Blog no 55 ଗହଣା କାହା ପାଇଁ ?

 

ସମୟ ୨୦୧୭ ମସିହା ଏପ୍ରିଲ ମାସର ଏକ ଖରାଟିଆ ଦ୍ୱିପ୍ରହର । କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ନୂଆ ପିଜି ହଷ୍ଟେଲରୁ ବିଦାୟ ନେବାର ସମୟ ଆସିଯାଇଥିଲା । ମୋର ଜିନିଷପତ୍ର ଧରି ମୁଁ ଭୁବନେଶ୍ୱର ସିଫ୍ଟ ହେଉଥାଏ । ସାଙ୍ଗରେ ଥାଏ ଏକ ଅଟୋ, ଯାହାର ଚାଳକ ଜଣକ କେବଳ ଜଣେ ଅଟୋ ବାଲା ନୁହଁନ୍ତି, ବରଂ ରେଭେନ୍ସାର ଜଣେ ପୁରୁଣା କର୍ମଚାରୀ ମଧ୍ୟ ।

କଟକରୁ ଭୁବନେଶ୍ୱରର ସେହି ରାସ୍ତାରେ ଅଟୋ ଚାଲିଥାଏ । ଆଉ ଚାଲିଥାଏ ଘଣ୍ଟାର ପେଣ୍ଡୁଲମ ଭଳି ତାଙ୍କ ଜୀବନର କିଛି ଅକୁହା କଥା । ବାଟରେ ଏକ କଥା ପ୍ରସଙ୍ଗରେ ସେ କହିଲେ, "ଆଜ୍ଞା ! ଆଜି ମୋ ପାଖରେ ଯାହା କିଛି ଅଛି, ସେ ସବୁ ପଛରେ ଗୋଟିଏ ସାଧାରଣ ସ୍ତ୍ରୀ ଲୋକର ଅସାଧାରଣ ତ୍ୟାଗ ଅଛି । ଗୋଟେ ସମୟ ଥିଲା, ଯେତେବେଳେ ଘରର ଚୁଲି ଜଳିବା ମଧ୍ୟ କଷ୍ଟକର ହୋଇପଡ଼ିଥିଲା । ପିଲାଙ୍କ ସ୍କୁଲ ଫିସ୍ ଦେବାକୁ ପଇସା ନଥିଲା। ଦୁନିଆ ଆଖିରେ ମୁଁ ଜଣେ ହାରିଯାଇଥିବା ମଣିଷ ଥିଲି । କିନ୍ତୁ ସେହି ସମୟରେ ମୋର ସଞ୍ଜିବନୀ ଥିଲେ ମୋର ଧର୍ମପତ୍ନୀ । ପାଖକୁ ଆସି ବାହାଘର ବେଳର ଶେଷ ସମ୍ବଳ ସୁନା ଚେନ୍ ଓ ମୁଦି କାଢ଼ି ମୋ ହାତରେ ଟେକିଦେଲେ ଆଉ କହିଲେ, ସ୍ତ୍ରୀର ପ୍ରକୃତ ଗହଣା ସୁନା ନୁହେଁ, ସ୍ୱାମୀର ସମ୍ମାନ ଏବଂ ପିଲାଙ୍କ ଭବିଷ୍ୟତ । ସେହିଦିନ ସେଇ ସୁନା ଟିକକ ମୋ ପାଇଁ କେବଳ ଧାତୁ ନଥିଲା, ତାହା ଥିଲା ଏକ ବରଦାନ । ସେହି ସୁନା କାରଣରୁ ଆଜି ମୁଁ ସଫଳ ହୋଇଛି । ସୁନା ବନ୍ଧକ ସୁଝିବା ସହିତ ମୋର ନିଜର ଅଟୋ ଅଛି ଏବଂ ବ୍ୟବସାୟ ମଧ୍ୟ ଭଲ ଚାଲିଛି । ସେଦିନ ସେହି ଅଟୋ ଚାଳକଙ୍କ କଥା ଶୁଣି ମୋତେ ଅନୁଭବ ହେଲା ଯେ, ସୁନା ଦର ଆଜି ୧ ଲକ୍ଷ ଟଙ୍କା ଛୁଇଁଥାଇପାରେ, କିନ୍ତୁ ଜଣେ ସ୍ତ୍ରୀର ସେହି ଅତୁଟ ଭରସା ଓ ତ୍ୟାଗର ମୂଲ୍ୟ କୌଣସି ଜୁଏଲାରୀ ଦୋକାନୀ କେବେ ବି ମାପିପାରିବ ନାହିଁ । ଏହା କେବଳ ସେହି ଜଣକର କାହାଣୀ ନୁହେଁ, ବରଂ ଆମ ଦେଶର କୋଟି କୋଟି ମଧ୍ୟବିତ୍ତ ପରିବାରର ସଂଘର୍ଷ ଓ ସଫଳତାର ମୂଳଦୁଆ।

