ଟୋପି ନେଇଗଲା କାଳିଆ !
ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିର । ପବିତ୍ର ଚାରିଧାମ ମଧ୍ୟରୁ ଅନ୍ୟତମ । ଓଡ଼ିଆ ଜାତିର ଅନ୍ୟତମ ପରିଚୟ । ମାତ୍ର ପ୍ରଶାସନ ପରିଧିକୁ ଆସିବା ପରେ ଘଡ଼ିକେ ଘୋଡ଼ା ଛୁଟିବା ଭଳି ନିୟମ । ସବୁବେଳେ ପରିବର୍ତ୍ତନଶୀଳ । ଜୟ ଜଗନ୍ନାଥ, ଜୟ ଜଗନ୍ନାଥ । ଦର୍ଶନକୁ ସୁରୁଖୁରୁରେ କରିବା ପାଇଁ ପ୍ରଶାସନର ବ୍ୟବସ୍ଥା ଭେଳିକି ମାତ୍ର । ବାଟବଣା ନିୟମ । ଏଥିପାଇଁ ହଇରାଣ ଆମ ପରି କୋଟି କୋଟି ଭକ୍ତ । ଦୀର୍ଘ ବର୍ଷ ଧରି ସେବାୟତ ଓ ଆମର ପୂର୍ବପୁରୁଷମାନେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ଚାରିଦ୍ୱାର ଦର୍ଶନର ବ୍ୟବସ୍ଥା କରିଥିଲେ । ମାତ୍ର ବର୍ତ୍ତମାନ ସମୟରେ ଅନ୍ୟ ମନ୍ଦିରକୁ ଅନୁକରଣ କରି ସିଂହଦ୍ୱାରରେ ହୋଇଥିବା ଲାଇନବ୍ୟବସ୍ଥାକୁ ମନମୁଖୀ ବ୍ୟବସ୍ଥା କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଏହି ଅଜ୍ଞାତ ବ୍ୟବସ୍ଥାକୁ ପ୍ରତ୍ୟକ୍ଷ ଅନୁଭବ କଲି ନିକଟରେ ଶ୍ରୀମନ୍ଦିର ଦର୍ଶନ ସମୟରେ । ମହାପ୍ରଭୁଙ୍କ
ଡାକରା ଆସିବା ପରେ ତତକ୍ଷଣାତ୍ ଏକ ସାଧାରଣ ଦିନରେ ସକାଳୁ ପୁରୀ ବାହାରିଲି ସାଙ୍ଗ ମାନଙ୍କ
ସାଥୀରେ । ସମୟ ଦିନ ୧୦ଟାରେ ବଡଦାଣ୍ଡରେ ପହଞ୍ଚିଲୁ । ଶ୍ରୀମନ୍ଦିର ଗାଡି ପାର୍କିଂ ଠାରୁ ମନ୍ଦିର
ପର୍ଯ୍ୟନ୍ତ ପାଖାପାଖି ୨୦୦ ମିଟର ରାସ୍ତା । ସେଠାରୁ ପାଦରେ ଚାଲିଚାଲି ଯିବାକୁ ହେବ । ଖରା ଦିନ
ଥିବାରୁ ମନ୍ଦିର ପାଖରେ ଜୋତା ଷ୍ଟାଣ୍ଡରେ ସବୁ
ଚପଲ ରଖିବା ପାଇଁ ଇଚ୍ଛା କଲୁ । ଭଡା ଦେଇ ବସ, ଅଟୋ, ଟୋଟୋର ବ୍ୟବସ୍ଥା ଥିଲେ ମଧ୍ୟ
ମହାପ୍ରଭୁଙ୍କ ପାଖକୁ ଆସି ଜଣେ ଭକ୍ତ ଭାବେ ଚାଲିଚାଲି ଯିବା ପାଇଁ ଆମର ନିଷ୍ପତି ହେଲା । ରାସ୍ତାରେ ମନ୍ଦିର
