ଶ୍ରୀମନ୍ଦିରରେ ଶାଳୀନତାପୂର୍ଣ୍ଣ ପୋଷାକ ?
ଆମର ଜନଜୀବନରେ ବେଶଭୂଷା ଓ ପୋଷାକର ସ୍ଥାନ ସ୍ୱତନ୍ତ୍ର । ଇତିହାସର ପୃଷ୍ଠଭୂମିକୁ ନୁହେଁ ବରଂ ଦେବାଳୟରେ ଥିବା ଦେବାଦେବୀ ମାନେ ସ୍ୱତନ୍ତ୍ର ଦିନରେ ନୂଆ ବେଶରେ ସଜ୍ଜିତ ହେବା ସମାଜରେ ବେଶଭୂଷାକୁ ଅନାଦି ଅନନ୍ତ କାଳରୁ ବେଶ୍ ପ୍ରାଧାନ୍ୟ ଦିଆଯାଇଥିବା ଦର୍ଶାଉଛି । ଆମର ଆରାଧ୍ୟ ଦେବତା ପୁରୀର ମହାପ୍ରଭୁଙ୍କ ଠାରୁ ସମ୍ବଲପୁରର ଇଷ୍ଟଦେବୀ ମାଆ ସମଲେଶ୍ୱରୀ, ବାଙ୍କୀର ଶକ୍ତିପୀଠ ମାଆ ଚର୍ଚ୍ଚିକା ଏବଂ ସମସ୍ତ ଗ୍ରାମଦେବତୀ ଓ ଠାକୁରାଣୀ ମନ୍ଦିରରେ ବର୍ଷକରେ କାହିଁ କେତେ ଥର ଦେବାଦେବୀଙ୍କୁ ସ୍ୱତନ୍ତ୍ର ବେଶରେ ସଜା ଯାଇଥାଏ । ଏ ସବୁକୁ ଅନୁମେୟ କଲେ ପୋଷାକ ପରିଧାନ ସର୍ବୋପରି ମାନବ ସମାଜର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଜଣାପଡେ। ତେବେ ଆଲୋଚ୍ୟର ବିଷୟ ହେଉଛି, ସ୍ଥାନ, କାଳ ଓ ପାତ୍ର ଦେଖି କଥା କହିବା ଭଳି ପୋଷାକ ପରିଧାନ ବି କରିବା ଦରକାର । ତେବେ ଏସବୁ ପାଇଁ ନିୟମାବଳୀ ନୁହେଁ ବରଂ ଏକ ସଭ୍ୟ ସମାଜରେ ସ୍ୱତଃପ୍ରବୃତ ଭାବରେ ମନ ଭିତରୁ ପୋଷାକ ଭଙ୍ଗୀ ଶୈଳୀର ମାନସିକତା ଚାଲିଆସେ । ଯେପରିକି ମନ୍ଦିର ଗଲେ କିମ୍ବା ପୂଜାର୍ଚ୍ଚନା କରିବା ପାଇଁ ହେଲେ କ’ଣ ପିନ୍ଧିବା ଦରକାର, ଇଣ୍ଟରଭ୍ୟୁ ଦେବା ପାଇଁ ଏହି ପୋଷାକ ପିନ୍ଧିବା, ଦାଣ୍ଡିଆ ନୃତ୍ୟ ପାଇଁ କୁରତା ଡ୍ରେସ ପିନ୍ଧିବା, ପାର୍ଟି ପାଇଁ ଗଲେ କ’ଣ ପିନ୍ଧିବା ଦରକାର । ଏହି ସବୁ ପୃଥକ ପୃଥକ ସ୍ଥାନରେ ଆଚରଣ ଓ ଉଚ୍ଚାରଣ ମଧ୍ୟ ଭିନ୍ନ ରୁହେ, ଯାହା ଜଣେ ମନୁଷ୍ୟ ବହୁତ ଭଲ ଭାବରେ ଜାଣେ । ସେପରି ପରିପ୍ରେକ୍ଷୀରେ ନିକଟରେ ଶ୍ରୀମନ୍ଦିରରେ ପୋଷାକ ପରିଧାନକୁ ନେଇ ପ୍ରଶାସନ ପକ୍ଷରୁ ନିୟମାବଳୀ ସ୍ୱାଗତଯୋଗ୍ୟ କିନ୍ତୁ ତାକୁ ପରବର୍ତ୍ତୀ ପର୍ଯ୍ୟାୟରେ କଠୋର ନକରି ସଚେତନତା ଅଣାଗଲେ କେବଳ ଶ୍ରୀମନ୍ଦିର ନୁହେଁ ବରଂ ସବୁ ମନ୍ଦିରରେ ସେହି ମାନସିକତା ପରିବର୍ତ୍ତନ ହୋଇପାରିବ । ଆଉ ଗୋଟିଏ କଥା, ମୋ ମତରେ ମନ୍ଦିର ସେବାୟତଙ୍କ ଘର ପରି, ବର୍ତ୍ତମାନର ଭିନ୍ନ ଦୃଷ୍ଟି ଆଢୁଆଳରେ ସେମାନଙ୍କୁ ସମାଲୋଚନା ନକରି ତାଙ୍କର ପାରମ୍ପରିକ ବେଶଭୂଷାକୁ ମଧ୍ୟ ଆମେ ସମ୍ମାନ ଦେବା ଦରକାର ।
ସତ୍ୟଜିତ୍ ସାମଲ

Comments
Post a Comment