ମଶାରୀ ଭିତରେ ମଶା


ମଶାରୀ ଭିତରେ ମଶା । ମଶାରୀ ବାହାରେ ମଶା । ପୁରୁଣା ରାଜଧାନୀ ପରେ ଏବେ ରାଜଧାନୀରେ ମଶାଙ୍କ ହାଉଜାଉ । କଟକବାସୀଙ୍କୁ ନିଜର ପରାକ୍ରମ ଦେଖାଇବା ପରେ ଏବେ ରାଜଧାନୀରେ ଦ୍ରୁତ ଗତିରେ ନିଜ ବଂଶ ବିସ୍ତାର କରିଚାଲିଛନ୍ତି ମଶା । ଲକ୍ଷ୍ୟ ସେହି ଗୋଟିଏ । ନିଜର ଶକ୍ତି ପ୍ରଦର୍ଶନ କରିବା । ଗଣମାଧ୍ୟମ ନଜରରେ ଆସିବା । ନିଜର ବଂଶ କାୟା ବିସ୍ତାର କରି ଲୋକଙ୍କୁ ଡରାଇବା । ଭୁବନେଶ୍ୱର ମହାନଗର ନିଗମ ବା ବିଏମସିର ଅପାରଗତାକୁ ଦର୍ଶାଇବା । ଶୀତ ଦିନର ଶିଥିଳତାରେ ମଣିଷକୁ ନିଜର ଉଷ୍ମତା ଦେଖାଇବା । କିନ୍ତୁ ଏତେ ସବୁ ଭିତରେ ମଶାମାନେ ଭୁଲି ଯାଉଛନ୍ତି ଯେ ଆଗକୁ ହକି ବିଶ୍ୱକପ୍ । ଯେଉଁ ସରକାର ଏବେ ବିଶ୍ୱକପ୍ ପାଇଁ ଉଠା ଦୋକାନକୁ ଭାଙ୍ଗୁଛନ୍ତି, କଣ ସେମାନେ ମଶା ସମୂହଙ୍କ ଦମ୍ଭକୁ ଭାଙ୍ଗିପାରିବେ ନାହିଁ ? ଦେଖୁ ଦେଖୁ ଆମ ମେୟର ସୁଲୋଚନା ମ୍ୟାଡାମ୍ କହି ସାରିଲେଣି ଡ୍ରୋନ୍ ମାଧ୍ୟମରେ ମଶାଙ୍କ ଉତ୍ପତ୍ତି ସ୍ଥଳ ଚିହ୍ନଟ କରାଯିବ । ପରେ ସେଠାରେ ମାଶା ତେଲ ସ୍ପ୍ରେ କରାଯାଇ ମଶା ଦମନ କରାଯିବ । ଯେମିତି ସେ ନିର୍ବାଚନ ଆଗରୁ କହିଥିଲେ ଭୁବନେଶ୍ୱରର ମୁକୁଳା ଡ୍ରେନର ତୁରନ୍ତ ସମାଧାନ ହେବ ।


ଭୁବନେଶ୍ୱରରେ ରହୁଥିବା ଜଣେ ବରିଷ୍ଠ ସରକାରୀ ଅଧିକାରୀ ବି କହିଲେ, ଯୁଆଡେ ଦେଖିବ ମଶା । ନେଟଫ୍ଲିକ୍ସ ଦେଖିବା ବେଳକୁ ଚଳଚ୍ଚିତ୍ରର ସାଉଣ୍ଡ କମ୍ ଏବଂ ମଶାଙ୍କ ଗୁଣୁଗୁଣୁ ଶବ୍ଦ ଅଧିକ ଆସୁଛି । ମଶା ଦମନ ପାଇଁ ସେ ରୋବର୍ଟ ଚଳଚ୍ଚିତ୍ରର ସୁପରଷ୍ଟାର୍ ରଜନୀକାନ୍ତଙ୍କ ଭଳି ଜଣେ ରୋବର୍ଟକୁ ନିଯୁକ୍ତ କରିବା ପାଇଁ ସରକାରଙ୍କ ଠାରୁ ଅପେକ୍ଷା ରଖିଛନ୍ତି । ଯେମିତି ସେ ମଶା ଗୋଷ୍ଠୀଙ୍କ ଲିଡରଙ୍କ ପାଖକୁ ଯାଇ ଐଶର୍ଯ୍ୟା ରାୟଙ୍କ ଭଳି ସମସ୍ତଙ୍କୁ ନକାମୁଡିବା ପାଇଁ ପରାମର୍ଶ ଦେଇପାରିବ । ସେ ଆହୁରି ସରକାରଙ୍କ ସପକ୍ଷରେ ଯୁକ୍ତି ବି ବାଢୁଛନ୍ତି, କହୁଛନ୍ତି ସରକାର ଭୁବନେଶ୍ୱରବାସୀଙ୍କ ସହନଶୀଳତାର ପରୀକ୍ଷା ନେଉଛନ୍ତି । ଏ ତ ଗଲା ରଘୁ ବାବୁଙ୍କ କଥା । ଶାସ୍ତ୍ରୀନଗରରେ ରହୁଥିବା ଶ୍ରୀମତୀ ମନୋରମାଙ୍କ ଦାବି ମଧ୍ୟ କମ୍ ଗୁଣରେ କମ୍ ନୁହେଁ । ସେ ମଶାଙ୍କୁ ଜାତୀୟ କୀଟ୍ଟ ଭାବେ ଘୋଷଣା କରିବା ପାଇଁ ମଧ୍ୟ ଦାବି କରୁଛନ୍ତି । ତାଙ୍କ କଥାରେ ପଡୋଶୀମାନେ ବି ସହମତ । ଶ୍ରୀମତୀଙ୍କ କଥା ଛାଡନ୍ତୁ । ଏବେ ଶୁଣନ୍ତୁ ସତ୍ୟଜିତ୍ ବାବୁଙ୍କ କଥା, ସେ କହୁଛନ୍ତି ମଶାକୁ ନେଇ ଯେଭଳି ଚର୍ଚ୍ଚା ଆଲୋଚନା ଚାଲିଛି, ମାଲକାନଗିରିରେ ମଶା ଦମନକୁ ନେଇ ଆଧାରିତ ଦମନ ଚଳଚ୍ଚିତ୍ର ପରେ ଭୁବନେଶ୍ୱରକୁ ନେଇ ଦମନ ଚଳଚ୍ଚିତ୍ରର ଦ୍ୱିତୀୟ ଭାଗ ସୁଟିଂ ହେବ, ନୁହେଁ କି ?

 ଲେଖକ - ସତ୍ୟଜିତ୍ ସାମଲ 

Comments