‘ଡର’



ପତ୍ନିଙ୍କୁ ଧରି ଫିଲ୍ମ ଦେଖିବାକୁ ଯିବାର ଅଛି । ଭୂତ ଫିଲ୍ମ ଦ ନନ୍। ସେ ଦିନ ଆମ ପ୍ରିୟତମା ଜିଦ୍ ଧରିଥିଲେ ମୁଭି ଦେଖିବା ପାଇଁ । ତେଣୁ ଅଫିସରୁ ସିଧା ଘରକୁ ପଳେଇ ଆସିଲି । ପୂର୍ବରୁ ଅନଲାଇନ୍ ଟିକେଟ୍ ବି କାଟି ଦେଇଥିଲୁ । ତେବେ ସେଦିନ ମୁଁ ଘରେ ପହଁଚି ଆଶ୍ଚର୍ଯ୍ୟ ହେଲି ଯେ, ମୋର ଅଳସେଇ ସ୍ତ୍ରୀ ଚୁଟକିନି କାମ ସାରି ୧ ଘଣ୍ଟା ପୂର୍ବରୁ ବାହାରି ଯାଇଥିଲା । ଏତିକି ନୁହଁ, ମୋ ପାଇଁ ଡ୍ରେସ ଆଉ ଖାଇବା ମଧ୍ୟ ପ୍ରସ୍ତୁତ କରି ଡାଇନିଂରେ ରଖି ଦେଇଥଲା । ଶେଷରେ ଆମେ ଚାଲିଲୁ ଫିଲ୍ମ ଅଭିମୁଖେ । ବାଇକରେ ବସି ଦୁଇ ଜଣ ଫୁର୍ ମାଇଲୁ ।

ସୋଆରମ୍ଭ ହୋଇଗଲା । କିଛି ସମୟ ଗଲା ପରେ ମୁଁ ଖୁସି ହେବାକୁ ଲାଗିଲି । କାହିଁକି ନା ୫ ବର୍ଷ ଧରି ମୁଁ ଯେଉଁ ସ୍ତ୍ରୀକୁ ଡରୁଥିଲି, ଆଜି ତାମୁହଁରେ ମୁଁ ଡରଦେଖିବାକୁ ପାଇଥିଲି। ହଲ ଭିତରେ ମୋତେ ପୂରା କୋଳେଇକି ଧରିଥାଏ ମୋ ପ୍ରିୟତମା । ଆହାଃ... ବାହାଘର ପର ଠାରୁ ହୁଏତ ମୋ ପତ୍ନୀ ମୋତେ ଏତେ ଭଲପାଉନଥିଲେ । ମନେମନେ ଖୁସି ହେଲି ଆଉ ନିଜକୁ ଏବଂ ଫିଲ୍ମର ନିର୍ମାତାକୁ ଧନ୍ୟବାଦ ଦେଲି । ମୋ ପତ୍ନୀ ଏତେ ଡରି ଯାଇଥିଲେ ଯେ ମୋତେ କେଇଁ ସେକେଣ୍ଡ ଛାଡିବାକୁ ବି ଅମଙ୍ଗ ଥିଲେ । ମୋ ହାତ ଯୋରରେ ଧରିଥିଲେ କୋଳେଇକି ।