ପର୍ଯ୍ୟନ୍ତ ପାଦ ନ ତାତିବା ପାଇଁ ଗୋଟିଏ ୭ ମିଟର ଚଉଡା ବିଶିଷ୍ଟ ରେଡ୍ କାର୍ପେଟ୍ ପଡିଥିଲେ
ମଧ୍ୟ ଲୋକମାନେ ଏହାକୁ ବ୍ୟବହାର କରୁନଥିଲେ । ଜୟ ଜଗନ୍ନାଥ, ଜୟ ଜଗନ୍ନାଥ
ଚାଲି ଚାଲି
ପହଞ୍ଚିଲୁ ଶ୍ରୀମନ୍ଦିର ଦର୍ଶନ ବ୍ୟାରିକେଡରୁ ପ୍ରାୟ ୨୦ ମିଟର ଦୂରତାରେ ଥିବା ଚପଲ ଷ୍ଟାଣ୍ଡରେ
। ଚପଲ ଓ ମୋବାଇଲ ରଖି ଖାଲିପାଦରେ ଶ୍ରୀମନ୍ଦିର ବ୍ୟାରିକେଡରେ ୫ କିମ୍ବା ୬ ଥାକିଆ ଲାଇନରେ
ଲାଗିଲୁ । ପାଣି ପିଇବାର କ୍ୱଚିତ୍ ବ୍ୟବସ୍ଥା ଥିବା କାରଣରୁ ସମସ୍ତେ ଶୁଳ୍କ ପାଣି ବୋଟଲ
କିଣିବାକୁ ପସନ୍ଦ କରୁଥିଲେ । ଆମେ ମଧ୍ୟ ତନ୍ମଧ୍ୟରୁ ଥିଲୁ । ଲାଇନ ଲାଗିବାର ପାଖାପାଖି ୩୦
ମିନିଟ ପରେ ଶ୍ରୀମନ୍ଦିର ଦ୍ୱାର ସମ୍ମୁଖରେ ହାଜର ହେଲୁ । ଖରାରେ ପାଦ ତାତି ଯାଉଥାଏ
ମାତ୍ର ଜୟ ଜଗନ୍ନାଥର ପଦଧ୍ୱନୀ ସେ ସବୁକୁ ଶିଥୀଳତା କରୁଥାଏ । ପ୍ରବଳ ଠେଲାପେଲାରେ ପାଦ ଓ ହାତ
ଧୁଆଧୁଇ ହୋଇ ପ୍ରଥମେ ଗରୁଡ଼ ସ୍ତମ୍ଭ ଦର୍ଶନ ଏବଂ ପରେ ପତିତପାବନଙ୍କ ପାଖରେ । ବାଇଶି ପାହାଚ
ଚଢ଼ିବା ପରେ ଭିତର ବେଢ଼ା ଆଡକୁ ଅତିକ୍ରମ ସମୟରେ ଅବଶ୍ୟ ପାଣି ପକାଯାଉଥିବା କାରଣରୁ ପାଦର
ଉଷ୍ମତା ନରମୀ ଯାଇଥାଏ । ଏହି ସମୟରେ ମୁଁ ପିନ୍ଧିଥିବା ଟୋପୀକୁ ସେବାୟତଙ୍କ କହିବାନୁସାରେ
ହାତରେ ଧରି ଦେଇଥାଏ । ମାତ୍ର ଭିତର ବେଢାରେ ପାଞ୍ଚ ଥାକିଆ ବାଡ଼ରେ ପୁଣି ଧାଡ଼ି ବାନ୍ଧି ଠିଆ ହେବା
ଆମ ଭଳି ଆପଣଙ୍କ ମନକୁ ଅଶାନ୍ତ କରିବ ନିଶ୍ଚୟ । ପାଞ୍ଚ ଛଅଟି ବାଡ଼ରୁ ପ୍ରାୟ ଦୁଇ ଶହ ଲୋକଙ୍କୁ
ସାତ ପାହାଚକୁ ଛଡ଼ା ହେବାକୁ ହୁଏ ଓ ଅନ୍ୟମାନେ ବାଡ଼ ଭିତରେ ଠିଆ ହୋଇ ଅପେକ୍ଷା କରିଥା’ନ୍ତି । ଠେଲାପେଲାରେ
