଗ ଟ୍ରାଙ୍କୁଲାଇଜ କରୁଛି । ଫଳରେ ମାତ୍ରାଧିକ ଡ଼ୋଜ ଯୋଗୁଁ ଅନେକ ସମୟରେ ହାତୀ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ନିକଟରେ ଚନ୍ଦକା-ଡ଼ମପଡ଼ା ଅଭୟାରଣ୍ୟରେ କୁମକୀ ପ୍ରଶିକ୍ଷଣ ନେଉଥିବା ନ୍ଦ' ହାତୀକୁ ବାରମ୍ବାର ଟ୍ରାଙ୍କୁଲାଇଜ୍ କରିବା କାରଣରୁ ତାର ମୃତ୍ୟୁ ଘଟିଲା ବୋଲି କୁହାଯାଉଛି ।  

ଅତୀତରେ ଓଡ଼ିଶାରେ ମାତ୍ର ୧୭ଟି ଜିଲ୍ଲାରେ ହାତୀ ଦେଖିବାକୁ ମିଳୁଥିଲା ମାତ୍ର ଏବେ ୨୬ଟି ଜିଲ୍ଲାରେ ହାତୀ ଦେଖିବାକୁ ମିଳୁଛି । ରାଜ୍ୟରେ ୫୦ଟି ବନ ଓ ବନ୍ୟାପ୍ରାଣୀ ଡ଼ିଭିଜନ ମଧ୍ୟରୁ ପ୍ରାୟ ୪୪ଟିରେ ହାତୀମାନେ ଚଳପ୍ରଚଳ କରୁଛନ୍ତି । ଅପରପକ୍ଷରେ ରାଜ୍ୟରେ ୫ ବର୍ଷ ହେବ ହାତୀ ଗଣନା ହୋଇନାହିଁ । ୨୦୧୭ରେ ଶେଷ ଥର ହାତୀ ଗଣନା କରାଯାଇଥିଲା । ଖାଦ୍ୟ ଅନ୍ୱେଷଣରେ ହାତୀପଲ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ପଶ୍ଚିମବଙ୍ଗ ଜଙ୍ଗଲକୁ ପଳାଉଥିବାରୁ ରାଜ୍ୟରେ ହାତୀ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ୧୯୭୯ ମସିହାରେ ରାଜ୍ୟର ଢ଼େଙ୍କାନାଳ, ଦେବଗଡ଼, ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ଅନୁଗୋଳ, ସୁନ୍ଦରଗଡ଼ ଏବଂ କଟକର ଘଞ୍ଚଜଙ୍ଗଲରେ ୨,୦୪୪ ହାତୀ ଥିଲେ । ଏବେ ୨୦୧୭ ଗଣନା ତୁଳନାରେ ୧,୯୭୬ଟି ହାତୀ ଓଡ଼ିଶାରେ ଅଛନ୍ତି । ବର୍ତ୍ତମାନ ଭାରତବର୍ଷରେ ହାତୀ ବହୁଳ ରାଜ୍ୟ ତାଲିକାର ଶୀର୍ଷ ସ୍ଥାନରେ କର୍ଣ୍ଣାଟକ ରହିଛି । କର୍ଣ୍ଣାଟକରେ ହାତୀ ସଂଖ୍ୟା ୬,୦୪୯ ଥିବା ବେଳେ ଆସାମରେ ୫,୭୧୯, କେରଳରେ ୫,୭୦୬, ତାମିଲନାଡ଼ୁରେ ୨,୭୬୧ ଓ ପରେ ଓଡ଼ିଶା, ଉତ୍ତରାଖଣ୍ଡ, ମେଘାଳୟ, ଅରୁଣାଚଳ ପ୍ରଦେଶ, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ରାଜ୍ୟ ପଛକୁ ପଛ ରହିଛି ।