ଫିଲ୍ମର ମଧ୍ୟ ବିରତିରେ ବାହାରିଲି ପପକନ୍ ଆଣିବା ପାଇଁ । କିନ୍ତୁ ଉଠୁଉଠୁ ପତ୍ନି କହିଲେ କୁଆଡେ ଯାଉଛ ? ମୁଁ କହିଲି ତୁମ ପାଇଁ ପପକନ ଓ କୋଲଡ୍ରିଙ୍ଗସ୍ ଆଣିବାକୁ । ସେ କିନ୍ତୁ ମୋତେ ମନା କଲେ ଆଣିବା ପାଇଁ । କହିଲେ ଏଠି ବସ କୁଆଡେ ଯାଅନି, ନ ହେଲେ ଚାଲ ଘରକୁ ପଳେଇବା । କାହିଁକି ମୋତେ ଛାଡିଲାନି.. ଏ ପ୍ରଶ୍ନର ଉତ୍ତର ଆପଣ ଯାହା ଭାବୁଛନ୍ତି ମୁଁ ବି ସେଇଆ ଭାବିଲି । ହୁଏତ ମୋତେ ପତ୍ନୀଙ୍କର ଆଉ ଟିକେ ଡର ଦେଖିବାକୁ ଚାହୁଁଥିଲି ।  ହବନି ବି କେମିତି । ସିଏ ଯାହା ବି ହେଉ ସେଦିନ ମୋ ପାଇଁ ଡବଲ ଧମାକା ଥିଲା । ପତ୍ନୀଙ୍କ ଡରରେ ଭଲ ପାଇବା ଆଉ ପର୍ସରୁ ପଇସା ଖର୍ଚ୍ଚ ନ ହେବା । ଗୋଟେ ସ୍ୱାମୀକୁ ୟାଠୁ ବଳି ଆଉ କଣ ଦରକାର ? ତାଙ୍କୁ ବାଧ୍ୟ କରି ପୁଣି ପୂର୍ବ ଭଳି ଫିଲ୍ମ ଦେଖିବାରେ ଆମେ ବ୍ୟସ୍ତ ରହିଲୁ ।

ଫିଲ୍ମ ସରିଲା । ସ୍ତ୍ରୀ ମୋତେ ବାଟଯାକ କୁଣ୍ଢେଇକି ଧରିଥାନ୍ତି । ଏତେ ଭୟ ଯେ, ବାଟରେ ଖାଇବାକୁ ବି ମନାକଲେ । ସଦାବେଳେ ଚେଁ ଚେଁ ହେଉଥିବା ମୋ ସ୍ତ୍ରୀଙ୍କ ମୁଖରୁ ହୁଁ ନା ଚୁଁ - କିଛି ବି ଶବ୍ଦ ବାହାରୁନଥିଲା । ଏଇଆ ଭାବୁ ଭାବୁ ଘରେ ପହଞ୍ଚିଲୁ । ଘର କବାଟ ଖୋଲିଲୁ । ଆରେ ଏ କଣ ? ସୋନୁ କାଇଁ ? ପତ୍ନୀ କହିଲେ । ସ୍ତ୍ରୀଙ୍କ ପାଟି ଶୁଣି ମୁଁ ଭୟଭୀତ ହୋଇଗଲି ଓ ତତକ୍ଷଣାତ୍ ବେଡ୍ ରୁମକୁ ଧାଇଁଲି । ଆରେ ସତେ ତ ସୋନୁ କାଇଁ ? ରୁମ ଯାକ ଖୋଜାଖୋଜି କଲୁ । ଘରର ୩ଟି ରୁମ ମାରାଥନରେ ଖୋଜିଲୁ । ହେଲେ ସୋନୁ କୁଆଡେ ଗଲା ? ଘର ତ ତାଲା ପକେଇକି ଯାଇଥିଲୁ.. ତା ହେଲେ ସୋନୁ... । ୫ ବର୍ଷର ପିଲାଟେ । ମୁଁ କହୁଥିଲି ନା ପୁଅକୁ ସାଙ୍ଗରେ ନେଇଯିବା ବୋଲି । କିନ୍ତୁ ନା ତମେ କହିଲ ସୋନୁ ଦିନଯାକ ଖେଳିଖେଳି ଶୋଇଛି । ଶୋଇଥାଉ । ଦେଖିଲ କଣ ହେଲା ?