ପ୍ରଥମରୁ ଲାଇନରେ ଠିଆ ହେବା ଏବଂ ଉପରେ ଲାଗିଥିବା ସ୍ୱଳ୍ପ କିଛି ଟେବୁଲ ଫ୍ୟାନ ଅଳନ୍ଧୁ ଲାଗି
ନରମ କି ମଳୟ ନୁହେଁ ଧୀରତାର ସହ ପବନ ଦେଉଥାଏ । ଗୁଳୁଗୁଳି କାରଣରୁ ଅନେକାଂଶରେ ମହିଳା ଓ ବିଶେଷ
ଭାବରେ ଛୋଟ ଛୋଟ ପିଲା ମାନେ ବହୁତ ହଇରାଣ ହେବାର ଆମେ ଦେଖୁ । ପ୍ରାୟ ୩୦ ମିନିଟ ପରେ ଆମେ
ସେଠାରୁ ବାହାରି ସାତ ପାହାଚରେ ଖୁନ୍ଦାଖୁନ୍ଦି ହୋଇ ଛିଡାହେଲୁ । ଦେଖିଲୁ, ଯେତେବେଳେ ମନ୍ଦିର
(ଜଗମୋହନ) ଭିତରକୁ ୨୦୦ ଲୋକଙ୍କୁ ଏକାବେଳେ ଭିତରକୁ ଛଡ଼ାଯାଏ, ସେତେବେଳେ ଆଉ କିଛି
ନିୟନ୍ତ୍ରଣ ନ ଥାଏ । ହୁରୁଡ଼ି ଯାଇଥିବା ବିରାଟ ଗାଈ ଗୋଠ ପରି ସମସ୍ତେ ଠେଲାପେଲା ହୋଇ ମନ୍ଦିର
ଭିତରକୁ ପ୍ରବେଶ କରନ୍ତି। ମୁଁ ପ୍ରତ୍ୟକ୍ଷ ଭାବେ ଦୁଇ ତିନି ଜଣ ଛୋଟ ଛୋଟ ପିଲାଙ୍କୁ ଧରି ଟିକେ ଜଗିବା
ପାଇଁ ତାଙ୍କର ଅଭିଭାବକଙ୍କୁ ପରାମର୍ଶ ଦେଲି । ପରେ ସେମାନେ ଅସମ୍ଭାଳ ଭିଡ ଦେଖି ପିଲାଙ୍କୁ
କାନ୍ଧରେ ଧରି ଦିଅନ୍ତି । ଜୟ ଜଗନ୍ନାଥ, ଜୟ ଜଗନ୍ନାଥ
ଚତୁର୍ଦ୍ଧାମୂରତିଙ୍କ
ସକାଳ ଧୂପ ନୀତିକାନ୍ତି ଚାଲିଥିବା କାରଣରୁ ପହଡ଼ ପଡିଥାଏ ଏବଂ ଏଥିପାଇଁ କିଛି ଲୋକଙ୍କ ସହ ଆମେ ବାମ କୋଣରେ ଟିକେ ସମୟ ଅପେକ୍ଷା କରି କାଳିଆଙ୍କୁ ଦେଖିବା ପାଇଁ ନିଷ୍ପତି କଲୁ ।
ସବୁ ଭକ୍ତଙ୍କ ପରି ମନରେ ଭାବନା ଥିଲା, ଏତେବାଟରୁ ଆସିଛୁ, ଦର୍ଶନ ନ କରି ଯିବୁ କିପରି ।
ମହାପ୍ରଭୁଙ୍କ ଆଶୀର୍ବାଦ କାରଣରୁ ଅପେକ୍ଷା କରିବାର ମାତ୍ର ୭ ମିନିଟ ପରେ ପହଡ଼ ଫିଟିଲା ଓ ଜୟ
ଜଗନ୍ନାଥର ପ୍ରକମ୍ପିତ ଧ୍ୱନୀ ଆମକୁ ବିଗ୍ରହ ମାନଙ୍କ ମୁଖ ଚାହିଁବାକୁ ବାଧ୍ୟ କରିଥିଲା । ମାତ୍ର
ଭିତର କାଠ ପହଞ୍ଚିବା ସମୟରେ ଅଧିକାଂଶ ଭକ୍ତଙ୍କ ସମାଗମ ଥିଲା ଅଣାୟତ । ଏତେ ଯୋରରେ ମଝିରେ
