Blog No - 53 ‘ରେଡ୍ ଲାଇଟ୍ - ଗ୍ରୀନ୍ ଲାଇଟ୍’
ବର୍ଷେ ତଳର କଥା, ମୁଁ ଯାଇଥିଲି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଆରଟିଓ-୨ ଅଫିସର
ଡ୍ରାଇଭିଂ ଟେଷ୍ଟିଂ ଗ୍ରାଉଣ୍ଡକୁ । ନିଜର ଗାଡ଼ି ଲାଇସେନ୍ସ ପାଇଁ । ସେଠାରେ ନିୟମ ଭାରି କଡ଼ା
। କମ୍ପ୍ୟୁଟରାଇଜଡ୍ ଟ୍ରାକରେ ଗାଡ଼ି ଚଳାଇବା ସହିତ ପ୍ରତିଟି ମୋଡ଼ରେ ସଠିକ୍ ଭାବେ ବାମ ଓ
ଡାହାଣ ଇଣ୍ଡିକେଟର ଦେବାକୁ ପଡ଼ୁଥିଲା । ଟିକେ ଭୁଲ୍ ହେଲେ ସେନ୍ସର ଧରିନେବ ଆଉ ଆପଣ ଫେଲ୍
ହୋଇଯିବେ ବୋଲି ଉପସ୍ଥିତ ଅଧିକାରୀମାନେ କଥା ହେଉଥିଲେ ।
ତେବେ ସେଠି ପରୀକ୍ଷା ଦେବାକୁ ଆସୁଥିବା
ଲୋକମାନେ ସମସ୍ତେ ସତର୍କ । ପ୍ରତିଟି ସଙ୍କେତକୁ ନେଇ ବେଶ୍ ସଚେତନ, କାରଣ ସେଇ ସଙ୍କେତ ହିଁ ନିର୍ଦ୍ଧାରଣ କରିବ କାହାକୁ ଲାଇସେନ୍ସ ମିଳିବ
ଆଉ କାହାକୁ ନାହିଁ । ମୁଁ ସଫଳତାର ସହ ପରୀକ୍ଷା ଦେଇ ଫେରିଲି । ମନରେ ଗୋଟେ ଆତ୍ମସନ୍ତୋଷ ଥିଲା
ଯେ ମୁଁ ସବୁ ସଙ୍କେତ ଠିକ୍ ଭାବେ ବୁଝିପାରୁଛି ଏବଂ ମୋ ଭଳି ଅନେକ ଲୋକ ଏହାକୁ ପାଳନ କରୁଛନ୍ତି
।
ତେବେ ଫେରିଲା ବେଳେ ଇନଫୋସିଟି ପାଖ
ରାସ୍ତାରେ ଗୋଟିଏ ଦୃଶ୍ୟ ଦେଖି ଗାଡ଼ି ଅଟକାଇଲି । ଦେଖିଲି, ଦଳେ ଦୃଷ୍ଟିହୀନ ଛାତ୍ରଛାତ୍ରୀ ରାସ୍ତା ପାର ହେବାକୁ ଚେଷ୍ଟା
କରୁଛନ୍ତି । ସେମାନଙ୍କ ହାତରେ ଥିଲା ଧଳା ବାଡ଼ି ଏବଂ ଆଖିରେ କଳା ଚଷମା । ସେମାନେ ନିଜ
ବାଡ଼ିକୁ ସାମନାକୁ ବଢ଼ାଇ ଥପ୍ ଥପ୍ କରି ଏକ ସଙ୍କେତ ଦେଉଥିଲେ । ଏଥିରୁ ସ୍ପଷ୍ଟ ରୂପେ ବୁଝି ହେଉଥିଲା
ଯେ - "ଆମେ ରାସ୍ତା ଅତିକ୍ରମ ହେବାକୁ ଚାହୁଁଛୁ, ଦୟାକରି ଗାଡ଼ି ଅଟକାନ୍ତୁ ।"
କିନ୍ତୁ ଆଶ୍ଚର୍ଯ୍ୟର କଥା,
ଆରଟିଓ ଅଫିସରେ ଏବଂ ଟ୍ରାଫିକ ନିୟମର ଲାଇଟ୍ ସଙ୍କେତକୁ ଏତେ ଗୁରୁତ୍ୱ
ଦେଉଥିବା ଲୋକମାନେ ଏଠି କିନ୍ତୁ ଅନ୍ଧାର ସାଜିଥିଲେ । କାହାରି ପାଖରେ ସମୟ ନଥିଲା ସେମାନଙ୍କ
ସଙ୍କେତକୁ ବୁଝିବା ପାଇଁ । ଗାଡ଼ିଗୁଡ଼ିକ ସାଇଁ ସାଇଁ କିନା ମାଡ଼ି ଚାଲିଥିଲା ।
ମୁଁ ଗାଡ଼ିରୁ ଓହ୍ଲାଇ ସେମାନଙ୍କୁ ରାସ୍ତା
ପାର କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ କାର୍ଯ୍ୟରତ ଟ୍ରାଫିକ ପୋଲିସ ସେମାନଙ୍କୁ ରାସ୍ତା
ପାର କରାଇଦେଲେ । ପରେ ଫେରିବା ବେଳେ ମନକୁ ଏକ ପ୍ରଶ୍ନ ଆସୁଥିଲା । ଆମେ ଯନ୍ତ୍ରର ସଙ୍କେତକୁ ତ
ଭଲରେ ବୁଝୁଛେ ତେବେ ମଣିଷପଣିଆର ସଙ୍କେତ ବୁଝାଇବ କିଏ? ସମସ୍ତଙ୍କ ପାଇଁ ଆଉ ଏକ ସମ୍ବେଦନଶୀଳ ହୃଦୟର ଆବଶ୍ୟକତା ଅଛି କି ?
ଏତିକି ବେଳେ ମୋବାଇଲ ଗୁଗୁଲ ମ୍ୟାପରୁ ଶବ୍ଦ ଆସିଲା... Turned
right to reach your destination.
ଲେଖକ - ସତ୍ୟଜିତ୍ ସାମଲ
Comments
Post a Comment