ଏତିକିବେଳେ ମୋ ସ୍ତ୍ରୀ କାନ୍ଦି ଉଠିଲେ । କାନ୍ଦି କାନ୍ଦି କହୁଥାନ୍ତି, କୁଆଡେ ଗଲା ମୋ ଧନ । ହାତୀ ଛୁଆ ପରି ବିଞ୍ଚି ବିଞ୍ଚି ତାକୁ ବଡ କରିଛି । କାଚ ଜାରରେ ଥିଲା । ତା ପାଇଁ କେତେ ଯେ ମାନସିକ ନ କରିଛି ମୁଁ । ଓ ହଃ... ସେ ବାଜେ କଥା ବନ୍ଦ କଲ । ଆଉ ତମେ କାନ୍ଦିବା ବନ୍ଦ କର । ରାଗିକି ମୁଁ କହିଲି । ମୁଁ ପୋଲିସକୁ ଫୋନ କରିବାକୁ ବାହାରିଥାଏ । ହଠାତ୍ କିଏ ମୋ କାନ କାନ ପାଖରେ ଯୋରରେ ଭୋ କିନି ଶବ୍ଦ କଲା । ବାପା ଦେଖିଲ ମୁଁ ତୁମକୁ କେମିତି ଡରେଇ ଦେଲି । ଖଟ ତଳେ ଲୁଚି ବେଡ ସିଟ୍ ଘୋରି ହୋଇ ପଡିଥିଲି । ଏ.. ଏ.. ବାପା ଡରିଗଲେ ଡରିଗଲେ.. । ପଛକୁ ଚାହିଁ ଦେଖେ ତ ସାନୁ ତାଳି ମାରିମାରି କଣ କହି ଚାଲିଛି । ସଙ୍ଗେସଙ୍ଗେ ଆଖିରୁ ମୋର ଦୁଇ ଧାର ଲୁହ ଆସିଗଲା । ପୁଅକୁ ଚାପି ଧରିଲି । ସ୍ତ୍ରୀ ବି ପାଖକୁ ଆସି ପୁଅକୁ ଦୁଇଟା ଚଟକଣି ମାରି କୁଣ୍ଢେଇ କାନ୍ଦିବାକୁ ଲାଗିଲେ । ମାଆ, ପୁଅ ଓ ବାପା ତିନିହେଁ କାନ୍ଦି ଉଠିଲୁ ।

ପରେ ଆମେ ସ୍ୱାମୀ ସ୍ତ୍ରୀ ଦୁହେଁ ମିଶିକି ରୋଷେଇ କଲୁ । ଖାଇପିଇ ଶୋଇବାକୁ ଗଲୁ । ଶୋଇଲା ବେଳେ ପୁଅ ମୁହଁକୁ ଦେଖି ମୁଁ ଫିଲ୍ମ ହଲ ଭିତରେ ମୋ ସ୍ତ୍ରୀଙ୍କର ଡର ଆଉ ଆମ ଭିତରେ ଥିବା ପୁଅ ହଜିବାର ଭୟର ପାର୍ଥକ୍ୟ ବୁଝିପାରୁଥିଲି ।

 

 

Comments

Popular posts from this blog

Blog No - 49 ‘ଦୀର୍ଘ ୧୪ ବର୍ଷ ପରେ ଏକାଠି’

Blog No 51 - Happy BirthDay Super Star

‘ପଟ୍ଟଚିତ୍ର ଅନୁଭବ, ଶିଳ୍ପୀ ମହାନୁଭବ’

ସ୍ମୃତି ସେ ଦିନର

Blog No - 48 : ସୁଆଣ୍ଡୋରୁ ଜାତିର ଚରିତ୍ର, ସେବାର ମୂର୍ତ୍ତିମନ୍ତ ମହାନାୟକ

ବିଶ୍ୱ ଘରଚଟିଆ ଦିବସ : ମୋ ଟିକି ଚଢେଇ

Story Blog No - 50 ଚିକେନ୍ ପକୋଡା

ଓଡ଼ିଶା ଗଣମାଧ୍ୟମରେ AI

୧୯୮୨ ବନ୍ୟା : ସେହି ଅଗଷ୍ଟ ମାସ ଖୁଦୁରୁକୁଣୀ ଓଷାରେ ବାଙ୍କୀବାସୀଙ୍କ ବିକଟାଳ ଚିତ୍କାର

‘ଅର୍ଗସ’