ଲୋକଙ୍କୁ ଚାପି ଦେଉଥାନ୍ତି ଯେ କହି ହେବ ନାହିଁ । ମୁଁ ମୋର ବନ୍ଧୁ ମାନଙ୍କୁ ସତର୍କ କରୁଥାଏ ।
ତା’ ଭିତରେ ମଧ୍ୟ ମହିଳା, କିଶୋରୀ, ଶିଶୁ ଏବଂ
ବୃଦ୍ଧାଙ୍କର ଅଣନିଶ୍ୱାସ ନେବା ପରି ଅବସ୍ଥା । ସେହି ପରିବେଶ ମୋତେ ଯେପରି ପ୍ରଶାସନର ନୂଆ
ଦର୍ଶନ ବ୍ୟବସ୍ଥା ଉପରେ ଗାଳି କରିବା ପାଇଁ ମନକୁ ବାଧ୍ୟ କରୁଥିଲା । ଜୟ ଜଗନ୍ନାଥ, ଜୟ ଜଗନ୍ନାଥ
![]() |
Prameya, Puri
|
10
May, 2023 |
ଦର୍ଶନକୁ ଶୃଙ୍ଖଳିତ
ଭାବେ କରିବା ପାଇଁ ସେଠାରେ ନିୟୋଜିତ ପୋଲିସ କର୍ମଚାରୀମାନେ ମଧ୍ୟ ଦୁଇ ସେକେଣ୍ଡର ଦର୍ଶନ ପରେ
ଏଠାରୁ ଯାଅ ଯାଅ ବୋଲି ଚିତ୍କାର କରୁଥାନ୍ତି । ଚଳମାନ ଅବସ୍ଥାରେ ଭିଡ଼ ଭିତରେ ବାଆଁ ପଟକୁ ମୁହଁ
କରି ବିଗ୍ରହମାନଙ୍କୁ ଦେଖିବା ସମସ୍ତଙ୍କ ପକ୍ଷରେ ସମ୍ଭବ ହୁଏ ନାହିଁ । ଯିଏ କାଠ ପଟକୁ ରହିଥାଏ
ତାକୁ ଦେଖାଯାଏ, କିନ୍ତୁ ଯିଏ ଗରୁଡ ସ୍ତମ୍ଭ ପଟକୁ ରହେ, ତା’ ପାଇଁ ଦର୍ଶନ
କଷ୍ଟକର ହୋଇଥାଏ । କିଛି କିଛି ଭକ୍ତ ପୁଣି ସେମାନଙ୍କ ପାଖାପାଖି ଠିଆହୋଇ
ରହି ଫୁଲ, ତୁଳସୀ ଆଦି ଆଦାନ ପ୍ରଦାନ କରୁଥିବାରୁ ଏବଂ ଭୋଗ
ନେଉଥିବାରୁ ଭିଡ଼ ଆହୁରି ବଢ଼େ । ଯେନତେନ ଆମେ ସାଙ୍ଗମାନେ ଚାପି ହୋଇ ଯନ୍ତ୍ରଣା ମାନସିକତାରେ ଥାଇ ମଧ୍ୟ ଆଳତି ଦେଇ ଠାକୁରଙ୍କ ଦର୍ଶନ କଲୁ । ଜୟ ଜଗନ୍ନାଥ, ଜୟ ଜଗନ୍ନାଥ
ପରବର୍ତ୍ତୀ
ଅବସ୍ଥାରେ ଆମେ ଦୀପ ଜାଳିବା ସହ କୋଇଲି ବୈକୁଣ୍ଠ ଦର୍ଶନ ପରେ ଅବଢ଼ା ଖାଇ ଆତ୍ମତୃପ୍ତି ସହ
ମହାପ୍ରଭୁଙ୍କୁ ମନରେ ମନରେ ଧନ୍ୟବାଦ ଦେଇଥିଲୁ । ମାତ୍ର ଦର୍ଶନ ସାରି ପ୍ରାୟ ପୂର୍ବାହ୍ଣ ୧ଟା ବେଳେ ଶ୍ରୀମନ୍ଦିରରୁ
ବାହାରିବା ପରେ ଚପଲ ଷ୍ଟାଣ୍ଡ ପର୍ଯ୍ୟନ୍ତ ଖାଲି ପାଦରେ ପିଚୁ ରାସ୍ତାରେ ଚାଲିବାର ଯାତ୍ରା ଆମ
