ଲେମ୍ବୁ ପାଣି
![]() |
| ଲେମ୍ବୁ ପାଣି |
ସନିଆ, ହେ ସନିଆ...କାହିଁ ଦୋକାନରେ ଏଇ ଗୀତଟା ଲଗେଇଛୁ କହିଲୁ । ଲେମ୍ବୁ ଏତେ ରେଟ୍ ହେଲାଣି ଯେ ମନ ଆମ୍ବିଳା ହେଲାଣି ଆଉ ଏ ଗୀତ ଲଗାଇଲା କ’ଣ ନା ନିମ୍ବୁଡା ନିମ୍ବୁଡା ନିମ୍ବୁଡ଼ା... ରଖ ତ ନିମ୍ବୁଡ଼ା...ହଉ ଦେଲୁ ମୋତେ 3ଟା ଲମ୍ବୁ ଦେ । ଘରକୁ କୁଣିଆ ଆସିଛନ୍ତି । ଗଲେ ପୁଣି ଲମ୍ବୁ ସରବତ ହେବ । ହେଁ ଲେମ୍ବୁ...ଘନିଆ ମଉସା ତୁମେ ପାରା କୁଣିଆଙ୍କ ପାଇଁ ସାଇଟ୍ ନେଚୁ ଦୋକାନରୁ ପେପସି ଓ ମାଜା ନେଇକି ଯାଇଥିଲ । ପୁଣି କ’ଣ ହେଲା ? ଆଖି ମଚମଚ କରି କହିଲା ସନିଆ । ହେ, ତୁ ଆଉ କିଛି କହନା । ସେମାନେ ସହରୀ ଲୋକ । ଆରଥରକ ଆସିଥିଲେ ଯେତେବେଳେ, ଘର ବାଡ଼ିରୁ ଲେମ୍ବୁ ତୋଳି ସରବତ ଦେଲି ବୋଲି ସେମାନଙ୍କର ବହୁତ ଅଭିମାନ । ଘରେ ଏତେ ଧନ ସମ୍ପତ୍ତି ଥାଇ ବି କ’ଣ ନା ଆମକୁ ଲେମ୍ବୁ ପାଣି ଦେଲେ । ଝିଅ ବି ମନ ଦୁଃଖ କଲା । କୁଣିଆମାନେ ଲେମ୍ବୁ ସରବତ ପିଇବାକୁ ଇଚ୍ଛା କରୁନଥିବାରୁ ଓ ଘରେ ପୁଅମାନେ ଗଛର ଧ୍ୟାନ ନଦେବାରୁ ଶେଷରେ ବାଡ଼ିରେ ଥିବା ଲେମ୍ବୁ ଗଛକୁ ବି କାଟିଲି । ଆଉ ଆଜି ଏ ଲେମ୍ବୁ ଦରଦାମ ଥିବା ବେଳେ କହୁଛନ୍ତି ନା କ’ଣ ଲେମ୍ବୁ ପାଣି ପିଇବେ । ମୁଁ ସେମାନଙ୍କୁ କହିଲି ବି, ଆପଣମାନେ ପୂର୍ବ ଥର ଅଭିମାନ କଲେ ବୋଲି ଆଗରୁ କୋଲଡ଼୍ରିଙ୍କ୍ସ କିଣିକି ଘର ଫ୍ରିଜରେ ରଖିଛି । ଏହା ପରେ ବି ତାଙ୍କ ଜିଦ ଯେ ଲେମ୍ବୁ ସରବତ ପିଇବେ । କ’ଣ ନା ଭିଟାମିନ୍ ସି ମିଳେ ଆଉ ଦେହ ପାଇଁ ବି ଭଲ । ଥଣ୍ଡା ପଇଲେ ପେଟରେ ରୋଗ କରେଇ ଦଉଛି କୁଆଡ଼େ ! କ’ଣ କହିବ ଏମାନଙ୍କୁ । ସେହି ମୁହଁରେ ଉଷୁନା, ସେହି ମୁହଁରେ ଅରୁଆ । ଛାଡ଼େ ସେ କଥା... ଯାହା ହେଲେ ବି ପୁଅ ଘର ଲୋକ, ଝିଅ ଦେଇଛି ଯେତେବେଳେ...। ଗାଁରେ ତ କାହା ବାଡ଼ିରେ ଲେମ୍ବୁ ଗଛ ନାହିଁ । ସେଥିପାଇଁ ତୋ ଦୋକାନକୁ ଆସିଛି । ଦେଲୁ ଲେମ୍ବୁ ତିନିଟା ଦେ ମୁଁ ଯାଏ । ବିଳମ୍ବ ହେଲେ ତୋ ମାଉସୀ ପୁଣି ଗେରେଗେରେ ହେବ ।


Comments
Post a Comment