Blog No - 53 ‘ରେଡ୍ ଲାଇଟ୍ - ଗ୍ରୀନ୍ ଲାଇଟ୍’


ବର୍ଷେ ତଳର କଥା, ମୁଁ ଯାଇଥିଲି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଆରଟିଓ-୨ ଅଫିସର ଡ୍ରାଇଭିଂ ଟେଷ୍ଟିଂ ଗ୍ରାଉଣ୍ଡକୁ । ନିଜର ଗାଡ଼ି ଲାଇସେନ୍ସ ପାଇଁ । ସେଠାରେ ନିୟମ ଭାରି କଡ଼ା । କମ୍ପ୍ୟୁଟରାଇଜଡ୍ ଟ୍ରାକରେ ଗାଡ଼ି ଚଳାଇବା ସହିତ ପ୍ରତିଟି ମୋଡ଼ରେ ସଠିକ୍ ଭାବେ ବାମ ଓ ଡାହାଣ ଇଣ୍ଡିକେଟର ଦେବାକୁ ପଡ଼ୁଥିଲା । ଟିକେ ଭୁଲ୍ ହେଲେ ସେନ୍ସର ଧରିନେବ ଆଉ ଆପଣ ଫେଲ୍ ହୋଇଯିବେ ବୋଲି ଉପସ୍ଥିତ ଅଧିକାରୀମାନେ କଥା ହେଉଥିଲେ ।

 ତେବେ ସେଠି ପରୀକ୍ଷା ଦେବାକୁ ଆସୁଥିବା ଲୋକମାନେ ସମସ୍ତେ ସତର୍କ । ପ୍ରତିଟି ସଙ୍କେତକୁ ନେଇ ବେଶ୍ ସଚେତନ, କାରଣ ସେଇ ସଙ୍କେତ ହିଁ ନିର୍ଦ୍ଧାରଣ କରିବ କାହାକୁ ଲାଇସେନ୍ସ ମିଳିବ ଆଉ କାହାକୁ ନାହିଁ । ମୁଁ ସଫଳତାର ସହ ପରୀକ୍ଷା ଦେଇ ଫେରିଲି । ମନରେ ଗୋଟେ ଆତ୍ମସନ୍ତୋଷ ଥିଲା ଯେ ମୁଁ ସବୁ ସଙ୍କେତ ଠିକ୍ ଭାବେ ବୁଝିପାରୁଛି ଏବଂ ମୋ ଭଳି ଅନେକ ଲୋକ ଏହାକୁ ପାଳନ କରୁଛନ୍ତି ।

 ତେବେ ଫେରିଲା ବେଳେ ଇନଫୋସିଟି ପାଖ ରାସ୍ତାରେ ଗୋଟିଏ ଦୃଶ୍ୟ ଦେଖି ଗାଡ଼ି ଅଟକାଇଲି । ଦେଖିଲି, ଦଳେ ଦୃଷ୍ଟିହୀନ ଛାତ୍ରଛାତ୍ରୀ ରାସ୍ତା ପାର ହେବାକୁ ଚେଷ୍ଟା କରୁଛନ୍ତି । ସେମାନଙ୍କ ହାତରେ ଥିଲା ଧଳା ବାଡ଼ି ଏବଂ ଆଖିରେ କଳା ଚଷମା । ସେମାନେ ନିଜ ବାଡ଼ିକୁ ସାମନାକୁ ବଢ଼ାଇ ଥପ୍ ଥପ୍ କରି ଏକ ସଙ୍କେତ ଦେଉଥିଲେ । ଏଥିରୁ ସ୍ପଷ୍ଟ ରୂପେ ବୁଝି ହେଉଥିଲା ଯେ - "ଆମେ ରାସ୍ତା ଅତିକ୍ରମ ହେବାକୁ ଚାହୁଁଛୁ, ଦୟାକରି ଗାଡ଼ି ଅଟକାନ୍ତୁ ।"

 କିନ୍ତୁ ଆଶ୍ଚର୍ଯ୍ୟର କଥା, ଆରଟିଓ ଅଫିସରେ ଏବଂ ଟ୍ରାଫିକ ନିୟମର ଲାଇଟ୍ ସଙ୍କେତକୁ ଏତେ ଗୁରୁତ୍ୱ ଦେଉଥିବା ଲୋକମାନେ ଏଠି କିନ୍ତୁ ଅନ୍ଧାର ସାଜିଥିଲେ । କାହାରି ପାଖରେ ସମୟ ନଥିଲା ସେମାନଙ୍କ ସଙ୍କେତକୁ ବୁଝିବା ପାଇଁ । ଗାଡ଼ିଗୁଡ଼ିକ ସାଇଁ ସାଇଁ କିନା ମାଡ଼ି ଚାଲିଥିଲା ।

 ମୁଁ ଗାଡ଼ିରୁ ଓହ୍ଲାଇ ସେମାନଙ୍କୁ ରାସ୍ତା ପାର କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ କାର୍ଯ୍ୟରତ ଟ୍ରାଫିକ ପୋଲିସ ସେମାନଙ୍କୁ ରାସ୍ତା ପାର କରାଇଦେଲେ । ପରେ ଫେରିବା ବେଳେ ମନକୁ ଏକ ପ୍ରଶ୍ନ ଆସୁଥିଲା । ଆମେ ଯନ୍ତ୍ରର ସଙ୍କେତକୁ ତ ଭଲରେ ବୁଝୁଛେ ତେବେ ମଣିଷପଣିଆର ସଙ୍କେତ ବୁଝାଇବ କିଏ? ସମସ୍ତଙ୍କ ପାଇଁ ଆଉ ଏକ ସମ୍ବେଦନଶୀଳ ହୃଦୟର ଆବଶ୍ୟକତା ଅଛି କି ? ଏତିକି ବେଳେ ମୋବାଇଲ ଗୁଗୁଲ ମ୍ୟାପରୁ ଶବ୍ଦ ଆସିଲା... Turned right to reach your destination.

ଲେଖକ - ସତ୍ୟଜିତ୍ ସାମଲ


Comments

Popular posts from this blog

Blog No - 49 ‘ଦୀର୍ଘ ୧୪ ବର୍ଷ ପରେ ଏକାଠି’

Blog No 51 - Happy BirthDay Super Star

‘ପଟ୍ଟଚିତ୍ର ଅନୁଭବ, ଶିଳ୍ପୀ ମହାନୁଭବ’

ସ୍ମୃତି ସେ ଦିନର

Blog No - 48 : ସୁଆଣ୍ଡୋରୁ ଜାତିର ଚରିତ୍ର, ସେବାର ମୂର୍ତ୍ତିମନ୍ତ ମହାନାୟକ

ବିଶ୍ୱ ଘରଚଟିଆ ଦିବସ : ମୋ ଟିକି ଚଢେଇ

Story Blog No - 50 ଚିକେନ୍ ପକୋଡା

ଓଡ଼ିଶା ଗଣମାଧ୍ୟମରେ AI

୧୯୮୨ ବନ୍ୟା : ସେହି ଅଗଷ୍ଟ ମାସ ଖୁଦୁରୁକୁଣୀ ଓଷାରେ ବାଙ୍କୀବାସୀଙ୍କ ବିକଟାଳ ଚିତ୍କାର

‘ଅର୍ଗସ’