ନିଃଶବ୍ଦ
ଭିଡ଼ ଭିତରେ ଚାଲି ଆସିଲି ଭିନ୍ନ ଏକ ରେଳ ଷ୍ଟେସନ । କିଏ ଜାଣେ ସମୟ କେତେ ? ମନେ ପଡୁନାହିଁ । ହାତ ଦୁଇଟା ବି ଖାଲି ଖାଲି । ଅଯଥା କିଛି ନ ଭାବି ବସି ପଡିଲି । ବସି ପଡିଲି ଏକ ସରୁ ଅଳନ୍ଧି ଆବରଣଯୁକ୍ତ ବେଞ୍ଚ୍ ଉପରେ । ବାମ କାନ୍ଧ ଉପରେ ପଡିଥିବା ଦୁଇ ଗୋଟି ଶୁଖା ପତ୍ରକୁ ହାତରେ ଝାଡିଲି । ଉପରକୁ ଦେଖେ ତ ଏକ ରୂପା ଜହ୍ନ । ଇନ୍ଦ୍ରଧନୁର ଛିଟକା ରଙ୍ଗ, ମୋର ବାମ ପାର୍ଶ୍ୱରେ । ନା ଅଛି ଜନଗହଳି ନା ଧ୍ୱନିର କୌଣସି ଚିହ୍ନବର୍ଣ୍ଣ । ସମ୍ମୁଖ ରାସ୍ତା ତ ସମ୍ପୂର୍ଣ୍ଣ ଅନ୍ଧାର । ଅନେକ ଅସମାହିତ ପ୍ରଶ୍ନ ଭିତରେ ପ୍ରଥମ ପ୍ରଶ୍ନ ? ମୁଁ ସ୍ୱପ୍ନରେ ନାହିଁ ତ ? ଏ ବାଟବଣା ଜାଗାରେ ମୁଁ କାହିଁକି ? ଏତିକି ଭାବୁ ଭାବୁ ଧ୍ରୁବ ତାରା ଭଳି ଆଲୋକରେ ତୀକ୍ଷ୍ଣ ଗତିରେ ମାଡି ଆସେ ଏକ ଟ୍ରେନ୍ । ନିଃଶବ୍ଦ ରେଳଟି । ଅଟକିଗଲା ମୁଁ ବସିଥିବା ଅଜ୍ଞାତ ପ୍ଲାଟଫର୍ମରେ । ମୋର ନଜର ପଡେ ଏବଂ ଏହି କ୍ଷଣି ଟ୍ରେନ ଭିତରୁ ବାହାରି ଆସେ ଜଣେ ସୁନ୍ଦର ଶିଶୁଟିଏ । ଆଉ ମୋର ବାରଣ ସତ୍ତ୍ୱେ ମୋତେ ନେଇଯାଏ ସୁଦୀର୍ଘ ରେଳର ଗୋଟିଏ ଡବା ଭିତରକୁ । ଚତୁଃପାର୍ଶ୍ଵରେ ଥବା ଅଗଣିତ ଛବିକୁ ଆଙ୍ଗୁଠି ସାହାଯ୍ୟରେ ଦେଖାଇ ସାଙ୍କେତିକ ଶବ୍ଦରେ ଅନେକ କଥା କହୁଥିଲା ସେ ଏବଂ ବହୁତ କିଛି ବର୍ଣ୍ଣନା କରି ହେଉଥିଲା ତା’ର ନିଃଶବ୍ଦରୁ । ଦୁଃଖ ଓ ଉଲ୍ଲାସର ସହ ସବୁ କଥାକୁ ନିଜର ପରି ଉଲ୍ଲେଖିତ କରୁଥିଲା । କାହିଁକି ନା ସେ ଅତୀତ ଥିଲା ଆଉ ତା' ଅତୀତ ମୁଁ ଥିଲି ।
- ସତ୍ୟଜିତ୍ ସାମଲ

Comments
Post a Comment