ଭଳି ଅନେକ ଲୋକଙ୍କୁ ବହୁତ କଷ୍ଟ ଦେଉଥିଲା । ଅସହ୍ୟ ଖରା ଓ ଗରମ କାରଣରୁ ଗାଡି ଷ୍ଟାଣ୍ଡ୍
ପର୍ଯ୍ୟନ୍ତ ଯାତ୍ରା ବି କଷ୍ଟନାୟକ । ମୋର ଜଣେ ବନ୍ଧୁ ମଧ୍ୟ ଏହାର ଶୀକାର ହେଲେ । ମୁଣ୍ଡ ବଲାଇବା
କାରଣରୁ ସେ କିଛି ସମୟ ଛାଇରେ ବସିଲେ । ଧାଡିର ଅବ୍ୟବସ୍ଥା କାରଣରୁ ଅନେକ ଭକ୍ତମାନେ ଆଉ ଥରେ
ଆସିବା ପାଇଁ ଅନିଚ୍ଛା ପ୍ରକାଶ ମଧ୍ୟ କରୁଥିବା ମୁଁ ଦେଖିବାକୁ ପାଇଥିଲି । ଜୟ ଜଗନ୍ନାଥ, ଜୟ
ଜଗନ୍ନାଥ
ମୁଖ୍ୟ କଥାକୁ ଏବେ ଆସିବା, ଶ୍ରୀମନ୍ଦିର ଦର୍ଶନର ବାହାରକୁ ବାହାରିବା ମାତ୍ରେ ମୋ ହାତରେ ଥିବା ଟୋପି କେଉଁ ଆଡେ ଉଭାଇ ଯାଇଥିଲା । ଯଦି ସେଇ ଜାଗାରେ ଏକାଠି ଠେଲା ଠେଲି ନ ହୋଇ ଜଣଙ୍କ ପରେ ଜଣେ ହିସାବରେ ଭକ୍ତମାନଙ୍କୁ ଯିବାର ସୁଯୋଗ ମିଳିଥାନ୍ତା ତେବେ ସମସ୍ତେ ସୁବିଧାରେ ଦର୍ଶନ ଲାଭ କରି ପାରନ୍ତେ ଓ ମୋର ଟୋପି ମଧ୍ୟ ହଜିନଥାନ୍ତା । ଯଦିଓ, ମୁଁ ଏହି ଧାଡି ବ୍ୟବସ୍ଥାକୁ ବିରୋଧ କରି ଶ୍ରୀମନ୍ଦିର ପ୍ରଶାସନକୁ କହିବି ଆପଣଙ୍କ ନିୟମ କାରଣରୁ ମୋ ଟୋପି ହଜିଲା ତେବେ ପ୍ରଶାସନ ତ ଏଇୟା କହିବେ ନା, ବ୍ୟବସ୍ଥା ନୁହେଁ କାଳିଆ ଆପଣଙ୍କ ଟୋପି ନେଇଛି ! ଅର୍ଥାତ୍ ଶୀର୍ଷକଟି ଟୋପି ହଜିବାର କାରଣ ନୁହେଁ ବରଂ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଳରେ ଯେଉଁ ତିନି ଦ୍ୱାର ବନ୍ଦ ହୋଇଛି ଏବଂ ଭକ୍ତମାନେ ହଇରାଣ ହେଉଛନ୍ତି ତାକୁ ଦୃଷ୍ଟିରେ ରଖି ପୂର୍ବଭଳି ଶ୍ରୀମନ୍ଦିର ଚାରିଦ୍ୱାର ଦର୍ଶନ ବ୍ୟବସ୍ଥା କରାଯିବା ନେଇ ଅନ୍ତତଃ ଜଣେ ଭକ୍ତ ଭାବେ ମୁଁ ଇଚ୍ଛା ରଖିବି । ଜୟ ଜଗନ୍ନାଥ, ଜୟ ଜଗନ୍ନାଥ
ଲେଖକ - ସତ୍ୟଜିତ ସାମଲ
![]() |
| Selected reactions |








Comments
Post a Comment