ହାତୀଙ୍କ ସୁରକ୍ଷାରେ ଓଡ଼ିଶା ସରକାରଙ୍କ ପଦକ୍ଷେପ ଠିକରେ କାର୍ଯ୍ୟକାରୀ ହେଉନାହିଁ । ହାତୀଙ୍କ ଗତିବିଧି ଉପରେ ନଜର ରଖିବାକୁ ହାତୀଙ୍କ ବେକରେ ରେଡ଼ିଓ କଲାର୍ ଲଗାଇବାକୁ ବନ ବିଭାଗର ଉଦ୍ୟମ ଫେଲ୍ ମାରିଛି । ହାତୀଙ୍କ ରେଳ ଧାରଣାରେ ଅଣ୍ଡର ପାସ୍, ହାତୀ ସୁରକ୍ଷା ଓ ସୁପରିଚାଳନା ପାଇଁ ୪ ଥାକିଆ ବ୍ୟବସ୍ଥା ଭେଳିକି । ହାତୀ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ପାଣିରେ ପଡ଼ିଛି । ପାଟ୍ରୋଲିଂ ପାଇଁ ନିୟୋଜିତ ସ୍ୱତନ୍ତ୍ର ବନ କର୍ମଚାରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ଦୋଷୀ ଓ ଶିକାରୀଙ୍କ ବିରୋଧରେ ବନ୍ୟଜନ୍ତୁ ସୁରକ୍ଷା ଆଇନ-୧୯୭୨ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ବନ ବିଭାଗର ତଳତଳିଆ କର୍ମଚାରୀଙ୍କୁ ଫସେଇ ଦେଇ ଆମେ କାର୍ଯ୍ୟାନୁଷ୍ଠାନ ନେଇଛୁ ବୋଲି କୁହାଯାଉଛି । 

ସେହିପରି ହାତୀ କୋରିଡ଼ର କଥା ନ କହିଲେ ଚଳେ । ଭାରତରେ ୮୮ଟି ହାତୀ ଚଲାବୁଲା ପଥ ବା ହାତୀ କୋରିଡ଼ର ରହିଥିବା ବେଳେ ଓଡ଼ିଶାରେ ୯ଟି ହାତୀ ପଥ ଚିହ୍ନଟ, ଟିହ୍ନଟରେ ହିଁ ରହିଯାଇଛି । ମାତ୍ର ଏହି ହାତୀ ଚଲାବୁଲା ପଥ ବର୍ତ୍ତମାନ ଆଉ ନିର୍ଦ୍ଦିଷ୍ଟ ହୋଇ ରହିବାର ଦେଖାଯାଉନାହିଁ । ଗତ ଦୁଇ ଦିନ ତଳେ ରାଜ୍ୟରେ ହାତୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଗଠନ କରିଥିବା ଯୁଗ୍ମ ଟାସ୍କଫୋର୍ସକୁ ହାଇକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି । ସରକାର ଯେଉଁ ଢ଼ାଞ୍ଚାରେ ଟାସ୍କଫୋର୍ସ ଗଠନ କରିଛନ୍ତି ତାହା ତ୍ରୁଟିପୂର୍ଣ୍ଣ ଓ ସବୁ ଦିଗକୁ ଅନୁଧ୍ୟାନ କରାଯାଇନାହିଁ । ସେଥିପାଇଁ ନୂଆ ଟାକ୍ସ ଫୋର୍ସ ଗଠନ କରାଯିବା ନେଇ ନିଷ୍ପତି ହୋଇଛି । ଏହି ସବୁ ବିଷୟକୁ କେନ୍ଦ୍ର ଓ ରାଜ୍ୟ ସରକାର ଅନୁଚିନ୍ତନ କରିବା ସହ ତତ୍ପରତାର ସହ ପଦକ୍ଷେପ ନେବା ଜରୁରୀ ।


ଲେଖକ : ସତ୍ୟଜିତ ସାମଲ 

ଉତ୍ସ - ଖବରକାଗଜ, ଓ୍ୱେବସାଇଟ, ମାଗାଜିନ, ଉତ୍କଳ ପ୍ରସଙ୍ଗ ପତ୍ରିକା, ପୁସ୍ତକ ଚନ୍ଦକା ଅଭୟାରଣ୍ୟ ।  


 

Comments

Popular posts from this blog

Blog No - 49 ‘ଦୀର୍ଘ ୧୪ ବର୍ଷ ପରେ ଏକାଠି’

Blog No 51 - Happy BirthDay Super Star

‘ପଟ୍ଟଚିତ୍ର ଅନୁଭବ, ଶିଳ୍ପୀ ମହାନୁଭବ’

ସ୍ମୃତି ସେ ଦିନର

Blog No - 48 : ସୁଆଣ୍ଡୋରୁ ଜାତିର ଚରିତ୍ର, ସେବାର ମୂର୍ତ୍ତିମନ୍ତ ମହାନାୟକ

ବିଶ୍ୱ ଘରଚଟିଆ ଦିବସ : ମୋ ଟିକି ଚଢେଇ

Story Blog No - 50 ଚିକେନ୍ ପକୋଡା

ଓଡ଼ିଶା ଗଣମାଧ୍ୟମରେ AI

୧୯୮୨ ବନ୍ୟା : ସେହି ଅଗଷ୍ଟ ମାସ ଖୁଦୁରୁକୁଣୀ ଓଷାରେ ବାଙ୍କୀବାସୀଙ୍କ ବିକଟାଳ ଚିତ୍କାର

‘ଅର୍ଗସ’