ତେବେ ଆଜି ଯେତେବେଳେ ୨୦୨୬ରେ ସୁନା ଦର ଆକାଶଛୁଆଁ ହୋଇଛି, ସେତେବେଳେ ସେହି ଅଟୋ ଚାଳକଙ୍କ କଥା ବହୁତ ପ୍ରାସଙ୍ଗିକ ମନେହୁଏ । ଅର୍ଥାତ୍ ସୁନା କେବଳ ସୌନ୍ଦର୍ଯ୍ୟ ପାଇଁ ନୁହେଁ, ଏହା ଏକ ବିପଦ ବେଳର ସାଥୀ । ଜଣେ ନାରୀ ପାଇଁ ତାର ଗହଣା ସବୁଠୁ ପ୍ରିୟ, କିନ୍ତୁ ପରିବାରର ଉନ୍ନତି ପାଇଁ ସେହି ଗହଣାକୁ ହସି ହସି ଦେଇଦେବା ତା'ର ମହାନତାକୁ ଦର୍ଶାଏ । ଗହଣା ଶରୀରର ଶୋଭା ବଢ଼ାଇବା ପାଇଁ ହୋଇଥାଇପାରେ, କିନ୍ତୁ ସେହି ଗହଣାର ପ୍ରକୃତ ସାର୍ଥକତା ସେତେବେଳେ ମିଳେ, ଯେତେବେଳେ ତାହା କାହାର ସ୍ୱପ୍ନକୁ ସାକାର କରିବାରେ ପାହାଚ ସାଜେ । ସୁନା ଦର ଯେତେ ବି ବଢ଼ୁ, କିନ୍ତୁ ସଂପର୍କର ମୂଲ୍ୟ ସବୁବେଳେ ତାଠୁ ଅଧିକ ରହିବ।

ତେବେ ବର୍ତ୍ତମାନର ଆର୍ଥିକ ସ୍ଥିତିକୁ ଦେଖିଲେ, ସୁନାକୁ ଏକ "ଷ୍ଟାଟସ୍ ସିମ୍ବଲ୍" ବା ସାମାଜିକ ପ୍ରତିଷ୍ଠାର ମାଧ୍ୟମ ଭାବେ ନଦେଖି, ଆମକୁ ଆମର ମାନସିକତା ବଦଳାଇବାକୁ ହେବ । ସାମାଜିକ ଉତ୍ସବ କିମ୍ବା ଦୈନନ୍ଦିନ ଜୀବନରେ ବହୁମୂଲ୍ୟ ସୁନା ଅଳଙ୍କାର ପରିବର୍ତ୍ତେ ସାଧାରଣ ବା ଇମିଟେସନ ଅଳଙ୍କାରକୁ ଆପଣେଇବା ଶ୍ରେୟସ୍କର ।

  ଆଜି ଏହା ଲେଖିବା ସମୟରେ ପକେଟରେ ଫୋନ୍‌ଟି ବାଜି ଉଠିଲା। ମୋର ଜଣେ ବନ୍ଧୁ ଫୋନ୍ କରି କହିଲେ, ସତ୍ୟ ! ଜଣଙ୍କୁ ଗୋଟିଏ ସୁନା ଚେନ୍ ଉପହାର ଦେବାର ଅଛି, କେଉଁ ଡିଜାଇନ୍ ଭଲ ହେବ ଟିକେ କହିବୁ? ମୁଁ ଏକ ଦୀର୍ଘଶ୍ୱାସ ନେଇ ଧୀରେ କହିଲି କାହା ପାଇଁ?

ଲେଖକ ସତ୍ୟଜିତ୍ ସାମଲ

Comments

Popular posts from this blog

Blog No - 49 ‘ଦୀର୍ଘ ୧୪ ବର୍ଷ ପରେ ଏକାଠି’

Blog No 51 - Happy BirthDay Super Star

‘ପଟ୍ଟଚିତ୍ର ଅନୁଭବ, ଶିଳ୍ପୀ ମହାନୁଭବ’

ସ୍ମୃତି ସେ ଦିନର

Blog No - 48 : ସୁଆଣ୍ଡୋରୁ ଜାତିର ଚରିତ୍ର, ସେବାର ମୂର୍ତ୍ତିମନ୍ତ ମହାନାୟକ

ବିଶ୍ୱ ଘରଚଟିଆ ଦିବସ : ମୋ ଟିକି ଚଢେଇ

Story Blog No - 50 ଚିକେନ୍ ପକୋଡା

ଓଡ଼ିଶା ଗଣମାଧ୍ୟମରେ AI

୧୯୮୨ ବନ୍ୟା : ସେହି ଅଗଷ୍ଟ ମାସ ଖୁଦୁରୁକୁଣୀ ଓଷାରେ ବାଙ୍କୀବାସୀଙ୍କ ବିକଟାଳ ଚିତ୍କାର

‘ଅର୍ଗସ’